ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ସରକାର ଜାରି କରିଥିବା ନିର୍ଦ୍ଦେଶ ମାନି ଚାଲିଲେ ହଇରାଣ ହେବେ ନାହିଁ। ଏହାଛଡ଼ା ଅହେତୁକ ମାସ୍କ ବ୍ୟବହାର କରିବାର କୌଣସି ଆବଶ୍ୟକତା ନାହିଁ।” କରୋନାକୁ ନେଇ ଆତଙ୍କିତ ନ ହୋଇ ସଚେତନ ହେବାକୁ ରାଜ୍ୟବାସୀଙ୍କୁ ଏପରି ପରାମର୍ଶ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।
ମନ୍ତ୍ରୀ କହିଛନ୍ତି, ସବୁବେଳେ ଘରେ ରହିବାକୁ ଚେଷ୍ଟା କରନ୍ତି। ଯଥାସମ୍ଭବ ସ୍ୱଚ୍ଛତା ଅବଲମ୍ବନ କରନ୍ତୁ ଓ ଡେଟଲରେ ହାତ ଧୁଅନ୍ତୁ। ୫ରୁ ଅଧିକ ଲୋକ ଥିବା ସ୍ଥାନକୁ ଗଲେ ମାସ୍କ ପିନ୍ଧନ୍ତୁ। ନଚେତ ମାସ୍କ ପିନ୍ଧିବାର କୌଣସି କାରଣ ନାହିଁ। ଲୋକେ ଅଯଥାରେ ମାସ୍କ ଓ ସାନିଟାଇଜର ଖୋଜୁଥିବାରୁ ଚାହିଦା ବଢ଼ିଯାଇଛି। ବଜାରରେ ସେହି ତୁଳନାରେ ମିଳୁନଥିବାରୁ ଅଭାବ ଦେଖା ଦେଇଛି। ଏନେଇ ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ମନ୍ତ୍ରୀ।
ତେବେ ୩ ମାସ ପର୍ଯ୍ୟନ୍ତ ପିଡିଏସ୍ ସାମଗ୍ରୀ ଯୋଗାଇଦେବାକୁ ରାଜ୍ୟ ସରକାର ଯୋଜନା କରୁଥିବା କହିଛନ୍ତି ମନ୍ତ୍ରୀ। ଏହାଛଡ଼ା ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣର ମହଜୁଦ୍ ରହିଛି। କଳାବଜାରି ରୋକିବା ଲାଗି ସରକାର ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଥିବା ମନ୍ତ୍ରୀ ସ୍ୱାଇଁ କହିଛନ୍ତି।
କୌଣସି ଗୁଜବରେ ବିଶ୍ୱାସ ନ କରିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଏହାଛଡ଼ା ଯେଉଁମାନେ ଗୁଜବ ପ୍ରଚାର କରିବେ, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।
from Odisha Reporter https://ift.tt/33mOAwJ
No comments:
Post a Comment