ନୂଆଦିଲ୍ଲୀ: ଲକଡାଉନ୍ ବେଳେ ବିଭିନ୍ନ ରାଜ୍ୟରେ ଫସି ହୋଇ ରହିଥିବା ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟକୁ ପଠାଇ ଦିଆଯିବା ଦରକାର କି ନାହିଁ ସେ ନେଇ ଆଜି ସୁପ୍ରିମକୋର୍ଟ ନିକଟରେ କେନ୍ଦ୍ର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। କୌଣସି ମତେ ପ୍ରବାସୀ ଶ୍ରମିକଙ୍କୁ ପରିବାର ଲୋକଙ୍କ ପାଖକୁ ପଠାଯିବା ଉଚିତ ନୁହେଁ ବୋଲି କେନ୍ଦ୍ର କହିଛି।
ଯଦି ପଠାଯିବ, ତାହେଲେ କରୋନା ଯୁଦ୍ଧର ଅନ୍ତିମ ସମୟରେ ଦେଶର ସ୍ଥିତି ଆହୁରି ଖରାପ ହୋଇପାରେ। କାରଣ କରୋନା କବଳରୁ ଦେଶର ଗାଁ ଗୁଡ଼ିକ ମୁକ୍ତ ରହିଛି। ତେଣୁ ଯେଉଁଠି ପ୍ରବାସୀ ରହିଛନ୍ତି ସେଠାରେ ତାଙ୍କୁ ରହିବାକୁ ପଡ଼ିବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏନଜିଓ ମାନଙ୍କ ସହିତ ମିଶି ପ୍ରବାସୀ ଶ୍ରମିକଙ୍କ କଥା ବୁଝୁଛନ୍ତି। ଏହା ସହିତ ଗାଁରେ ସେମାନଙ୍କ ପରିବାର କଥା ମଧ୍ୟ ବୁଝିବାକୁ ଚେଷ୍ଟା କରାଯାଉଛି ବୋଲି ଗୃହ ମନ୍ତ୍ରଣାଳୟ ଷ୍ଟାଟସ ରିପୋର୍ଟ ଦାଖଲ କରିବା ବେଳେ କହିଛି।
ସାରା ଦେଶରେ ୩୭,୯୭୮ଟି ଆଶ୍ରୟ ସ୍ଥଳ ପ୍ରତିଷ୍ଠା କରାଯାଇଛି। ୧୪.୩ ଲକ୍ଷ ଲୋକ ଏହି ଆଶ୍ରୟ ସ୍ଥଳରେ ରହୁଛନ୍ତି। ୨୬, ୨୨୫ଟି ଖାଇବା କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ୧. ୩୪ କୋଟି ଲୋକ ଏହି ଖାଇବା କ୍ୟାମ୍ପ ଜରିଆରେ ଉପକୃତ ହେଉଛନ୍ତି। ସେହିପରି ବିଭିନ୍ନ କମ୍ପାନୀରେ କାନ କରୁଥିବା ୧୬.୫ ଲକ୍ଷ କର୍ମଚାରୀଙ୍କୁ ଉଭୟ ଆଶ୍ରୟ ସ୍ଥଳ ଏବଂ ଖାଇବା ବ୍ୟବସ୍ଥା ସରକାର ଯୋଗାଇଛନ୍ତି ବୋଲି ଗୃହ ମନ୍ତ୍ରଣାଳୟ କହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ୍ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରୁଥିବା ବେଳେ ଗୃହ ମନ୍ତ୍ରଣାଳୟ ଏହି ରିପୋର୍ଟ ଦାଖଲ କରିଛି।
ସୂଚନାଯୋଗ୍ୟ, ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ବଢ଼ିବା ପରେ ମୁମ୍ୱାଇରେ ପ୍ରବାସୀ ଶ୍ରମିକ ମାନେ ଆସି ରେଲଓ୍ୱେ ଷ୍ଟେସନରେ ଭିଡ ଜମାଇଥିଲେ। ସେମାନଙ୍କୁ ତାଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚାଯାଉ ବୋଲି ଦାବି କରିଥିଲେ। ଏହାପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ତାଙ୍କ ସରକାର ଏ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଖୁବଶୀଘ୍ର ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘରେ ଛଡ଼ାଯିବ।
from Odisha Reporter https://ift.tt/3bK6MUq
No comments:
Post a Comment