ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଏପ୍ରିଲ ୨୩ ତାରଖ ରାତି ୧୦ଟାରୁ ୬୦ ଘଣ୍ଟା ପର୍ଯ୍ୟନ୍ତ ଶଟ୍ଡାଉନ୍ ଘୋଷଣା କରାଯାଇଥିଲା। ଗତକାଲି ସକାଳ ୧୦ଟାରେ ଜିଲ୍ଲାରୁ ଶଟ୍ଡାଉନ୍ ଉଠିଥିଲା। ଏହାପରେ ଜିନିଷ କିଣିବା ପାଇଁ ଗାଁଠୁ ସହର ପର୍ଯ୍ୟନ୍ତ ଅଧିକାଂଶ ଲୋକ ବଜାରକୁ ଆସି ଗହଳି ଜମାଇଥିଲେ। ଉଭୟ ଦୋକାନୀ ଓ ଗ୍ରାହକ ସାମାଜିକ ଦୂରତ୍ୱ ଭୁଲି ଯାଇଥିଲେ। ଫଳରେ ଲୋକମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପୁଲିସ୍ ତାଗିଦ୍ କରିଥିଲା। ହେଲେ କେହି ଶୁଣି ନଥିଲେ। ତେଣୁ ଗହଳି ଭାଙ୍ଗିବାକୁ ପୁଲିସ୍କୁ ନାକେଦମ ହେବାକୁ ପଡ଼ିଥିଲା। ପୁଲିସ୍ ବିଭିନ୍ନ ଛକରେ ବ୍ୟାରିକେଡ୍ କରି ଲୋକଙ୍କୁ ଘଉଡ଼ାଇଥିଲା। ଏହାସହ ଲକ୍ଡାଉନ୍ କଟକଣା ଉଲ୍ଲଙ୍ଘନ କରିଥିବାରୁ ୧୦୦ଟି ବାଇକ୍ ଜବତ କରିଥିଲା। ଏହାସହ ଉକ୍ତ ବାଇକ୍ ଚାଳକମାନଙ୍କ ନିକଟରୁ ୧ଲକ୍ଷରୁ ଅଧିକ ଟଙ୍କା ଜରିମାନା ଆଦାୟ କରିଥିଲା।
ଅନ୍ୟପକ୍ଷରେ ଭଦ୍ରକ ସହର ମଧ୍ୟରେ ଗହଳି ହେଉଥିବାରୁ କଚେରୀ ବଜାରରେ ବସୁଥିବା ପରିବା ବଜାରକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହି ସ୍ଥାନରେ ଆଉ ଦୋକାନୀମାନେ ବସି ପାରିବେ ନାହିଁ। ସେମାନଙ୍କ ପାଇଁ ସହରର ଚାରିଘରିଆ ନିକଟରେ ପ୍ରଶାସନ ପକ୍ଷରୁ ସ୍ଥାନ ନିରୂପଣ କରାଯାଇଛି। ସମସ୍ତ ଜନସାଧାରଣ ସାମାଜିକ ଦୂରତ୍ୱ ନିୟମ ମାନିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।
from Odisha Reporter https://ift.tt/3cOzWS9
No comments:
Post a Comment