ଭୁବନେଶ୍ୱର(ପ୍ରଜ୍ଞା ଚୌଧୁରୀ): ପ୍ରତି ଦିନ ଲକଡାଉନ ଖବର ଶୁଣି ଶୁଣି ଆଉ ପଢ଼ି ପଢ଼ି ଆପଣ ବିରକ୍ତ ହୋଇଯାଉଥିବେ ନିଶ୍ଚୟ। ହେଲେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ବର୍ତ୍ତମାନ ଲକଡାଉନ୍ ନିତାନ୍ତ ଆବଶ୍ୟକ। ଆଉ ଏହାକୁ ପାଳନ କରିବା ସମାଜରେ ଯେଉଁମାନଙ୍କ ପାଇଁ ସବୁଠାରୁ କଷ୍ଟକର ସେମାନେ ମଧ୍ୟ ଏ କଥା ବୁଝି ସରକାରଙ୍କ ନିର୍ଦ୍ଦେଶ ପାଳନ କରୁଛନ୍ତି। ହେଲେ ସମୟ ସମୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ଶିକ୍ଷିତ ସମାଜର ଭଦ୍ର ଲୋକଙ୍କ ପାଖରେ।
୨୧ ଦିନିଆ ଲକଡାଉନ ରାଜ୍ୟରେ ଏବେ ଏପ୍ରିଲ ୩୦ ଯାଏ ଘୁଞ୍ଚିଲା। ଏଣୁ କେହି ଘରୁ ବାହାରିପାରିବେ ନାହିଁ। ସାରା ରାଜ୍ୟ ତଥା ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ନା ଶୁଭୁଛି ଗାଡ଼ି ଶବ୍ଦ, ନା ଜମୁଛି ଟ୍ରାଫିକ୍। ଖାଁ ଖାଁ ରାସ୍ତା ଘାଟ। ବହୁତ କିଛି ବଦଳିଯାଇଥିବା ବେଳେ କିନ୍ନରଙ୍କ ତାଳି ମଧ୍ୟ ଆଉ ଶୁଣିବାକୁ ମିଳୁନି। ସେମାନେ ନା ଭିକ ମାଗି ପାରୁଛନ୍ତି ଆଉ ନା ଛକରେ ଠିଆ ହୋଇ ଗ୍ରାହକ ଖୋଜିବାକୁ ଅଛି ସୁବିଧା।
ସମାଜରେ ସବୁବେଳେ କିନ୍ନରଙ୍କୁ ଉଚିତ୍ ସମ୍ମାନ ମିଳି ନ ଥାଏ। ହେଲେ ମଣିଷପଣିଆ ଢ଼େର ସେମାନଙ୍କର। ପେଟପାଟଣା ପାଇଁ ରାଜଧାନୀର ପ୍ରମୁଖ ଛକଗୁଡ଼ିକରେ ବା ପାର୍କ, ସିନେମା ହଲ୍ ନିକଟରେ ଠିଆ ହୋଇ ପୁରୁଷଙ୍କଠାରୁ ଟଙ୍କା ମାଗି ଏମାନେ ଗୁଜୁରାଣ ମେଣ୍ଟାଇଥାନ୍ତି। ଟ୍ରେନ୍ ଭିତରେ ଯାତ୍ରୀଙ୍କ ସାମ୍ନାରେ ତାଳି ବଜାଇ ବେଶ ଦୁଇ ପଇସା ଯୋଗାଡ଼ କରିଦିଅନ୍ତି। ହେଲେ ଏବେ ଲକଡାଉନ୍ ପାଇଁ ସବୁ କିଛି ହୋଇପଡ଼ିଛି ଠପ୍। କେତେ ଘୃଣା, ଗାଳି ସହି ହାତ ପତେଇ ଦୀର୍ଘ ଦିନରୁ ଯାହା ସଞ୍ଚୟ କରି ରଖିଥିଲେ, ସେତକରେ ଏବେ ଜୀବିକା ଚାଲିଛି।
ପ୍ରାକୃତିକ ବିପର୍ୟ୍ୟୟ ହେଉ ବା ବର୍ତ୍ତମାନ ବିଶ୍ୱ ମହାମାରୀ ସମୟ ହେଉ। ରାଜ୍ୟ ଉପରେ ଏପରି ବିପତ୍ତି ପଡ଼ିଲେ ଯେଉଁମାନେ ଅଧିକ ପ୍ରଭାବିତ ହୋଇଥାନ୍ତି, ସେମାନଙ୍କ ମଧ୍ୟରୁ କିନ୍ନର ଶ୍ରେଣୀ ଅନ୍ୟତମ। ରାଜ୍ୟରେ ପ୍ରାୟ ୨୨ ହଜାର କିନ୍ନର ରହିଛନ୍ତି। ତେବେ କେବଳ ରାଜଧାନୀରେ ୨ହଜାରରୁ ଅଧିକ। ସ୍ମାର୍ଟ ସିଟିର ବିଭିନ୍ନ ବସ୍ତି ଅଞ୍ଚଳ ଯଥା ନୀଳାଦ୍ରି ବିହାର ସୁଇଟି ବସ୍ତି, ନୟାପଲ୍ଲୀରେ ମେନକା ବସ୍ତି, ଡୁମଡୁମାରେ ରାଣୀ ଓ ମେଘନା ବସ୍ତି, ନବୀନ ନିବାସ ପାଖରେ ମୀରା ବସ୍ତି, ଶହୀଦନଗରରେ ସୋନମ ବସ୍ତି, ବାଣୀବିହାରରେ ମାଧୁରୀ ବସ୍ତି ଭଳି ସ୍ଥାନରେ ଏହି କିନ୍ନରମାନେ ବସବାସ କରନ୍ତି। ଅଧିକାଂଶ କିନ୍ନର ଭିକ୍ଷା ବୃତ୍ତି କରି ବା ଦେହ ବ୍ୟବସାୟ କରି ଅର୍ଥ ଉପାର୍ଜନ କରିଥାନ୍ତି।
ସେହି ସଞ୍ଚିତ ଅର୍ଥରେ ଏବେ ଜନସଚେତନା କରିବା ସହ ନିଜ ଆବଶ୍ୟକତା ପୂରଣ କରୁଛନ୍ତି କିନ୍ନର ମେନକା। ଏଭଳି ଏକ ଚିନ୍ତାଜନକ ପରିସ୍ଥିତିରେ ସରକାରଙ୍କ ନିର୍ଦ୍ଦେଶକୁ ବସ୍ତି ବାସିନ୍ଦାଙ୍କଠାରେ ପହଞ୍ଚାଉଛନ୍ତି। ଅନ୍ୟ ଗରିବ ଲୋକ ତଥା ପଶୁପକ୍ଷୀଙ୍କୁ ମଧ୍ୟ ଖାଇବାକୁ ଦେଉଛନ୍ତି। ଲୋକଙ୍କୁ ଲକଡାଉନ୍ ନିର୍ଦ୍ଦେଶ ମାନିବାକୁ ବୁଝାଉଛନ୍ତି। ରୋଜଗାର ଠପ୍ ହୋଇଯାଇଥିବା ବେଳେ ସ୍ୱଳ୍ପ ସଞ୍ଚିତ ଧନ କିନ୍ନରମାନଙ୍କୁ ଆଉ କେତେଦିନ ସହାୟ ହେବ ସେ ନେଇ ତାଙ୍କର ଚିନ୍ତା ଲାଗିରହିଛି। ଏବେ ଭିକ ବି ମାଗିବା ସମ୍ଭବ ନୁହେଁ। ଏଣୁ ରାଜ୍ୟ ସରକାର କିନ୍ନରମାନଙ୍କୁ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି। ତେବେ ଯେଉଁମାନଙ୍କ ଆଧାର କାର୍ଡ ଓ ରାସନ କାର୍ଡ ରହିଛି ସେମାନଙ୍କୁ ୧୫୦୦ ଟଙ୍କା ସହାୟତା ରାଶି ମିଳିଥିବାରୁ କେନ୍ଦ୍ର ସରକାରଙ୍କୁ ସେ ଧନ୍ୟବାଦ ଦେଇଛନ୍ତି।
ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱଚ୍ଛତା ଓ ସାମାଜିକ ଦୂରତ୍ୱକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏଭଳି ସ୍ଥଳେ ବସ୍ତିରେ ରହୁଥିବା କିନ୍ନର ତଥା ଅନ୍ୟ ଗରିବ ଶ୍ରେଣୀର ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ପରିବେଶ ସ୍ୱଚ୍ଛ କରିବା ଆବଶ୍ୟକ। କାରଣ ସେମାନେ ରହୁଥିବା ସ୍ଥାନର ପାରିପାର୍ଶ୍ୱିକ ସ୍ଥିତି କାହାକୁ ବା ଅଛପା! ରାଜ୍ୟରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ୱରକୁ ଲୋକେ ଚୀନର ଉହାନ ସହର ଭାବେ ମଣିଲେଣି। ଏଭଳି ସ୍ଥଳେ ପରିସ୍ଥିତି ବିଗିଡ଼ିବା ଆଗରୁ ସ୍ୱଚ୍ଛତା କାମ ଆରମ୍ଭ କରିଦେବାର ଆବଶ୍ୟକତା ରହିଛି। ନଚେତ୍ ଥରେ ଏହି ସବୁ ସ୍ଥାନରେ ଥରେ ସଂକ୍ରମଣ ହୋଇଗଲେ ସରକାରଙ୍କୁ ସ୍ଥିତି ଅସମ୍ଭାଳ ହୋଇପଡ଼ିବ।
from Odisha Reporter https://ift.tt/3a6Pjny
No comments:
Post a Comment