ପାରଳାଖେମୁଣ୍ଡି (ଆଦର୍ଶ ଦାସ): ନିଜର ସନ୍ତାନ ନ ଥିବାରୁ ଅନ୍ୟର ଛୁଆ ଚୋରି କରିବାକୁ ଯୋଜନା କଲେ। ଏହାପରେ ପୂର୍ବ ଯୋଜନା ମୁତାବକ ନିଜକୁ ସ୍ୱାସ୍ଥ୍ୟକର୍ମୀର ପରିଚୟ ଦେଇ ମେଡିକାଲରୁ ଶିଶୁ ଚୋରି କଲେ। ହେଲେ ଶେଷରେ ଧରାପଡ଼ି ବନ୍ଧା ହେଲେ।
ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏପରି ଏକ ଶିଶୁପୁତ୍ର ଚୋରି ମାମଲାର ପର୍ଦାଫାଶ କରି ଅଭିଯୁକ୍ତ ଦମ୍ପତି ଓ ଅନ୍ୟ ଜଣେ ମହିଳାଙ୍କୁ ଗିରଫ କରିଛି ପୁଲିସ୍ ।
ଆନ୍ଧ୍ରପ୍ରଦେଶର ବାତିଲି ଥାନା ଅଞ୍ଚଳରୁ ଏହି ଦମ୍ପତିଙ୍କୁ ଗିରଫ କରିଛି ପାରଳାଖେମୁଣ୍ଡି ପୁଲିସ୍। ଏହାସହ ଅପହୃତ ଶିଶୁପୁତ୍ରକୁ ବି ଉଦ୍ଧାର କରାଯାଇଛି ।
ସୂଚନା ଅନୁଯାୟୀ, ଗତ ୧୮ ତାରିଖରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂଆଗଡ଼ା ଅଞ୍ଚଳର ମଦନ ବାଣୁଆଙ୍କ ପତ୍ନୀଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ମହିଳାଙ୍କର ଅସ୍ତ୍ରୋପଚାର ହୋଇଥିବାରୁ ଡାକ୍ତର ତାଙ୍କୁ କିଛି ଦିନ ଡାକ୍ତରଖାନାରେ ରହିବାକୁ କହିଥିଲେ।
ଗତ ୨୧ ତାରିଖରେ ମୁଖ୍ୟ ଅଭିଯୁକ୍ତ ମହିଳା ଜଣକ ଡାକ୍ତରଖାନାରେ ପହଞ୍ଚି ନିଜକୁ ନର୍ସ ବୋଲି ପରିଚୟ ଦେଇଥିଲେ। ତାଙ୍କ ସହ ଆଉ ଜଣେ ମହିଳା ମଧ୍ୟ ଥିଲେ। ଉକ୍ତ ଶିଶୁ ମୁଣ୍ଡରେ ଆଘାତ ଲାଗିଥିବାରୁ ଡାକ୍ତର ଦେଖାଇବାକୁ କହି ସେମାନେ ତାର ଆଈ ନିକଟରୁ ନେଇ ଯାଇଥିଲେ। କିନ୍ତୁ ବହୁ ସମୟ ପର୍ଯ୍ୟନ୍ତ ଶିଶୁଟି ତାର ମା’ ନିକଟକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ଏନେଇ ଥାନାରେ ଅଭିଯୋଗ କରିଥିଲେ।
ପୁଲିସ୍ ମେଡିକାଲରେ ଲାଗିଥିବା ସିସିଟିଭି ଫୁଟେଜ ଦେଖି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହାପରେ ଗତକାଲି ଆନ୍ଧ୍ରରୁ ଅଭିଯୁକ୍ତ ଦମ୍ପତି ଓ ତାଙ୍କ ସହଯୋଗୀ ମହିଳାଙ୍କୁ ଗିରଫ କରିଥିଲା।
ଅଭିଯୁକ୍ତ ଦମ୍ପତିଙ୍କର କୌଣସି ପିଲା ଛୁଆ ନଥିବାରୁ ସେମାନେ ମେଡିକାଲରୁ ନବଜାତକୁ ନେଇ ଚାଲି ଯାଇଥିବା ଗଜପତି ଏସପି ସାରା ଶର୍ମା କହିଛନ୍ତି।
from Odisha Reporter https://ift.tt/2JlsaTl
No comments:
Post a Comment