ନୂଆଦିଲ୍ଲୀ: ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ। ବୁଧବାର ଭାରତୀୟ ପାଣିପାଗ ବିଭାଗ ଏହି ସୂଚନା ଦେଇଛି। କରୋନା ପାଇଁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ହେଲେ ସ୍ୱାଭାବିକ ମୌସୁମୀ ବର୍ଷା ଚାଷୀଙ୍କ ଖୁସିକୁ ଦୁଇ ଗୁଣିତ କରିବ ବୋଲି ପାଣିପାଗ ବିଭାଗ କହିଛି। ଚଳିତ ବର୍ଷ ବର୍ଷାର ପରିମାଣ ୯୬%ରୁ ୧୦୪% ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ କହିଛି।
ଏହି ବର୍ଷା ହାରାହାରି ୧୦୦ ପ୍ରତିଶତ ହେବ। ବୈଷୟିକ ତ୍ରୁଟି ପାଇଁ ୫ ପ୍ରତିଶତ ତ୍ରୁଟି ହୋଇପାରେ ବୋଲି ପ୍ରେସମିଟରେ ବିଭାଗୀୟ ସଚିବ ମାଧବନ ରାଜୀବନ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ-ପଶ୍ଚିମରେ ମୌସୁମୀ ଛୁଇଁବ। ଜୁନ୍ ୧ରେ ମୌସୁମୀ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ କହିଛି। ସେହିପରି ଚେନ୍ନାଇରେ ଜୁନ୍ ୪, ପାଣାଜିରେ ଜୁନ ୭, ହାଇଦ୍ରାବାଦରେ ଜୁନ ୮, ପୁଣେରେ ୧୦ ଏବଂ ମୁମ୍ୱାଇରେ ୧୧ ତାରିଖରେ ମୌସୁମୀ ପହଂଚିବ। ୧୩ରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ଆକଳନ ହୋଇଥିବାବେଳେ ଜୁନ ୨୭ରେ ରାଜଧାନୀ ଦିଲ୍ଲୀକୁ ମୌସୁମୀ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି।
ଓଡ଼ିଶା ସହ ଉତ୍ତର ଭାରତକୁ ସାମାନ୍ୟ ବିଳମ୍ବରେ ମୌସୁମୀ ଆସିବ ବୋଲି ଜଣାପଡ଼ିଛି। ଉତ୍ତର ପୂର୍ବାଞ୍ଚଳରେ ଧାର୍ଯ୍ୟ ସମୟଠାରୁ ଶୀଘ୍ର ମୌସୁମୀ ଆସିବ ବୋଲି ସୂଚନା ରହିଛି। ୧୫ ଜୁଲାଇ ବଦଳରେ ଜୁଲାଇ ୮ରେ ଉତ୍ତର-ପୂର୍ବାଞ୍ଚଳ ଛୁଇଁବ ମୌସୁମୀ ବୋଲି ସେ କହିଛନ୍ତି।
ପାଣିପାଗ ବିଭାଗ ଲଙ୍ଗ ରେଞ୍ଜ ଫୋରକାଷ୍ଟ (ଏଲଆରଏଫ) ମାଧ୍ୟମରେ ମୌସୁମୀ ନେଇ ଆକଳନ କରିଛି। ପ୍ରଥମେ ଏପ୍ରିଲ ମାସରେ ଏବଂ ଦ୍ୱିତୀୟରେ ଜୁନ ମାସରେ ପାଣିପାଗ ବିଭାଗ ମୌସୁମୀ ନେଇ ସୂଚନା ଦେବ। ସାଧାରଣତଃ ଭାରତରେ ୭୦ ପ୍ରତିଶତ ବର୍ଷା ହୋଇଥିବା ମୌସୁମୀ ବେଳେ। ଯାହାକି ଜୁନରୁ ଆରମ୍ଭ ହୋଇ ସେପ୍ଟେମ୍ୱରରେ ଶେଷ ହୋଇଥାଏ। ଏହି ମୌସୁମୀ ବେଳେ ଚାଷୀ ଧାନ, ଗହମ, ଆଖୁ ଓ ତୈଳବୀଜ ଆଦି ବିଭିନ୍ନ ଚାଷ କରିଥାଏ।
from Odisha Reporter https://ift.tt/2yWUc5u
No comments:
Post a Comment