ପ୍ରତାପ ସାର୍‌ଙ୍କ ମଡର୍ଣ୍ଣ ଚାଟଶାଳୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 21, 2020

ପ୍ରତାପ ସାର୍‌ଙ୍କ ମଡର୍ଣ୍ଣ ଚାଟଶାଳୀ

ଯାଜପୁର (ଗୁଲାମ ଗସ୍): ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ କଣ୍ଟାବଣିଆ ଗାଁରେ ରହନ୍ତି ପ୍ରତାପ ଜୟ ଦାସ। ଅଧିକାଂଶ ଲୋକ ତାଙ୍କୁ ପ୍ରତାପ ସାର୍‌ ବୋଲି ଡାକନ୍ତି। ସେ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ ପଢ଼ାନ୍ତି। ସମସ୍ତଙ୍କ ପାଇଁ ତାଙ୍କ ‘ଆଇବ୍ରେନ୍‌’ ଶିକ୍ଷାନୁଷ୍ଠାନ ଖୋଲା। କେହି କେହି ତାଙ୍କର ଏହି ଶିକ୍ଷାନୁଷ୍ଠାନକୁ ‘ମଡର୍ଣ୍ଣ ଚାଟଶାଳୀ’ ବୋଲି ବି କହନ୍ତି। ତାଙ୍କ ଶିକ୍ଷାନୁଷ୍ଠାନର ଚକଚକିଆ ବିଲ୍ଡିଂ ନାହିଁ। ଏକ ଆମ୍ବ ଗଛ ମୂଳରେ ସେ ପିଲାମାନଙ୍କୁ ପାଠ ପଢ଼ାନ୍ତି।  କିନ୍ତୁ ଏଠାରେ ଆଧୁନିକ ଜ୍ଞାନ କୌଶଳରେ ପିଲାଙ୍କୁ ପାଠ ପଢ଼ାଯାଏ। ଏଠାକୁ ଆସୁଥିବା ସମସ୍ତ ପିଲା ହାତରେ ଟାବ୍‌ଲେଟ୍‌ ଧରି ପାଠ ପଢ଼ନ୍ତି। ପ୍ରତାପ ସାର୍ ଏଥିପାଇଁ ନିଜ ପକେଟ୍‌ରୁ ଅର୍ଥ ଖର୍ଚ୍ଚ କରିଛନ୍ତି।

ସକାଳ ହେଲେ ପ୍ରତାପ ସାର୍‌ଙ୍କ ମଡର୍ଣ୍ଣ ଚାଟଶାଳୀରେ ଜମେ ପିଲାଙ୍କ ଭିଡ଼। ଏଠାରେ ଏବେ ଚତୁର୍ଥରୁ ଦଶମ ଶ୍ରେଣୀ ଯାଏ ପ୍ରାୟ ଦେଢ଼ଶହ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ତାଙ୍କ ପାଖରେ ପାଠପଢ଼ି ଅନେକ ଛାତ୍ରଛାତ୍ରୀ ନବୋଦୟ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟରେ ପଢ଼ିବାକୁ ସୁଯୋଗ ପାଇଛନ୍ତି। ଅନେକ ପିଲା ବିଭିନ୍ନ ପ୍ରକାର ଛାତ୍ର ବୃତ୍ତି ପାଇଛନ୍ତି। ଏଠାରେ ନୂତନ ଜ୍ଞାନ କୌଶଳ ମାଧ୍ୟମରେ ପାଠପଢ଼ା ଯାଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ା ପ୍ରତି ଆଗ୍ରହ ବି ସୃଷ୍ଟି ହେଉଛି। ତେଣୁ ଅଭିଭାବକମାନେ ପ୍ରତାପ ସାର୍‌ଙ୍କୁ ପ୍ରଶଂସା କରନ୍ତି। କେହି କେହି ଖୁସିରେ ତାଙ୍କୁ ନିଜ ପାରୁ ମତେ ଟଙ୍କା ବି ଦିଅନ୍ତି।

ଏହି ଶିକ୍ଷାନୁଷ୍ଠାନ ପଢ଼ୁଥିବା ପ୍ରତ୍ୟୁଷ କୁମାର ପୁଷ୍ଟି କହିଛନ୍ତି, “ଏଠାକୁ ଆସିଲା ପରେ ମୋ ପାଠପଢ଼ାରେ ଉନ୍ନତି ହୋଇଛି ଓ ମୁଁ ଆଦର୍ଶ ବିଦ୍ୟାଳୟରେ ଟପର୍ ହୋଇଛି। ପ୍ରତାପ ସାର୍‌ଙ୍କ ପଢ଼ା ଶୈଳୀ ପୂରା ଅଲଗା। ସେ ବେଶ୍ ଭଲ ଭାବେ ପାଠ ବୁଝାଇ ଦିଅନ୍ତି। ମୋତେ ବେଶ୍ ଭଲ ଲାଗୁଛି।  ଏଠି ଟ୍ୟାବ୍‌ ଓ ଏଲସିଡି ମାଧ୍ୟମରେ ପାଠପଢ଼ା ଯାଏ। ସେଥିପାଇଁ ମୁଁ ଅନ୍ୟ ପିଲାଙ୍କୁ ମଧ୍ୟ ଏଠି ଆସି ପାଠ ପଢ଼ିବାକୁ କହେ।”

ଏହି ଶିକ୍ଷାନୁଷ୍ଠାନକୁ ପ୍ରତାପ ସାର୍ ଆରମ୍ଭ କରିଥିଲେ ୨୦୧୩ ଫେବୃଆରୀ ୨୩ ତାରିଖରେ। ତା’ ପୂର୍ବରୁ ସେ  ଭୁବନେଶ୍ୱରର ଏକ ପ୍ରତଷ୍ଠିତ ଶିକ୍ଷାନୁଷ୍ଠାନରେ  ଶିକ୍ଷାଦାନ କରୁଥିଲେ। ହେଲେ ୨୦୧୧ ମସିହାରେ ସେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣା ପରେ ସେ ଦୁଇ ବର୍ଷ ପାରାଲାସିସ୍‌ରେ ପଡ଼ିଥିଲେ। ସୁସ୍ଥ ହେଲା ପରେ ଗାଁକୁ ଆସି ଛୋଟ ଛୋଟ ପିଲାଙ୍କୁ ପଢ଼ାଇବାକୁ ନିଷ୍ପତ୍ତି ନେଇଥିଲେ। ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ  ନୂତନ ଜ୍ଞାନ କୌଶଳରେ ପାଠ ପଢ଼ାଇ ବିଭିନ୍ନ ପ୍ରତିଯୋଗିତାରେ ସଫଳ କରାଇବା ପ୍ରତାପ ସାର୍‌ଙ୍କ ଲକ୍ଷ୍ୟ।  ଆଉ ତାଙ୍କର ସମ୍ପୂର୍ଣ୍ଣ ସହଯୋଗ କରନ୍ତି ତାଙ୍କ ପତ୍ନୀ।

ଏନେଇ ପ୍ରତାପ ଜୟ ଦାସ କହିଛନ୍ତି, “ମୁଁ ଭାବିଲି ଖାଲି ଚକ୍‌ ଡଷ୍ଟରରେ ପାଠ ପଢ଼ାଲେ ହେବନି। କିଭଳି ପିଲାଙ୍କୁ ପାଠ ପଢ଼ାଇଲେ ସେମାନେ ଆହୁରି ଅଧିକ ଶିଖି ପାରିବେ, ସେ କଥା ଚିନ୍ତା କଲି। ତେଣୁ ମଡର୍ଣ୍ଣ ଟେକ୍ନୋଲୋଜିରେ ପାଠ ପଢ଼ାଇବାକୁ ଭାବିଲି। ପିଲାମାନେ ନୂତନ ଜ୍ଞାନ କୌଶଳରେ ପଢ଼ି ସଫଳତା ପାଇଛନ୍ତି। ସରକାରୀ ସ୍କୁଲ ପିଲାମାନେ କିପରି ପାଠପଢ଼ାରେ ଭଲ କରିବେ ସେଇଟା ଆମର ପ୍ରମୁଖ ଆଭିମୁଖ୍ୟ ରହିଛି।”

ତାଙ୍କର ଏହି ମଡର୍ଣ୍ଣ ଚାଟଶାଳୀରେ କେବଳ ତାଙ୍କ ଗାଁ କିମ୍ବା ଆଖପାଖ ଗାଁର ପିଲା ପଢୁ ନାହାନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳର ପିଲା ବି ଆସି ତାଙ୍କ ପାଖରେ ପଢୁଛନ୍ତି। ସେମାନଙ୍କ ପାଇଁ ପ୍ରତାପ ସାର୍‌ ଏକ ହଷ୍ଟେଲ କରିଛନ୍ତି। ଏବେ ହଷ୍ଟେଲରେ ୧୫ରୁ ୨୦ ଜଣ ଛାତ୍ର ରହୁଛନ୍ତି। ଏମିତିକି ପ୍ରତାପ ସାର୍‌ଙ୍କ ପାଖରେ ପିଲାଙ୍କୁ ପଢ଼ାଇବା ପାଇଁ କିଛି ଅଭିଭାବକ ଏହି ଗାଁରେ ଘର ଭଡ଼ା ନେଇ ରହୁଛନ୍ତି।

ଅଭିଭାବକ ପ୍ରିୟମ୍ୱଦା ସାହୁ କହିଛନ୍ତି, “ପ୍ରତାପ ସାର୍‌ ଓ ଆଇବ୍ରେନ୍‌ ପାଇଁ ମୋ ପୁଅ ବ୍ଲକ୍‌ ଓ ଜିଲ୍ଲା ସ୍ତରରେ ଟପର୍ ହୋଇପାରିଛି। ପ୍ରତାପ ସାର୍‌ଙ୍କ ପାଇଁ ସେ ଆଜି ସଫଳତା ପାଇଛି। ଆମେ ପିଲାଙ୍କୁ ଖାଲି ଗାଇଡ୍ କରୁଥୁଲୁ। ହେଲେ ପ୍ରତାପ ସାର୍‌ ପିଲାଙ୍କୁ ପାଠ ପଢ଼ିବାର ସଠିକ୍ ରାସ୍ତା ଓ କୌଶଳ ବତେଇଛନ୍ତି।”

ଶିକ୍ଷାଦାନ ଭଳି ଏକ ମହତ ବୃତ୍ତିକୁ ବାଛିଥିବା ପ୍ରତାପ ଜୟ ଦାସଙ୍କ ଭଳି ବହୁତ କମ୍ ଲୋକ ଅଛନ୍ତି, ଯେଉଁମାନେ ନିଜ ଜ୍ଞାନକୁ ଗାଁ ପିଲାଙ୍କୁ ମାଗଣାରେ ବାଣ୍ଟିବାକୁ ଆଗେଇ ଆସିଛନ୍ତି। ସେହି ଦୃଷ୍ଟିରୁ ଯୁଗ ସହିତ ତାଳ ଦେଇ ଗାଁର ପିଲାମାନଙ୍କୁ ଶିକ୍ଷାଦାନ କରିବା ଓ ସେମାନଙ୍କ ଦକ୍ଷ କରିବାର ଯେଉଁ କାର୍ଯ୍ୟ ସେ କରୁଛନ୍ତି, ତାହା ନିଶ୍ଚୟ ପ୍ରଶଂସା ଯୋଗ୍ୟ।



from Odisha Reporter https://ift.tt/2QzfpZi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages