ମୁମ୍ବାଇ: ବଲିଉଡ୍ ଅଭିନେତା ଅଲୀ ଫଜଲ ଓ ଅଭିନେତ୍ରୀ ରିଚା ଚଢ଼ା ପରସ୍ପରକୁ ଡେଟ୍ କରୁଛନ୍ତି। ଏପରିକି ସେମାନେ ଖୁବ୍ଶୀଘ୍ର ବାହା ହେବେ ବୋଲି ବେଶ୍ କିଛି ଦିନ ହେଲାଣି ଚର୍ଚ୍ଚା ହେଉଛି। କୁହାଯାଉଛି, ସେମାନେ ଏପ୍ରିଲ୍ରେ ବାହାହେବେ। ହେଲେ ଏ ପର୍ଯ୍ୟନ୍ତ ସେମାନେ କିଛି ଘୋଷଣା କରି ନାହାନ୍ତି। କିନ୍ତୁ ସେମାନଙ୍କ ସୋଶାଲ୍ ମିଡିଆ ଆକାଉଣ୍ଟ ଦେଖିଲେ ଜଣାପଡ଼ୁଛି ଯେ ସେମାନେ ବାହାଘର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ଓ ଏହାର ଆରମ୍ଭ ନିର୍ବନ୍ଧରୁ ହୋଇଛି।
ରିଚା ନିଜ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେଆର କରିଛନ୍ତି, ଯେଉଁଥିରେ ସେ ହାତରେ ଏକ ମୁଦି ପିନ୍ଧିଥିବା ଦେଖିବାକୁ ମିଳିଛି। ଏଥିରୁ ଅନୁମାନ କରାଯାଉଛି ଯେ ଅଲୀଙ୍କ ସହିତ ତାଙ୍କର ନିର୍ବନ୍ଧ ହୋଇଯାଇଛି। ହେଲେ ରିଚା ଏହାର କ୍ୟାପସନ୍ରେ କିଛି ଲେଖି ନ ଥିବା ଯୋଗୁ ସେମାନଙ୍କ ନିର୍ବନ୍ଧ ଖବର ସ୍ପଷ୍ଟ ହୋଇପାରୁ ନାହିଁ। ଏହା ବି ସୂଚନା ମିଳିଛି ଯେ ସେମାନେ ବହୁ ଜାକଜମକରେ ବାହା ହେବାକୁ ଯୋଜନା କରିଛନ୍ତି। ସେଥିପାଇଁ ଏକ ସ୍ପେଶାଲ୍ ଭେନ୍ୟୁ ଖୋଜୁଛନ୍ତି। ସେମାନେ ଏମିତି ଜାଗାରେ ବାହା ହେବାକୁ ଚାହୁଁଛନ୍ତି, ଯେଉଁଠାରୁ ସମୁଦ୍ର ଖୁବ୍ ସୁନ୍ଦର ଦୃଶ୍ୟମାନ ହେଉଥିବ।
୨୦୧୩ରେ ଫିଲ୍ମ ‘ଫୁକ୍ରେ’ ସେଟ୍ରେ ଏ ଦୁହିଁଙ୍କର ଦେଖା ହୋଇଥିଲା। ସେବେଠୁ ଦୁହେଁ ଭଲ ବନ୍ଧୁ ହୋଇଯାଇଥିଲେ। ୨୦୧୫ରୁ ସେମାନେ ପରସ୍ପରକୁ ଡେଟ୍ କରୁଛନ୍ତି। ତେବେ ୩ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୭ରେ ସେମାନେ ନିଜ ସମ୍ପର୍କକୁ ସର୍ବସମ୍ମୁଖରେ ସ୍ୱୀକାର କରିଥିଲେ।
ଅଲୀ ଫଜଲ୍ ଏକାଧାରରେ ଜଣେ ମଡେଲ୍, ଟିଭି ଉପସ୍ଥାପକ ଓ ଅଭିନେତା। ପ୍ରଥମେ ସେ ହଲିଉଡ୍ ଫିଲ୍ମ ‘The Other End of the Line’ ରେ ଏକ ଛୋଟ ରୋଲ୍ କରି କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ୨୦୦୯ରେ ଆମୀର ଖାନ୍ଙ୍କ ଫିଲ୍ମ ‘୩ ଇଡିୟଟ୍ସ’ରେ ‘ଜୟ’ ଭୂମିକାରେ ଅଭିନୟ କରି ବଲିଉଡ୍ରେ ଡେବ୍ୟୁ କରିଥିଲେ। ତାଙ୍କୁ ପ୍ରଥମ ସଫଳତା ମିଳିଥିଲା ୨୦୧୩ରେ ଆସିଥିବା ଫିଲ୍ମ ‘ଫୁକ୍ରେ’ରେ। ଏହାପରେ ୨୦୧୫ରେ ସେ ଫିଲ୍ମ ‘ଖାମୋସିୟାଁ’ରେ ଲିଡ୍ ଆକ୍ଟର ଭାବେ ଅଭିନୟ କରିଥିଲେ। ଏହି ଫିଲ୍ମ ତାଙ୍କୁ ବଲିଉଡ୍ରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ଏହି ଫିଲ୍ମ ପରେ ତାଙ୍କ କ୍ୟାରିୟର୍ ଗାଡ଼ି ଆଗକୁ ଗଡ଼ିଚାଲିଲା। ଶେଷଥର ପାଇଁ ସେ ନେଟ୍ଫ୍ଲିକ୍ସର ଫିଲ୍ମ ‘ହାଉସ୍ ଆରେଷ୍ଟ‘ରେ ନଜର ଆସିଥିଲେ। ବଲିଉଡ୍ ବ୍ୟତୀତ ସେ କିଛି ହଲିଉଡ୍ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।
ଅନ୍ୟପକ୍ଷରେ ରିଚା ଚଢ଼ା ଫିଲ୍ମ ’ଗ୍ୟାଙ୍ଗ୍ସ ଅଫ୍ ୱାସିପୁର୍’ ପାଇଁ ଫିଲ୍ମ ଫେୟାର୍ ଆୱାର୍ଡ଼ ଜିତିଥିଲେ। ବେଷ୍ଟ ଆକ୍ଟ୍ରେସ୍ କ୍ରିଟିକ୍ସ ବର୍ଗରେ ସେ ଏହି ପୁରସ୍କାର ଜିତିଥିଲେ। ଏହାପରେ ସେ ‘ଫୁକ୍ରେ’, ‘ତମଞ୍ଚେ’, ‘ଗୋଲିଓ କି ରାସ୍ ଲୀଲା ରାମ୍ ଲୀଲା’, ‘ମସାନ୍’ ଓ ‘ସରବଜିତ୍’ ପରି ଅନେକ ଫିଲ୍ମରେ କାମ କରିଛନ୍ତି। ଆଗକୁ ମଧ୍ୟ ତାଙ୍କର କିଛି ଫିଲ୍ମ ଆସୁଛି।
from Odisha Reporter https://ift.tt/3aBK1AP
No comments:
Post a Comment