ଅହମଦାବାଦ: କରୋନା ଆକ୍ରାନ୍ତ ଗୁଜରାଟର କଂଗ୍ରେସ ବିଧାୟକ ଇମ୍ରାନ ଖେଡାଓ୍ୱାଲାଙ୍କ ସଂସ୍ପର୍ଶରେ ଆସିଥିବାରୁ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ସପ୍ତାହକ ପାଇଁ ଏକାନ୍ତବାସରେ ରହିବେ। ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି। ସେ ନିଜ ଆଡୁ ଏକାନ୍ତବାସରେ ରହିବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ରହିଛି। କରୋନା ଆକ୍ରାନ୍ତ ବିଧାୟକ ଜଣଙ୍କ ମଙ୍ଗଳବାର ବିଜୟ ରୂପାଣୀ ଓ ଦୁଇ ମନ୍ତ୍ରୀଙ୍କ ସହ ବୈଠକ କରିଥିଲେ। ଏହି ସମୟରେ କିନ୍ତୁ ସମସ୍ତେ ସାମଜିକ ଦୂରତ୍ୱ ରକ୍ଷା କରିଥିଲେ। ଏମିତିକି ମୁହଁରେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହାପରେ ସଂପୃକ୍ତ କଂଗ୍ରେସ ବିଧାୟକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
ବିଧାୟକ ଜଣଙ୍କ କରୋନା ପରୀକ୍ଷା କରିଥିବା ନେଇ କୌଣସି ସୂଚନା ଦେଇନଥିବାରୁ ମୁଖ୍ୟମନ୍ତ୍ରୀ ରୂପାଣୀଙ୍କ ସହ ବୈଠକ କରିଥିଲେ। ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅସନ୍ତୋଷ ପ୍ରକାଶ କରିଛି। ବିଧାୟକ ଇମ୍ରାନ୍ ଯେଉଁ ଅଞ୍ଚଳରୁ ବିଧାୟକ ଭାବରେ ପ୍ରତିନିଧିତ୍ୱ କରୁଛନ୍ତି ସେହି ଅଞ୍ଚଳ କରୋନାରେ ସଂକ୍ରମିତ। ତେଣୁ ଜମାଲପୁର-ଖଡିଆରରେ କର୍ଫ୍ୟୁ ଲାଗୁ ହୋଇଛି।
ବିଧାୟକ ଇମ୍ରାନ ଖେଡାଓ୍ୱାଲାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚାଲିଛି। ଅହମ୍ମଦାବାଦରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାରୁ ଅନେକ ଅଞ୍ଚଳକୁ ହଟସ୍ପଟ ଭାବେ ଘୋଷଣା କରାଯାଇଛି।
ଗୁଜରାଟରେ ୬୫୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୫୬୩ ଜଣ ଚିକିତ୍ସାଧୀନ ରହିଛନ୍ତି। ୫୯ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳେ ୨୮ ଜଣଙ୍କର ମୃତ୍ୟୁ ଘଟିଛି।
from Odisha Reporter https://ift.tt/2xySLtN
No comments:
Post a Comment