ଘର ବାହାରେ କରୋନା, ଘର ଭିତରେ ଯନ୍ତ୍ରଣା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 3, 2020

ଘର ବାହାରେ କରୋନା, ଘର ଭିତରେ ଯନ୍ତ୍ରଣା…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ସାରା ଦୁନିଆ ନୋଭେଲ୍ କରୋନା ଭୂତାଣୁ ସହ ଲଢ଼ୁଛି। ଭାରତ ସମେତ ବିଶ୍ୱର ୨୦୨ଟି ଦେଶ ଏବେ କେବଳ କୋଭିଡ୍-୧୯ର ନିରାକରଣ ତଥା ନିବାରଣ ବାଟ ଖୋଜୁଛନ୍ତି। ହେଲେ ଭାରତ ପାଇଁ ଏ ଲଢ଼େଇ ଏତେ ସହଜ ନୁହେଁ। ବିଶ୍ୱର ଏହି ଦ୍ୱିତୀୟ ଜନବହୁଳ ଦେଶରେ ଘରୁ ବାହାରିଲେ କରୋନା ଭୟ ଆଉ ଘର ଭିତରେ ଘରୋଇ ହିଂସାର ଭୟ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। କରୋନା ସହ ଦେଶ ଲଢ଼େଇ ଜିତିବାର ପ୍ରୟାସ ଜାରି ରଖିଥିବା ବେଳେ ଘରେ ବନ୍ଦ ରହି ମହିଳାମାନେ ଘରୋଇ ହିଂସାର ଶିକାର ହେଉଛନ୍ତି। ଏହା ହେଉଛି ଲକଡାଉନ୍ ସମୟରେ ଆମ ଦେଶର ଅସଲି ଚିତ୍ର।

ପ୍ରକାଶଯୋଗ୍ୟ, ଗତ ୨୪ ତାରିଖରେ ଭାରତରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ସାରା ଦେଶକୁ ୨୧ ଦିନ ପାଇଁ ଲକଡାଉନ୍ ଘୋଷଣା କଲେ। ଏବେ ଏହି ଲକଡାଉନ୍ ମହିଳାମାନଙ୍କ ପାଇଁ କାଳ ସାଜିଛି। ତାଲାବନ୍ଦ ହେବା ଯୋଗୁ ସମସ୍ତଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ମହିଳାଙ୍କ ପ୍ରତି ଘରୋଇ ହିଂସା, ଦୁର୍ବ୍ୟବହାର ତଥା ବିଭିନ୍ନ ପ୍ରକାର ନିର‌୍ୟାତନା ବୃଦ୍ଧି ପାଇଛି, ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜାତୀୟ ମହିଳା କମିଶନ। କମିଶନଙ୍କ ସୂଚନା ଅନୁଯାୟୀ ଇତିମଧ୍ୟରେ ୨୫୦ରୁ ଊର୍ଦ୍ଧ୍ବ ମାମଲା ତାଙ୍କର ହସ୍ତଗତ ହୋଇଛି।

ଜାତୀୟ ମହିଳା କମିଶନଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦେଶବ୍ୟାପୀ ଲକଡାଉନ ଲାଗୁ ହେବା ପରଠାରୁ ୨୫୭ଟି ଅଭିଯୋଗ ହସ୍ତଗତ ହୋଇଛି। ସେଥିମଧ୍ୟରୁ ୬୯ଟି ଘରୋଇ ହିଂସା ସମ୍ପର୍କୀତ ମାମଲା ରହିଛି। ଏଭଳି ମାମଲାରେ ଆଶାତୀତ ବୃଦ୍ଧିକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା। ଏକ ତୁଳନାତ୍ମକ ଚିତ୍ର ଭାବେ ଅଧ୍ୟକ୍ଷା ଶର୍ମା କହିଛନ୍ତି ଯେ, ମାର୍ଚ୍ଚ ୨ରୁ ୮ ମଧ୍ୟରେ ୩୦ଟି ଘରୋଇ ହିଂସା ଅଭିଯୋଗ ଦାଖଲ ହୋଇଥିବା ବେଳେ, ମାର୍ଚ୍ଚ ୨୩ରୁ ୩୦ ଭିତରେ ୫୮ଟି ଅର୍ଥାତ୍ ପ୍ରାୟ ୨ଗୁଣ ଅଭିଯୋଗ ଦାଖଲ ହୋଇଛି। ଉତ୍ତର ପ୍ରଦେଶ ଓ ଦିଲ୍ଲୀରୁ ଅଧିକ ଅଭିଯୋଗ ଆସିଛି। ତେବେ ସବୁଠାରୁ ରୋଚକ ବିଷୟ ହେଉଛି, ଲକଡାଉନ୍ ବେଳେ ଦୁଷ୍କର୍ମ, ଦୁଷ୍କର୍ମ ଉଦ୍ୟମ ଓ ଯୌତୁକ ନିର‌୍ୟାତନା ଭଳି ଅଭିଯୋଗ ମାତ୍ରା କମିଛି।

ସୂଚନା ଥାଉ କି, ମାର୍ଚ୍ଚ ୨୪ ପରଠାରୁ ଦିନକୁ ଦିନ ଘରୋଇ ହିଂସା ଜନିତ ଅଭିଯୋଗ ବୃଦ୍ଧି ପାଉଛି। ଅନ୍ୟପଟେ ଘରୋଇ ହିଂସା ନେଇ ଅଧିକାଂଶ ମହିଳା ଅଭିଯୋଗ କରିବାକୁ ମଧ୍ୟ ଭୟ କରୁଛନ୍ତି। ତେବେ ମହିଳାମାନେ ପୋଲିସ ନିକଟକୁ ଯିବାକୁ ଡରୁଛନ୍ତି କାରଣ ସେମାନେ ଭାବୁଛନ୍ତି ଏପରି କଲେ ପୋଲିସ ସେମାନଙ୍କ ସ୍ୱାମୀଙ୍କୁ ବାନ୍ଧି ନେଇଯିବ ଏବଂ ଶାଶୁଘର ଲୋକେ ଏନେଇ ତାଙ୍କୁ ଅଧିକ ନିର‌୍ୟାତନା ଦେବେ। ସେହିପରି ଅଧିକାଂଶ ମହିଳା ଲକଡାଉନ ସ୍ଥିତି ଥିବାରୁ ପୋଲିସ ଷ୍ଟେସନରେ ପହଞ୍ଚିବାକୁ ସକ୍ଷମ ହେଉନାହାନ୍ତି। ଏହାବ୍ୟତୀତ ଅନେକ ମହିଳା ପୋଲିସ ନିକଟରେ ଅଭିଯୋଗ ହିଁ କରିବାକୁ ଚାହୁଁନାହାନ୍ତି। କାରଣ ଥରେ ଥାନାରୁ ମୁକୁଳିଗଲା ପରେ ସେମାନଙ୍କ ସ୍ୱାମୀ ଆଉ ତାଙ୍କୁ ଘରେ ରହିବାକୁ ଦେବେନାହିଁ ଏବଂ ଅକଥନୀୟ ଅତ୍ୟାଚାର କରିବେ।

ଲକଡାଉନ ପୂର୍ବରୁ ଏଭଳି ପରିସ୍ଥିତି ଉପୁଜିଲେ ମହିଳାମାନେ ବାପଘରକୁ ଚାଲିଯାଉଥିଲେ। କିନ୍ତୁ ଏବେ ସେ ସୁଯୋଗ ବି ସେମାନଙ୍କୁ ମିଳିପାରୁ ନାହିଁ ଓ ସ୍ବାମୀ ଘରେ ରହୁଥିବାରୁ ସେମାନେ ଥାନାକୁ ଯିବାକୁ ମଧ୍ୟ ଡରୁଛନ୍ତି ବୋଲି ମହିଳା କମିଶନ ଅଧ୍ୟକ୍ଷା କହୁଛନ୍ତି।

ଯେଉଁଠି ଦେଶର ଏଭଳି ସ୍ଥିତି, ଏଠାରେ କରୋନା ଲଢ଼େଇ କେତେ ସହଜ ହେବ ଚିନ୍ତା କରନ୍ତୁ। ହୁଏତ ୨୧ ଦିନର ଲକଡାଉନ ଅବଧି ଧନୀ ବର୍ଗଙ୍କୁ ମଜା ମସ୍ତିରେ ଖରାଛୁଟି କଟେଇବା ଭଳି ଲାଗୁଥାଇପାରେ। ହେଲେ ମଧ୍ୟବିତ୍ତ ତଥା ନିମ୍ନ ମଧ୍ୟବିତ୍ତଙ୍କଠାରୁ ଗରିବ ମହିଳାଙ୍କ ପାଇଁ ଏହା ନିର‌୍ୟାତନାର ସମୟ ପାଲଟିଛି। ଆର୍ଥିକ ସ୍ୱଚ୍ଛଳତା ନ ଥିବା ଘରେ ଆଜି ଚାରି ପ୍ରହର ଅଧିକା ଖାଦ୍ୟ ସରୁଛି। ସଭିଏଁ ଏକାଠି ହେବା ଫଳରେ ଘରର ବୋହୂଟି ଆଜି ଅଧିକ ନିର‌୍ୟାତନା ସହୁଛି। ଅଭିଯୋଗ ତ ଦୂରର କଥା ଘରୁ ବାହାରି ଗଲେ ଆଗକୁ କ’ଣ? ବୋଲି ନିଜକୁ ପ୍ରଶ୍ନ କରି ପଣତକାନିରେ ଲୁହ ପୋଛିବା ଛଡ଼ା ଆଉ ତା’ପାଖେ ଅନ୍ୟ ବାଟ ନାହିଁ।

ଦେଶରେ ୨୧ ଦିନର ତାଲାବନ୍ଦ ଭିତରେ ଯଦି ଏଭଳି ମାତ୍ରାରେ ମାମଲା ସାମ୍ନାକୁ ଆସୁଛି, ଆଉ ଦିନକୁ ଦିନ ଏହା ବୃଦ୍ଧି ପାଇବାରେ ବି ଲାଗିଛି। ତା’ହେଲେ ଦେଶ କାହା ସାଙ୍ଗେ ଲଢ଼ିବ? କରୋନା ସହ ନା ମହିଳାଙ୍କ ପ୍ରତି ହିଂସା ସହ?



from Odisha Reporter https://ift.tt/2UFEHXW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages