ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୪ ରାତି ୮ଟାରେ ୨୧ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ଘରକୁ ନଯାଇପାରି ଅନେକ ଦିନ ମଜୁରିଆ ଏବଂ ଶ୍ରମିକ ଶ୍ରେଣୀର ଲୋକମାନେ ରାସ୍ତାକୁ ପଳାଇ ଆସିଛନ୍ତି। ଏହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଜାତିସଂଘ ମାନବାଧିକାର କମିଶନର ମୁଖ୍ୟ ମିଚେଲେ ବଚେଲେଟ୍।
‘ଲକ୍ଡାଉନ୍ ପାଇଁ ଭାରତରେ ପରିବହନ ସେବା ବାଧାପ୍ରାପ୍ତ ହୋଇଛି। ସାଧାରଣ ଲୋକ, ଶ୍ରମିକ ଓ ଦିନ ମଜୁରିଆ ବିଭିନ୍ନ ସ୍ଥାନରେ କାମ କରିବାକୁ ଯାଇ ନିଜ ଘର ପହଞ୍ଚି ପାରିନାହାନ୍ତି। କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ସରକାରଙ୍କ ପଦକ୍ଷେପ ପ୍ରଶଂସାର ଯୋଗ୍ୟ। ନିକଟରେ ଭାରତର ସୁପ୍ରିମକୋର୍ଟ ମଧ୍ୟ ଦିନ ମଜୁରିଆଙ୍କ ବାବଦରେ ଚିନ୍ତା ପ୍ରକଟ କରିଥିଲେ। ଏହାପରେ ସମସ୍ତ ବାସହରା, ଗରିବ ଶ୍ରେଣୀର ଲୋକଙ୍କୁ ପ୍ରଚୁର ପରିମାଣରେ ଖାଦ୍ୟ, ପାନୀୟ ବ୍ୟବସ୍ଥା କରାଇବା ପାଇଁ କହିଥିଲେ’। ଯାହାକି ପ୍ରଶଂସାଯୋଗ୍ୟ ବୋଲି ଜାତିସଂଘ ମାନବାଧିକାର କମିଶନର ମୁଖ୍ୟ ମିଚେଲେ ବଚେଲେଟ୍ ଗୁରୁବାର ଜେନେଭାରେ କହିଛନ୍ତି।
ଏବେ ସମଗ୍ର ମାନବଜାତି ଜଟିଳ ପରିସ୍ଥିତି ଦେଇ ଗତି କରୁଛି। କରୋନାର ମୁକାବିଲା କରିବାକୁ ଯାଇ ଅନେକ ଦେଶ ଲକ୍ଡାଉନ୍ ରହିଛି। ତେଣୁ ଭାରତ ଯେଉଁ ପଦକ୍ଷେପ ନେଇଛି ତାହା ଆଗାମୀ ଦିନରେ ସଫଳ ହେଉ ବୋଲି ଜାତିସଂଘ ମାନବାଧିକାର କମିଶନର ଅଧ୍ୟକ୍ଷ ଆଶା ରଖିଛନ୍ତି।
ସୂଚନାଯୋଗ୍ୟ, ନିକଟରେ ଦିଲ୍ଲୀରୁ ମଧ୍ୟପ୍ରଦେଶ ଚାଲି ଚାଲି ଯାଉଥିବା ବେଳେ ଜଣେ ହୋଟେଲ କର୍ମଚାରୀ ଉତ୍ତର ପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଜାତୀୟ ରାଜପଥରେ ମୃତ୍ୟୁ ବରଣ କରିଥିଲେ। ଭୋକିଲା ରହିବା ସହିତ ଥକି ଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଏଭଳି ଆହୁରି ଅନେକ ଖବର ଲକ୍ଡାଉନ୍ ବେଳେ ଦେଖିବାକୁ ମିଳିଛି। ଯାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଜାତିସଂଘ ମାନବାଧିକାର କମିଶନର ମୁଖ୍ୟ।
from Odisha Reporter https://ift.tt/3aQIhVb
No comments:
Post a Comment