ବ୍ୟାଟ୍ସମ୍ୟାନ୍ ବିଫଳ, ସିରିଜ୍ ନେଇଗଲା ନ୍ୟୁଜିଲ୍ୟାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 1, 2020

ବ୍ୟାଟ୍ସମ୍ୟାନ୍ ବିଫଳ, ସିରିଜ୍ ନେଇଗଲା ନ୍ୟୁଜିଲ୍ୟାଣ୍ଡ

କ୍ରାଇଷ୍ଟଚର୍ଚ୍ଚ: ତିନି ଦିନରେ ଶେଷ ହୋଇଯାଇଛି ଭାରତ-ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଟେଷ୍ଟ୍। ଆଉ ଏଥିରେ ହାରିଯାଇଛି ଭାରତ। ନ୍ୟୁଜିଲ୍ୟାଣ୍ଡ ଠାରୁ ୭ ୱିକେଟ୍‌ରେ ଏହି ମ୍ୟାଚ୍ ହାରିଯାଇଛି ଦଳ। ଏହା ସହିତ ଘରୋଇ ଦଳ ଏହି ସିରିଜ୍‌କୁ ୨-୦ରେ ଜିତି ଯାଇଛି। କାଇଲ ଜେମିସନ୍‌ଙ୍କୁ ‘ମ୍ୟାନ୍‌ ଅଫ୍ ଦ ମ୍ୟାଚ୍’ ଦିଆଯାଇଥିବା ବେଳେ ଟିମ୍ ସାଉଦୀଙ୍କୁ ‘ମ୍ୟାନ୍ ଅଫ୍ ଦ ସିରିଜ୍‌’ ଦିଆଯାଇଛି।

ହେଗଲେ ଓଭାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଭାରତୀୟ ଦଳ ୨୪୨ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡକୁ ୨୩୫ ରନ୍‌ରେ ଅଟକାଇବାରେ ସଫଳ ହୋଇଥିଲା। କିନ୍ତୁ ଦଳର ବ୍ୟାଟିଂ ଲାଇନ୍ ପୁଣି ଫେଲ୍ ମାରିଥିଲା ଓ ଦ୍ୱିତୀୟ ଇନିଂସ୍‌ରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୧୨୪ରନ୍‌ରେ ଅଲ୍ ଆଉଟ୍ ହୋଇଯାଇଥିବା ବେଳେ ୧୩୨ ରନ୍‌ର ବିଜୟ ଟାର୍ଗେଟ୍‌କୁ ନ୍ୟୁଜିଲ୍ୟାଣ୍ଡ ସହଜରେ ହାସଲ କରି ନେଇଥିଲା।

ଗତକାଲିଠାରୁ ଜଣାପଡ଼ି ଯାଇଥିଲା ଯେ ଏହି ମ୍ୟାଚ୍ ଆଉ ଟିମ୍ ଇଣ୍ଡିଆ ହାତରେ ନାହିଁ। କାରଣ ଗତକାଲି ଦ୍ୱିତୀୟ ଦିନରେ ଷ୍ଟମ୍ପ ଅପସାରଣ ସୁଦ୍ଧା ଦ୍ୱିତୀୟ ଇନିଂସ୍‌ରେ ଦଳ ମାତ୍ର ୯୦ ରନ୍‌ରେ ୬ଟି ୱିକେଟ୍ ହରାଇଥିଲା। ସମସ୍ତ ପ୍ରମୁଖ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଯାଇଥିଲେ। ଗତକାଲି ଠାରୁ ଅପରାଜିତ ଥିବା ହନୁମା ବିହାରୀ ଓ ଋଷଭ ପନ୍ତ ଆଜି ଦଳର ଅସମାପ୍ତ ଇନିଂସ୍‌କୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇଥିଲେ। ତେବେ ଗତକାଲି ୫ ରନ୍ କରିଥିବା ହନୁମା ବିହାରୀ ଆଜି ଆଉ ମାତ୍ର ୪ ରନ୍ କରି ଆଉଟ୍ ହୋଇଯାଇଥିଲେ। ପ୍ରଥମ ଇନିଂସ୍‌ରେ ୫୫ ରନ୍ କରିଥିବା ହନୁମା ଦ୍ୱିତୀୟ ଇନିଂସ୍‌ରେ ଘରୋଇ ଦଳର ବୋଲରଙ୍କ ସମ୍ମୁଖୀନ ହୋଇପାରି ନଥିଲେ। ଟିମ୍ ସାଉଦୀଙ୍କ ଏକ ବଲ୍‌ରେ ସେ ବିଜେ ୱାଟ୍‌ଲିଙ୍ଗଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ସେହିପରି ଋଷଭ ପନ୍ତ ବି ନିରାଶ କରିଥିଲେ। ପ୍ରଥମ ଇନିଂସ୍ ଭଳି ଦ୍ୱିତୀୟ ଇନିଂସ୍‌ରେ ବି ସେ ଫେଲ୍ ମାରିଥିଲେ। ପ୍ରଥମ ଇନିଂସ୍‌ରେ ୧୨ ରନ୍ କରି ଆଉଟ୍ ହୋଇଥିବା ବେଳେ ଏହି ଇନିଂସ୍‌ରେ ୪ ରନ୍ କରିଥିଲେ।

ରବୀନ୍ଦ୍ର ଜାଡ଼େଜା ୧୬ ରନ୍ କରି ଅପରାଜିତ ରହିଥିବା ବେଳେ ଦୁଇ ବୋଲର ମହମ୍ମଦ ଶାମି ଓ ଯଶପ୍ରୀତ୍ ବୁମ୍ରା ଯଥାକ୍ରମେ ୫ ଓ ୪ ରନ୍ କରିଥିଲେ। ଟିମ୍ ସାଉଦୀଙ୍କ ବଲ୍‌ରେ ଟମ୍ ବ୍ଲଣ୍ଡେଲ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ଶାମି। ଅନ୍ୟପକ୍ଷରେ ବୁମ୍ରା ରନ୍ ଆଉଟ୍ ହୋଇଥିଲେ।

ଦଳର ୧୧ ଜଣ ସଦସ୍ୟଙ୍କ ମଧ୍ୟରୁ ୭ ଜଣ ଏକ ଅଙ୍କ ପାର କରି ପାରି ନଥିଲେ। ପୃଥ୍ୱୀ ଶ’ଙ୍କ ସହ ଓପନିଂ କରିବାକୁ ଆସିଥିବା ମୟଙ୍କ ଅଗ୍ରୱାଲ୍ ୩ ରନ୍‌ରେ ଆଉଟ୍ ହୋଇଥିବା ବେଳେ ଆଜିଙ୍କ୍ୟ ରାହାଣେ ୯, ଉମେଶ ଯାଦବ ୧, ହନୁମା ବିହାରୀ ୯, ଋଷଭ ପନ୍ତ ୪, ମହମ୍ମଦ ଶାମି ୫ ଓ ଯଶପ୍ରୀତ୍ ବୁମ୍ରା ୪ ରନ୍ କରି ଆଉଟ୍ ହୋଇଥିଲେ। ସେହିପରି ପୃଥ୍ୱୀ ଶ’ ୧୪ ରନ୍ କରି ଆଉଟ୍ ହୋଇଥିବା ବେଳେ ଚେତେଶ୍ୱର ପୂଜାରା ୮୮ଟି ବଲ୍‌ର ସମ୍ମୁଖୀନ ହୋଇ ୨୪ ରନ୍ କରିଥିଲେ। ଅଧିନାୟକ ବିରାଟ କୋହଲି ୩୦ଟି ବଲ୍‌ର ସମ୍ମୁଖୀନ ହୋଇ ୧୪ ରନ୍ କରି ଆଉଟ୍ ହୋଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୧୬ ରନ୍ କରି ଅପରାଜିତ ରହିଥିଲେ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଟିମ୍ ସାଉଦୀ ୩ଟି, କଲିନ୍ ଡି’ଗ୍ରାଣ୍ଡହୋମ୍ ଓ ନିଲ୍ ୱାଗନର୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

୧୩୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲ୍ୟାଣ୍ଡ ଟିମ୍ ୩୬ ଓଭରରେ ୩ ୱିକେଟ୍ ହରାଇ ଏହାକୁ ହାସଲ କରି ନେଇଥିଲା। ଓପନର୍ ଟମ୍ ଲାଥମ ଓ ଟମ୍ ବ୍ଲଣ୍ଡେଲ୍‌ ଭଲ ଖେଳିଥିଲେ। ଦୁହେଁ ଅର୍ଦ୍ଧଶତକ ହାସଲ କରିଥିଲେ। ଲାଥମ୍ ୫୨ ରନ୍ (୭୪ ବଲ୍‌, ୧୦ ଚୌକା) କରି ଆଉଟ୍ ହୋଇଥିବା ବେଳେ ବ୍ଲଣ୍ଡେଲ୍ ୫୫ ରନ୍‌ (୧୧୩ ବଲ୍‌, ୮ ଚୌକା, ୧ ଛକା) କରିଥିଲେ। ଉମେଶ ଯାଦବଙ୍କ ବଲ୍‌ରେ ଋଷଭ ପନ୍ତଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ ଲାଥମ। ଅଧିନାୟକ କେନ୍ ୱିଲିୟମସନ୍‌ ପୁଣି ଖରାପ ଖେଳିଥିଲେ। ପ୍ରଥମ ଇନିଂସ୍‌ରେ ୩ ରନ୍ କରି ଆଉଟ୍ ହୋଇଥିବା ୱିଲିୟମସନ୍ ଏହି ଇନିଂସ୍‌ରେ ୫ ରନ୍ କରିଥିଲେ। ପ୍ରଥମ ଇନିଂସ୍ ଭଳି ଏହି ଇନିଂସ୍‌ରେ ବି ସେ ଯଶପ୍ରୀତ୍ ବୁମ୍ରାଙ୍କ ଶିକାର ହୋଇଥିଲେ। ବୁମ୍ରାଙ୍କ ଏକ ବଲ୍‌ରେ ସେ ଆଜିଙ୍କ୍ୟ ରାହାଣେଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଦଳୀୟ ସ୍କୋର ୧୨୧ରେ ପହଞ୍ଚିଥିବା ବେଳେ ବ୍ଲଣ୍ଡେଲ୍ ଆଉଟ୍ ହୋଇଥିଲେ। ଯଶପ୍ରୀତ୍ ବୁମ୍ରା ତାଙ୍କୁ ବୋଲ୍ଡ କରି ଦେଇଥିଲେ। ରସ୍ ଟେଲର୍‌ ଓ ହେନରୀ ନିକୋଲସ୍ ୫ ରନ୍ ଲେଖାଏ କରି ଶେଷ ଯାଏ ଅପରାଜିତ ରହିଥିଲେ ଓ ମ୍ୟାଚ୍ ଜିତାଇଥିଲେ।

ଭାରତ ପକ୍ଷରୁ ଯଶପ୍ରୀତ୍ ବୁମ୍ରା ଦୁଇଟି ୱିକେଟ୍ ନେଇଥିବା ବେଳେ ଉମେଶ ଯାଦବ ଗୋଟିଏ ୱିକେଟ୍ ନେଇଥିଲେ। ଏହି ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ୫ଟି ୱିକେଟ୍ ନେଇଥିବା କାଇଲ ଜେମିସନ୍‌ଙ୍କୁ ‘ମ୍ୟାନ୍‌ ଅଫ୍ ଦ ମ୍ୟାଚ୍’ ପ୍ରଦାନ କରାଯାଇଛି। ସେହିପରି ପୂରା ସିରିଜ୍‌ରେ ସବୁ ଇନିଂସ୍‌ରେ ଭଲ ବୋଲିଂ କରି ୧୪ଟି ୱିକେଟ୍ ହାତେଇ ଥିବାରୁ ଟିମ୍ ସାଉଦୀଙ୍କୁ ‘ମ୍ୟାନ୍ ଅଫ୍‌ ଦ ସିରିଜ୍‌’ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ଭାରତୀୟ ଟିମ୍‌ର ନ୍ୟୁଜିଲ୍ୟାଣ୍ଡ ଗସ୍ତର ପ୍ରାରମ୍ଭ ବେଶ୍ ବଢ଼ିଆ ଥିଲା। ଦଳ ୫-୦ରେ ଟି-ଟ୍ୱେଣ୍ଟି ସିରିଜ୍‌କୁ ଜିତି ଯାଇଥିଲା। କିନ୍ତୁ ଏହା ପରେ ଦିନିକିଆ ସିରିଜ୍ ହାରି ଯାଇଥିଲା। ଘରୋଇ ଦଳ ୩-୦ରେ ଦିନିକିଆ ସିରିଜ୍ ଜିତିଥିବା ବେଳେ ୨-୦ରେ ଟେଷ୍ଟ୍ ସିରିଜ୍ ପୋଛି ନେଇଛି।

 



from Odisha Reporter https://ift.tt/2TddQBV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages