ଜନକଲ୍ୟାଣକାରୀ ରାଜ୍ୟ ଏବଂ ଆମ ସମ୍ୱିଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 11, 2020

ଜନକଲ୍ୟାଣକାରୀ ରାଜ୍ୟ ଏବଂ ଆମ ସମ୍ୱିଧାନ

  • ସୂର୍ଯ୍ୟମଣି ମିଶ୍ର

ନିକଟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ‌୍‍ କହିଥିଲେ, ଝାଡ଼ଖଣ୍ଡର ବିଦ୍ୟାଳୟ ଦିଲ୍ଲୀ ବିଦ୍ୟାଳୟ ଠାରୁ ଅଧିକ ଉତ୍ତମ ମାନର ହେବ। ଅରବିନ୍ଦ କେଜିରୱାଲ‌୍‍ ଏହାପରେ ହେମନ୍ତ ସୋରେନ‌୍‍ଙ୍କୁ ଅଭିନନ୍ଦନ ଜଣାଇଥିଲେ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଏକ ବିବୃତିରେ କହିଛନ୍ତି, ତାଙ୍କ ସରକାର ଏବେଠାରୁ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବେ। ଆମ ରାଜ୍ୟ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ, ବିଜୁ ପକ୍କାଘର ଯୋଜନା ଭଳି ଯୋଜନା କରିଥିବା ସହ କୌଣସି ଜଣେ ବି ଲୋକ ଯେମିତି ସେବା କ୍ଷେତ୍ରରୁ ବଞ୍ଚିତ ନହେବେ ସେ ନେଇ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ସରକାର ଦିଲ୍ଲୀ ସରକାରଙ୍କ ଠାରୁ ଜାଣିବାକୁ ଚାହିଁଛନ୍ତି କିପରି  ଦିଲ୍ଲୀ ସରକାର ନିଜ ନାଗରିକଙ୍କୁ ୨୦୦ ୟୁନିଟ‌୍‍ ବିଜୁଳି ମାଗଣାରେ ଦେବାର ଯୋଜନା କରିଛନ୍ତି? ଦିଲ୍ଲୀ ବିଧାନସଭା ନିର୍ବାଚନରେ ଜନତା ପୁଣିଥରେ କେଜିରୱାଲଙ୍କୁ ନିର୍ବାଚିତ କରିଥିବାରୁ ଜନକଲ୍ୟାଣକାରୀ ଯୋଜନାର ପ୍ରଭାବକୁ ନେଇ ଚର୍ଚ୍ଚା ଜୋର‌୍‍ ଧରଛି।

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପରେ ଗୋଟିଏ ଶବ୍ଦ ଅଧିକ ଭାବେ ଶୁଣାଯାଉଛି- ତାହା ହେଲା ‘ଫ୍ରିବୀ’ ଅର୍ଥାତ‌୍‍ ମାଗଣାରେ ପାଇବାର ମାନସିକତା। ଏହି କଥା ସେହି ଲୋକଙ୍କ ପାଇଁ କୁହାଯାଉଛି, ଯେଉଁମାନେ ଦାରିଦ୍ର୍ୟସୀମା ତଳେ ଏବଂ ଏହାର ପାଖାପାଖି। ଯେଉଁମାନଙ୍କୁ ୨୦୦ ୟୁନିଟ‌୍‍ ମାଗଣାରେ ବିଜୁଳି ଓ ଗୋଟିଏ ସୀମାଯାଏ ମାଗଣାରେ ପାଣି ଯୋଗାଇ ଦିଆଯାଉଛି। ଏହି ସମସ୍ତ ସୁବିଧା କମ‌୍‍ ନୁହେଁ, ବରଂ ବୃଦ୍ଧି ହେବା ଉଚିତ‌। ଦାରିଦ୍ର୍ୟ ସୀମାରେଖା ତଳେ ଏବଂ ଏହାର ପାଖାପାଖି ଲୋକଙ୍କ ଜୀବନସ୍ତରକୁ ଉପରକୁ ଉଠାଇବା ଉଚିତ‌। ଏହା ହେଉଛି ଏକ ଜନକଲ୍ୟାଣକାରୀ ରାଜ୍ୟର ଦାୟିତ୍ୱ।

ଜନକଲ୍ୟାଣକାରୀ ରାଜ୍ୟର ଅବଧାରଣା କୌଣସି ପାଶ୍ଚାତ୍ୟ ଅବଧାରଣା ନୁହେଁ। ଏହି ବିଚାର ଭାରତୀୟ ବିଚାର, ଆମର ପ୍ରାଚୀନ ବାଂମୟ ଏବଂ ଅସଖ୍ୟା ଭାବରେ ପ୍ରସାରିତ ଲୋକକଥାରେ ଏହା ପ୍ରତିଟି ସ୍ଥାନରେ ଗୋଟିଏ ଉଦ୍ଦେଶ୍ୟ ଭାବରେ ବିଦ୍ୟମାନ। ଋଗବେଦରୁ ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଯାଏ ମାନବକଲ୍ୟାଣ ବା ଜନକଲ୍ୟାଣ କଥା କୁହାଯାଇଛି। ଆମର ରାଜତନ୍ତ୍ରରେ ମଧ୍ୟ ୟୁରୋପୀୟ ରାଜତନ୍ତ୍ରର ଅବଧାରଣାର ବିପରୀତ ଜନକଲ୍ୟାଣକାରୀ ରାଜ୍ୟର କଥା କହେ। ଜନତାଙ୍କୁ ଜନାର୍ଦ୍ଦନ କୁହାଯାଇଛି। ପ୍ରଜାବତ୍ସଳ ଶାସକଙ୍କୁ ଶ୍ରେଷ୍ଠ ଶାସକ ଭାବେ ଗ୍ରହଣ କରାଯାଏ। ଲୋକ କେବଳ କର ବା ଟିକସ ଦେବେନାହିଁ। ରାଷ୍ଟ୍ର ବା ରାଜ୍ୟରୁ ସୁଖ ସୁବିଧା ପାଇବାର ଅଧିକାର ପ୍ରାପ୍ତ ହୋଇଥା’ନ୍ତି। ପୁରାଣରେ କୁହାଯାଇଛି- ଯେଉଁ ରାଜ୍ୟରେ ପ୍ରଜା ଦୁଃଖି ହୁଅନ୍ତି, ସେହି ରାଜ୍ୟର ରାଜାଙ୍କୁ ନର୍କରେ ସ୍ଥାନ ମିଳିଥାଏ। ତୁଳସୀଦାସଙ୍କ ରାମଚରିତ ମାନସର ପ୍ରସିଦ୍ଧ ପଂକ୍ତି ‘ଜାସୁ ରାଜପ୍ରିୟ ପ୍ରଜା ଦୁଖାରୀ, ସୋ ନୃପୁ ଅବସି ନରକ ଅଧିକାରୀ’।

ଭାରତୀୟ ବହୁଳତାବାଦର ବିଚାର କ’ଣ? ଋଗବେଦରେ ‘ସଗଚ୍ଛବଦମ‍୍‌’ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲର କଥା କୁହାଯାଇଛି। ଋଗବେଦ କାଳରେ ହିଁ ବହୁଳତାବାଦ ବା ବହୁ ସଂଖ୍ୟକବାଦ ଆମ ସଂସ୍କୃତିର ମୂଳ ରହିଥିଲା। ଯଦିଓ ଧର୍ମ ଏବଂ ଦର୍ଶନର ଅନେକ ଧାରା, ଉପଧାରାମାନ ଥିଲା। ଏଥିରେ ବିବାଦ ମଧ୍ୟ ରହିଥିଲା। କିନ୍ତୁ ବିଚାର ହିଂସକ ଥିଲା ଏବଂ ବିଚାର ଥିଲା କୌଣସି ବିପରୀତଧାରାକୁ ଶତ୍ରୁଭାବେ ଦେଖାନଯାଉ। ବୈଚାରିକ ବାଦ-ବିବାଦରେ ଯାହା ସର୍ବକାଳୀନ, ବହୁସ୍ୱୀକୃତି ତାର୍କିକ ଭାବରେ ଜାଗ୍ରତ ଥିଲା, ତାହା ବିଲୀନ ହୋଇଗଲା। କିନ୍ତୁ ଜନକଲ୍ୟାଣକାରୀ ଚିନ୍ତା-ଚେତନା-ବିଚାର ହଜାରବର୍ଷ ଧରି ରହି ଆସିଥିଲା। ଏହି ବିଶେଷତ୍ୱକୁ ଆଧାର କରି ସମ୍ୱିଧାନ ନିର୍ମାତାମାନେ ସମ୍ୱିଧାନରେ ସମ୍ୱିଧାନକୁ ମୂଳତଃ ଜନକଲ୍ୟାଣକାରୀ ରାଜ୍ୟରେ ସ୍ୱରୂପକୁ ଯୋଡ଼ିଛନ୍ତି। ଯାହା ମୌଳିକ ଅଧିକାର ଏବଂ ନୀତି ନିର୍ଦ୍ଦେଶକତ୍ୱ ଭାବେ ପରିଚିତ। ମୌଳିକ ଅଧିକାର, ଯାହା ନାଗରିକଙ୍କୁ ରାଜ୍ୟର ପ୍ରତି କିଛି ଅଧିକାର ପ୍ରଦାନ କରିଥାଏ। ଏହା ରାଜ୍ୟର ମଧ୍ୟ ଦାୟିତ୍ୱ ଯେ, ସେହି ମୌଳିକ ଅଧିକାରକୁ ପ୍ରୟୋଗ ପାଇଁ ଏପରି ବାତାବରଣ ନିର୍ମାଣ କରିବ ଯାହା ଦ୍ୱାରା ନାଗରିକଙ୍କୁ ସେମାନଙ୍କ ଅଧିକାରରୁ କେହି ବଞ୍ଚିତ ହେବେ ନାହିଁ। ରାଜ୍ୟ ଏକ ଶକ୍ତିଶାଳୀ ସଂସ୍ଥା। ଅପାର ଏବଂ ଅସୀମିତ ଶକ୍ତିବାଲାଙ୍କୁ ମଦମସ୍ତ ଏବଂ ପଥରେ ବିଚଳିତ କରିପାରେ। ରାଜ୍ୟ ବା ସରକାର ଚଳାଉଥିବା ବ୍ୟକ୍ତି ମଧ୍ୟ ଅନିୟନ୍ତ୍ରିତ ହୋଇପାରନ୍ତି। ସେତେବେଳେ ଗଣତାନ୍ତ୍ରିକ ଆବରଣରେ ଫାସିବାଦର ସ୍ୱରୂପ ଦେଖିବାକୁ ହେବ।

ମୌଳିକ ଅଧିକାର ଏହି ଅଧିକାରକୁ କୁହାଯାଏ ଯାହା ବ୍ୟକ୍ତି ଜୀବନ ପାଇଁ ମୌଳିକ ହେବାକାରଣରୁ ସମ୍ବିଧାନ ଦ୍ୱାରା ନାଗରିକଙ୍କୁ ପ୍ରଦାନ କରାଯାଇଛି ଏବଂ ଯାହାକୁ ରାଜ୍ୟ ଦ୍ୱାରା ହସ୍ତକ୍ଷେପ କରାଯାଇପାରିବ ନାହିଁ। ଏହା ଏପରି ଅଧିକାର ଅଟେ ଯାହା ଶକ୍ତିର ବ୍ୟକ୍ତିତ୍ୱର ପୂର୍ଣ୍ଣ ବିକାଶ ପାଇଁ ଅପରିହାର୍ଯ୍ୟ। ଯାହା ଦ୍ୱାରା ମନୁଷ୍ୟ ନିଜର ପୂର୍ଣ୍ଣ ବିକାଶ କରିପାରି ନାହିଁ।

ଏହି ଅଧିକାରକୁ ମୌଳିକ ଏଥିପାଇଁ କୁହାଯାଇଛି କାହିଁକି ନା ଏହାକୁ ଦେଶର ସମ୍ବିଧାନରେ ସ୍ଥାନ ଦିଆଯାଇଛି। ତଥା ସମ୍ବିଧାନର ସଂଶୋଧନ ପ୍ରକ୍ରିୟାରେ ଅତିରିକ୍ତ ଏଥିରେ କୌଣସି ପ୍ରକାରର ସଂଶୋଧନ କରାଯାଇପାରିବ ନାହିଁ। ଏହି ଅଧିକାର ବ୍ୟକ୍ତିର ପ୍ରତ୍ୟେକ ପକ୍ଷର ବିକାଶ ପାଇଁ ମୂଳରୂପରେ ଆବଶ୍ୟକ। ଏହାର ଅଭାବରେ ବ୍ୟକ୍ତିର ବ୍ୟକ୍ତିତ୍ୱର ବିକାଶ ଅବରୁଦ୍ଧ ହୋଇଯିବ। ଏହି ଅଧିକାରର ଉଲ୍ଲଘଂନ କରାଯାଇପାରିବ ନାହିଁ। ମୌଳିକ ଅଧିକାର ନ୍ୟାୟଯୋଗ୍ୟ ତଥା ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମାନଭାବରେ ପ୍ରାପ୍ତ ହୋଇଥାଏ।

ଆଇନରେ ଅନେକ ଅଧିକାର ଦିଆଯାଇଛି। କିନ୍ତୁ ସବୁଗୁଡ଼ିକୁ ମୌଳିକ ଅଧିକାର ବୋଲି କୁହାଯାଇପାରିବ ନାହିଁ। ତାହା ସାଧାରଣ ଆଇନର ଅଧିକାର ଅଟେ। ସାଧାରଣ ଆଇନର ଅଧିକାର ଏବଂ ମୌଳିକ ଅଧିକାର ମଧ୍ୟରେ ମୁଖ୍ୟ ଅନ୍ତର ଏହା ଯେ, ସାଧାରଣ ଆଇନର ଅଧିକାରକୁ ରାଜ୍ୟ ଦ୍ୱାରା କାର୍ଯ୍ୟକାରୀ କରାଯାଏ ଏବଂ ଏହାର ସୁରକ୍ଷା କରାଯାଇଥାଏ। କିନ୍ତୁ ମୌଳିକ ଅଧିକାରୀକୁ ଦେଶର ସମ୍ବିଧାନ ଦ୍ୱାରା କାର୍ଯ୍ୟକାରୀ କରାଯାଏ ଏବଂ ସମ୍ବିଧାନ ଦ୍ୱାରା ଏହାର ସୁରକ୍ଷା କରାଯାଇଥାଏ।

ଆଇନଗତ ଅଧିକାରରେ ବିଧାନମଣ୍ଡଳ ଦ୍ୱାରା ପରିବର୍ତ୍ତନ କରାଯାଇପାରିବ ପରନ୍ତୁ ମୌଳିକ ଅଧିକାରର ପରିବର୍ତ୍ତନ ପାଇଁ  ସମ୍ବିଧାନର ସଂଶୋଧନ ଆବଶ୍ୟକ। କିନ୍ତୁ ସମ୍ୱିଧାନରେ ଏପରି କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ। ଯାହାଦ୍ୱାରା ସମ୍ବିଧାନର ମୂଳ ଢାଞ୍ଚା ପ୍ରଭାବିତ ହେବ। ଏହା ସୁପ୍ରିମ‌୍‍କୋର୍ଟରେ କେଶବାନନ୍ଦ ଭାରତୀ ମାମଲାରେ ନିଷ୍ପତ୍ତି କରାଯାଇଛି।

ଭାରତୀୟ ସମ୍ବିଧାନରେ ନାଗରିକ ମୌଳିକ ଅଧିକାରର ବର୍ଣ୍ଣନା ସମ୍ବିଧାନର ତୃତୀୟ ଭାଗରେ ଅନୁଚ୍ଛେଦ ୧୨ରୁ ୩୫ ଯାଏ ଲିପିବଦ୍ଧ କରାଯାଇଛି।

ସମାନତା ଅଧିକାର :  ଅନୁଚ୍ଛେଦ ବା ଧାରା ୧୪ରୁ ୧୮ ଯାଏ, ସ୍ୱାଧୀନତାର ଅଧିକାର , ଅନୁଚ୍ଛେଦ ବା ଧାରା ୧୯ରୁ ୨୨ ଯାଏ, ଶୋଷଣ ବିରୋଧରେ ଅଧିକାର  ଅନୁଚ୍ଛେଦ ବା ଧାରା ୨୩ରୁ ୨୪ ଯାଏ, ଧାର୍ମିକ ସ୍ୱାଧୀନତାର ଅଧିକରେ ଅନୁଚ୍ଛେଦ ବା ଧାରା ୨୫ ରୁ ୨୮ ଯାଏ, ସାଂସ୍କୃତିକ ତଥା ଶିକ୍ଷା ସମ୍ୱର୍ଦ୍ଧିତ ଅଧିକାର ଅନୁଚ୍ଛେଦ ବା ଧାରା ୨୯ରୁ ୩୦ ଯାଏ, ସମ୍ବିଧାନିକ ଉପଚାରର ଅଧିକାର ଅନୁଚ୍ଛେଦ ୩୨ରେ ପ୍ରଦାନ କରାଯାଇଛି।

ଏହି ମୌଳିକ ଅଧିକାର ଜଣାଇ ଦେଉଛି ରାଜ୍ୟ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଗୁରୁତ୍ୱପୂର୍ଣ୍ଣ ସେହି ନାଗରିକ ଯିଏ ରାଜ୍ୟରେ ରହୁଛନ୍ତି, ନାଗରିକଙ୍କୁ ନାଗରିକତାର ପରିଭାଷାରେ ପୃଥକ କରି ଦେଖାନଯାଉ। ଭାରତରେ ମାର୍କ୍ସଙ୍କ ସମାଜବାଦୀ ବ୍ୟବସ୍ଥା କାର୍ଯ୍ୟକାରୀ ହେଉନି କି ପୁଞ୍ଜିବାଦୀ ବ୍ୟବସ୍ଥା। ମିଶ୍ରିତ ଅର୍ଥ ବ୍ୟବସ୍ଥା ମଧ୍ୟ ଦେଇ ବାଟ ଚାଲିଛି ଆମ ଦେଶ। ମିଶ୍ରିତ ଅର୍ଥ ବ୍ୟବସ୍ଥା ମୂଳରେ କଲ୍ୟାଣକାରୀ ରାଜ୍ୟର ଅବଧାରଣା ରହିଛୁ। ଗଣତନ୍ତ୍ରରେ ଜନତା ଗୁରୁତ୍ୱପୂର୍ଣ୍ଣ, ତେଣୁ ଲୋକଙ୍କ ହିତରେ ବା ଟିକସ ଲୋକଙ୍କ ଭିତରେ ଯିଏ ବ୍ୟୟ କରାଯିବା ଉଚିତ‌। ରାଜ୍ୟସ୍ତରରେ ଯୋଗ୍ୟହିତାଧିକାରୀଙ୍କୁ ମାଗଣାରେ ଖାଦ୍ୟ, ଜଳ, ବସ୍ତ୍ର, ବାସଗୃହ, ଶିକ୍ଷା, ଚିକିତ୍ସା ସେବା ଦେବା ପ୍ରାଥମିକତା ହେବା ଉଚିତ। ମାଗଣା ମାନସିକତା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବା ପାଖାପାଖି ଲୋକଙ୍କ ମଧ୍ୟରେ ନାହିଁ  ବରଂ ଆବଶ୍ୟକତା ନଥାଇ ନିର୍ବାଚିତ ସାଂସଦ, ବିଧାୟକ ସବ‌୍‍ସିଡ଼‌୍‍ ନେଉଛନ୍ତି। ପୁଞ୍ଜିପତିଙ୍କୁ କରଛାଡ଼  ବା କରରେ ରହାତି ଦିଆଯାଉଛି, ତେଣୁ  ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର ତ ମୌଳିକ ଅଧିକାର। ତେଣୁ ମାଗଣା ମାନସିକତା ବୋଲି କହିବା ଅପେକ୍ଷା ସମସ୍ତେ ଯେପରି ମୌଳିକ ଅଧିକାର ପାଇବେ, ତାହାକୁ ସୁଚିନ୍ତିତ କରିବା ରାଜ୍ୟ ବା ରାଷ୍ଟ୍ରର ଦାୟିତ୍ୱ।

ମୋ: ୯୪୩୮୦୦୬୨୧୫

ଭୁବନେଶ୍ୱର,

ବରିଷ୍ଠ ସାମ୍ୱାଦିକ



from Odisha Reporter https://ift.tt/2xo0BWz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages