ଢେଙ୍କାନାଳ(ରାଜଶ୍ରୀ ଶତପଥୀ): “ମୁଁ ହେଲି କରୋନା। ଯେଉଁମାନେ ନିୟମ କାନୁନ ଭାଙ୍ଗିବେ, ଟିକେ ଫାଙ୍କ ପାଇଲେ ତାଙ୍କ ଦେହରେ ପଶିଯିବି। ତା’ ପରେ ଖିନଭିନ କରି ତାଙ୍କୁ ଯମପୁରକୁ ପଠାଇବି।” ଢେଙ୍କାନାଳବାସୀ ବହୁ ସତର୍କ। ହେଲେ କିଛି ବଗୁଲିଆ ମଜା ଦେଖିବା ପାଇଁ କିଛି କାମ ନ ଥାଇ ବି ଆସି ବଜାର ଘାଟରେ ବୁଲୁଛନ୍ତି। ସେମାନଙ୍କୁ ସତର୍କ କରାଇ ଦେଉଛି। ମୁଁ ହେଉଛି କରୋନା। ଯେଉଁମାନେ କଥା ନ ମାନିବେ ତାଙ୍କୁ ଖାଇଦେବି।” ଢେଙ୍କାନାଳ ସହର ବଜାରରେ ଆଜି ଗର୍ଜନ କରି ଏପରି ଭାବେ ଲୋକଙ୍କୁ ସଚେତନ କରୁଥିଲା କରୋନା।
କେବଳ କରୋନା ନୁହେଁ, ତା’ ସହ ରାସ୍ତାଘାଟରେ ଯମରାଜ ମଧ୍ୟ ବୁଲୁଛନ୍ତି। ଲୋକଙ୍କୁ କରୋନାର ଭୟାବହତା ସମ୍ପର୍କରେ ବୁଝାଉଛନ୍ତି, ଯେଉଁମାନେ ସରକାରଙ୍କ ନିୟମ ନ ମାନିବେ ସେମାନଙ୍କୁ ଯମପୁରକୁ ନେଇଯିବାର ଧମକ ବି ଦେଉଛନ୍ତି। ଏଭଳି ଅଭିନବ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ଢେଙ୍କାନାଳ ସହରରେ।
ସ୍ଥାନୀୟ ବିଧାୟକଙ୍କ ନେତୃତ୍ଵରେ ଲୋକଙ୍କୁ ସଚେତନତାର ବାର୍ତ୍ତା ପହଞ୍ଚାଇବା ପାଇଁ ଚାଲି ଚାଲି ଡୋର୍ ଟୁ ଡୋର୍, ଦୋକାନରୁ ଦୋକାନ ବୁଲିଲେ ଯମ ଓ କରୋନା। ଏଥିସହ କରୋନା ପାଇଁ ଆବଶ୍ୟକୀୟ ସଚେତନତା ମଧ୍ୟ ସୃଷ୍ଟି କରିଛନ୍ତି। ଯମରାଜ କହିଛନ୍ତି, “ଆଜି ମଇଁଷି ଆଣିନି, ସାଙ୍ଗରେ କରୋନାକୁ ଆଣିଛି। ଟିକିଏ ଫାଙ୍କ ପାଇଲେ କରୋନା ମାଡ଼ି ବସିବ।”
ଏଥିସହିତ କରୋନାଠୁ ରକ୍ଷା ପାଇବାକୁ ସଚେତନ ରହିବାକୁ ମଧ୍ୟ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ମାସ୍କ ପିନ୍ଧିବା ସହ, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ବୁଝାଇଛନ୍ତି। ଏଥିସହ ଥଣ୍ଡା, ଜ୍ୱର ହେଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି ଯମରାଜ।
ସ୍ଥାନୀୟ ବିଧାୟକ ସୁଧୀର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏପରି ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏ ସମ୍ପର୍କରେ ବିଧାୟକ କହିଛନ୍ତି, ସରକାର ପ୍ରତିଦିନ ଆଡଭାଇଜରୀ ଜାରି କରୁଛନ୍ତି। ତଥାପି କିଛି ବଗୁଲିଆ ଲୋକ ଆଇନ ନ ମାନି ବଜାରରେ ବୁଲୁଛନ୍ତି। ବହୁ ଲୋକ ସଚେତନ ହୋଇଥିବା ବେଳେ କିଛି ଲୋକ ଏବେ ବି ବୁଝିବା ସ୍ଥିତିରେ ପହଞ୍ଚି ନାହାନ୍ତି।
from Odisha Reporter https://ift.tt/35aQmBT
No comments:
Post a Comment