ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ଏପ୍ରିଲ୍ ୧୫ ତାରିଖ ଠାରୁ ରାଜ୍ୟରେ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍। ଏହା ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ୍ ତୁଳନାରେ ଏହି ପର୍ଯ୍ୟାୟରେ କିଛି କଟକଣାକୁ କୋହଳ କରାଯାଇଛି। ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ ଜେନା ଭୁବନେଶ୍ୱରର ଗୀତଗୋବିନ୍ଦ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସବିଶେଷ ତଥ୍ୟ ଦେଇଛନ୍ତି।
ପ୍ରଥମ ପର୍ଯ୍ୟାୟରେ କେବଳ ଜରୁରୀ ସେବା ଓ କିଛି ଅତ୍ୟାବଶ୍ୟକ ସାମଗ୍ରୀକୁ କଟକଣାରୁ ମୁକ୍ତ ରଖାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ କିଛି କ୍ଷେତ୍ରକୁ ଏଥିରେ ସାମିଲ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାରେ କୃଷି କ୍ଷେତ୍ରକୁ ବହୁଳମାତ୍ରାରେ କଟକଣାମୁକ୍ତ କରାଯାଇଛି। ଚାଷ କାର୍ଯ୍ୟଠୁ ଆରମ୍ଭ କରି ବିହନ, ସାର ନେବା ଆଣିବା କରିବା, ମଣ୍ଡିକୁ ଯିବା ଓ ପୋଖରୀ ଆଦି ଖୋଳିବା କାର୍ଯ୍ୟକୁ କଟକଣା ମୁକ୍ତ କରାଯାଇଛି। ସେହିପରି କେନ୍ଦୁପତ୍ର ତୋଳାଠୁ ଆରମ୍ଭ କରି ଏହା ସହିତ ଜଡ଼ିତ ଅନ୍ୟାନ୍ୟ କାର୍ଯ୍ୟ, ମନରେଗା କାର୍ଯ୍ୟ, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ପାଇଖାନା ନିର୍ମାଣ, ବିଜୁ ପକ୍କା ଘର ଯୋଜନାରେ ନିର୍ମାଣ କାର୍ଯ୍ୟ ଆଦିକୁ ଚାଲୁ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ରାଜଧାନୀବାସୀଙ୍କ ଲାଗି କିଛି କଟକଣା କୋହଳ କରାଯାଇ ନାହିଁ।
ଏନେଇ ଶ୍ରୀ ଜେନା କହିଛନ୍ତି, ରାଜ୍ୟର ସର୍ବାଧିକ କରୋନା ଆକ୍ରାନ୍ତ ଭୁବନେଶ୍ୱର ସହରରୁ ବାହାରିଛନ୍ତି। ସେହିଭଳି ଏଠାରେ କୃଷି କାର୍ଯ୍ୟ ବି ହେଉ ନାହିଁ। ସେଥିପାଇଁ ଭୁବନେଶ୍ୱର ସହରରେ ଲକ୍ଡାଉନ୍ ନିୟମରେ କୋହଳ ହେବନି। ତେବେ ଏହା ପାଇଁ କିଛି ଅଲଗା ନିୟମ ଆଣିବା ପାଇଁ ଚିନ୍ତା କରାଯାଉଛି।
from Odisha Reporter https://ift.tt/3eh3hq6
No comments:
Post a Comment