ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ କରୋନା ଭାଇରସକୁ ନେଇ ସାରା ଦେଶ ଚିନ୍ତିତ ରହିଛି। ଏହାର ମୁକାବିଲା ପାଇଁ ସମସ୍ତଙ୍କୁ ସଚେତନ କରାଯାଉଛି। ଏଥିପାଇଁ ସାମାଜିକ ଦୂରତ୍ୱକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ତେବେ କେବଳ ସରକାର ନୁହନ୍ତି, ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଲୋକେ ମଧ୍ୟ ଏନେଇ ସଚେତନ କରାଉଛନ୍ତି। ଆଉ ଏହି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ସେଥିପାଇଁ ସେ ଭୁବନେଶ୍ୱରରେ ଥାଇ ବି ଘରକୁ ଯାଉ ନାହାନ୍ତି କି ପରିବାର ଲୋକଙ୍କୁ ଭେଟୁ ନାହାନ୍ତି। ଗତକାଲି ନିଜ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ସେ ଏକ ଭିଡିଓ ପୋଷ୍ଟ୍ କରି ଏ ବିଷୟରେ କହିଛନ୍ତି।
ପ୍ରକୃତି କହିଛନ୍ତି ଯେ ସେ ସାମାଜିକ ଦୂରତ୍ୱ ରକ୍ଷା କରୁଛନ୍ତି। ସେ ମାର୍ଚ୍ଚ ୧୮ରୁ ମୁମ୍ବାଇରୁ ଆସିଲେଣି। କିନ୍ତୁ ଘରକୁ ଯାଉ ନାହାନ୍ତି। ସେ ମୁମ୍ବାଇରେ ଥିବା ବେଳେ ବିଭିନ୍ନ ସ୍ଥାନ ବୁଲିଥିଲେ ଓ ବିଭିନ୍ନ ଲୋକଙ୍କୁ ଭେଟିଥିଲେ। ତେଣୁ ସୁରକ୍ଷା ଦୃଷ୍ଟିରୁ ଘରକୁ ଯାଉ ନାହାନ୍ତି। କାରଣ ତାଙ୍କ ଘରେ ତାଙ୍କ ବୁଢ଼ୀ ମା’ ଓ ଜଣେ ଛୋଟ ଛୁଆ ମଧ୍ୟ ଅଛନ୍ତି।
କରୋନା ଭାଇରସ୍ ନେଇ ସମସ୍ତଙ୍କୁ ସଚେତନ ହେବାକୁ ଓ ସତର୍କ ରହିବାକୁ ପ୍ରକୃତି ଅପିଲ୍ କରିବା ସହିତ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ କହିଛନ୍ତି। ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ନିଜ ପ୍ରିୟଜନ ମାନଙ୍କୁ ନ ଭେଟିବା ଟିକେ କଷ୍ଟକର। କିନ୍ତୁ ଏମିତି କରିବା ଦ୍ୱାରା ସମସ୍ତେ ନିଜେ ସୁସ୍ଥ ରହିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସୁସ୍ଥ ରଖିପାରିବେ। ଏହା ସହିତ ସଫାସୁତରା ରହିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି। ଲୋକେ ପ୍ରକୃତିଙ୍କ ନିଷ୍ପତ୍ତିକୁ ପ୍ରଶଂସା କରି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।
from Odisha Reporter https://ift.tt/2vIHWUX
No comments:
Post a Comment