ଅକ୍ଷୟ ତୃତୀୟାର ନୂଆ ସଂକଳ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 26, 2020

ଅକ୍ଷୟ ତୃତୀୟାର ନୂଆ ସଂକଳ୍ପ

ସବ୍ୟସାଚୀ ଅମିତାଭ
ଅକ୍ଷୟ ତୃତୀୟା ଏକ ସର୍ବଭାରତୀୟ କୃଷିଭିତ୍ତିକ ମୁଖ୍ୟ ପର୍ବ। ଆମ ଉତ୍କଳୀୟ ଜନଜୀବନରେ ସମସ୍ତ ପ୍ରକାରର ଶୁଭକାର୍ଯ୍ୟ ଆରମ୍ଭର ଦିନ ହେଉଛି ଅକ୍ଷୟ ତୃତୀୟା। ବିଶ୍ୱାସ ରହିଛି, ଏହି ଦିନ ସତ୍ୟଯୁଗର ପ୍ରାରମ୍ଭ ହେବା ସହ ଦେବତାମାନେ ଜୀବଜଗତର ବଞ୍ଚିବାର ମାଧ୍ୟମ କୃଷି କାର୍ଯ୍ୟକୁ ଏହିଦିନ ଆରମ୍ଭ କରି ମର୍ତ୍ୟବାସୀ ମାନବମାନଙ୍କୁ କୃଷିଶିକ୍ଷା ପ୍ରଦାନ କରିଥିଲେ। ପରମବିଷ୍ଣୁଙ୍କର ଷଷ୍ଠ ଅବତାର ଭଗବାନ ପର୍ଶୁରାମଙ୍କର ତଥା ଗୀତଗୋବିନ୍ଦର ରଚୟିତା ପବିତ୍ର ପ୍ରାଚୀ ଅବବାହିକାରେ ଜନ୍ମିତ ଶ୍ରୀଜୟଦେବଙ୍କର ଜୟନ୍ତୀ ଉତ୍ସବ ମଧ୍ୟ ଏହି ଦିବସରେ ପାଳିତ ହୋଇଥାଏ। କଥାରେ ଅଛି- ଯେ କୌଣସି ଶୁଭକାମ ଏହି ଦିନ ଆରମ୍ଭ କରାଗଲେ ବିନା ବିଘ୍ନରେ ତାହା ସଂପାଦିତ ହୋଇଥାଏ। ଉତ୍କଳୀୟଙ୍କ ପ୍ରାଣ ଶ୍ରୀଜଗନ୍ନାଥଙ୍କର ପବିତ୍ର ଶ୍ରୀଗୁଣ୍ଡିଚା ରଥ ନିର୍ମାଣ କାମ, ଚନ୍ଦନ ଉତ୍ସବ, ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବ ଜୀଉଙ୍କର ରଥ କାମ ତଥା ରେବତୀ ମାଆଙ୍କ ସହ ତାଙ୍କର ବିବାହ ଉତ୍ସବ, କୃଷକମାନଙ୍କର ଅକ୍ଷିମୁଠି ଅନୁକୁଳ ଆଦି ସମସ୍ତ ମାଙ୍ଗଳିକ କାମ ପବିତ୍ର ଅକ୍ଷୟ ତୃତୀୟାରେ ପାଳିତ ହୋଇଥାଏ। କୃଷକର ବିହନ ମୁଠାକ ମାଆ ଧରିତ୍ରୀ କୋଳରେ ଅକ୍ଷୟ ଭାବେ ଧାରଣ କରି ଉତମ ଉତ୍ପାଦନ ପ୍ରଦାନ ପାଇଁ ପ୍ରତ୍ୟେକ କୃଷିଜୀବୀ ପରିବାର ଏହି ଦିନିରେ ନିଷ୍ଠାର ସହ ଭୂମି ପୂଜନ କରିଥାନ୍ତି।

ଧାନ ଆମ ରାଜ୍ୟର ମୁଖ୍ୟ ଫସଲ ହୋଇଥିବାରୁ ଅକ୍ଷିମୁଠି ହିସାବରେ ଧାନକୁ ମହାଲକ୍ଷ୍ମୀଙ୍କ ସ୍ୱରୂପ ଭାବେ ଗ୍ରହଣ କରାଯାଇ ସେହିଦିନ ଧାନରେ ହିଁ ମୁଠି ଅନୁକୁଳ କରାଯାଏ। ଧାନବିହନ ବୁଣିବାର ପ୍ରକୃଷ୍ଟ ସମୟ ହେଉଛି ବୈଶାଖ ଶୁକ୍ଲ ତୃତୀୟା ଠାରୁ ସାବିତ୍ରୀ ଅମାବାସ୍ୟା ପର୍ଯ୍ୟନ୍ତ। ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଭଲ ଭାବେ ଖରାଟିଆ ଚାଷ ହେଲେ ଜମିରୁ ଘାସଲଟା ମରିଯାଏ। ଅନିଷ୍ଠକାରୀ ରୋଗ, ପୋକମାନଙ୍କର ବଂଶବୃଦ୍ଧି ପ୍ରତିହତ ହୋଇ ବାୟୁମଣ୍ଡଳରୁ ଅମ୍ଲଜାନ ଜମିରେ ପ୍ରବେଶ କରି ଫସଲର ଉପକାରୀ ଅଣୁଜୀବମାନଙ୍କ ବଂଶବିସ୍ତାର ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥାଏ । ଖରାଟିଆ ଚାଷ ଦ୍ୱାରା ମାଟିର ସାନ୍ଧ୍ରତା କମିବା ସହ ଅମ୍ଲତ୍ୱ ହ୍ରାସ ଘଟେ ଓ ବର୍ଷା ଜଳଧାରଣ ଶକ୍ତି ବଢ଼େ । ଏହାଦ୍ୱାରା ମାଟିର ଆବଶ୍ୟକ ଉଷ୍ମତା ସୁରକ୍ଷିତ ରହେ ଓ ବ୍ୟବହୃତ ଖତ କମ୍ପୋଷ୍ଟ ଆଦି ମାଟିର ସବୁସ୍ତରରେ ମିଶିଯାଏ । କର୍ଷିତ ମାଟିରେ ବିହନ ବୁଣାଗଲେ ପ୍ରାକ୍ ମୌସୁମୀ ବର୍ଷାରେ ଧାନଗଛ ଶୀଘ୍ର ଗଜା ହୋଇ ଦୀର୍ଘ ଓ ସବଳ ଚେର ଦେଇ ଭଲ ବଢେ । ଆଗରୁ ଗଛ ବଢୁଥୁବାରୁ ଠିକ୍ ସମୟରେ ଅନ୍ତଃଚାଷ ଓ ବେଉଷଣ ହୋଇପାରେ । ଆବଶ୍ୟକ ସ୍ଥଳେ ବର୍ଷାର ଅନିୟମିତତା ଘଟିଲେ ବି ଧାନ ଫସଲ ଅନେକ ଦିନ ମରୁଡ଼ିର ମୁକାବିଲା କରିପାରେ। ସେଥିପାଇଁ ଅକ୍ଷୟ ତୃତୀୟା ସମୟରେ ପ୍ରକୃତି ମାଆ ସତେ ଯେପରି ଝିଙ୍କାରୀର ଝିଂ ଝିଂ ଶବ୍ଦଦ୍ୱାରା ଚାଷୀକୁ ଚେତାଇ ଦିଏ ‘ଚାଷୀ ଭାଇ ଧାନ ବୁଣ ! ଚାଷୀ ଭାଇ ଧାନ ବୁଣ !’

ଆମ ପରମ୍ପରାରେ ପ୍ରଚଳିତ ପର୍ବ ପାଳନର ବିଧିବିଧାନ ଆଜି ନୁହେଁ, ଆଦିମ ଯୁଗରୁ ବୈଶାଖ ଶୁକ୍ଲ ତୃତୀୟାକୁ ଅକ୍ଷୟ ତୃତୀୟା ପର୍ବ ଭାବେ କୃଷକ ପାଳନ କରିଆସୁଛି । ସେଥିପାଇଁ ଋକ୍ ବେଦ, ବରାହ ସଂହିତା ଓ ଆମ ପ୍ରଚଳିତ ପୁରାଣଗୁଡିକରେ ଅକ୍ଷୟ ତୃତୀୟା ପାଳନ ବାବଦରେ ସୂଚନା ରହିଛି । ଅକ୍ଷୟ ତୃତୀୟା ପାଳନର ପୂର୍ବ ଦିନ ରାତିରୁ କୃଷକ ଓ କୃଷକର ଗୃହିଣୀ ଉଭୟେ ପବିତ୍ରତା ପାଳନ ପୂର୍ବକ ଅନୁକୂଳ ବେଢା ଓ ଗୌଣୀକୁ ଧୋଇ ସୁଖାଇ ପିଠଉ ଚିତାରେ ଚିତ୍ରିତ କରନ୍ତି । ହଳ ଓ ଜୁଆଳୀରେ ବି ଚିତା ଲଗାନ୍ତି । ସକାଳୁ କୁଆ କା କରିବା କ୍ଷଣି କୃଷକ ଶୌଚ ହୋଇ ନୂତନ ଶ୍ୱେତବସ୍ତ୍ର ପରିଧାନ କରି ଠେକାଭିଡି ଇଷ୍ଟ ସ୍ମରଣ କରି ଧାନ ବିହନ ଓଳିଆରୁ ମୁଠି ଅନୁକୂଳ ପାଇଁ ଉଦ୍ଦିଷ୍ଟ ଶ୍ୱେତଧାନ ବିହନ ଚିତାଲଗା ଅନୁକୂଳ ବେତାକୁ ଅଜାଡି ଥାନ୍ତି ।

ଧାନବେତା ମଧ୍ୟରେ ଧାନବିହନ ପୂର୍ଣ୍ଣ ଗୌଣୀଟି ରଖି ଏକ ଶ୍ୱେତବସ୍ତ୍ରଦ୍ୱାରା ଆବୃତ କରି ମୁଣ୍ଡରେ ମୁଣ୍ଡାଇ ଅନୁକୂଳ କରିବାର ବିଧି ରହିଛି । ଏହି ବେତା ମଧ୍ୟରେ ପୂଜା ସାମଗ୍ରୀ, ଲଙ୍ଗଳ ଲୁହା, ଭୋଗରାଗ ଆଜି ସଜାଇ ରଖାଯାଇଥାଏ । କୃଷକ ଗୃହିଣୀର ହୁଳହୁଳି ଓ ଶଙ୍ଖଧ୍ୱନି ମଧ୍ୟରେ କୃଷକ ସମସ୍ତ ଅନୁକୂଳ ଦ୍ରବ୍ୟ ମୁଣ୍ଡାଇ ମୁଠି ଅନୁକୂଳ ପାଇଁ ବିଲ ଅଭିମୁଖେ ଯାଇଥାନ୍ତି । ବିଲର ପୂର୍ବଦିଗରେ ଲଙ୍ଗଳ ଲୁହା ରଖି ପାଣିଛିଞ୍ଚି ବସୁଧା ମାତାର ପୂଜନ କରାଯାଏ । ପରେ ଧୂପଦୀପ, ପୁଷ୍ପ ଓ ନୈବେଦ୍ୟ ପ୍ରଦାନ କରି ନଡିଆ ଭାଙ୍ଗି ମାଟି ମାଆକୁ ଅର୍ପଣ କରାଯାଏ । ବସୁଧା ମାତାଙ୍କ ସହ ଅନ୍ନଦାତ୍ରୀ ମାଆ ଲକ୍ଷ୍ମୀ, ଜଳଦାତା ଇନ୍ଦ୍ର ଓ ସୂର୍ଯ୍ୟାଦି ଦଶ ଦିଗପାଳଙ୍କ ଉଦ୍ଦେଶ୍ୟରେ ପୂଜାସ୍ଥାନ ପରିକ୍ରମା କରି ଐଶାନ୍ୟ କୋଣରେ ୩ ମୁଠା ଅକ୍ଷିମୁଠି ବପନ କରି ଘରକୁ ଫେରିଥାଏ ଚାଷୀଭାଇ ।

ଅକ୍ଷୟ ତୃତୀୟା ପ୍ରତିଟି କୃଷକ ପରିବାର ପାଇଁ ଏକ ପବିତ୍ରତା, ପ୍ରସନ୍ନତା ଓ ଆଶା ଆକାଂକ୍ଷାର ପର୍ବ । ଗାଁ ଗଣ୍ଡା ସହର ବଜାରରେ ଏହି ଦିନରେ ନୂଆ ଘର, ମନ୍ଦିର ପ୍ରତିଷ୍ଠା କରାଯାଏ । ଏହି କୃଷିଭିତିକ ଆଦ୍ୟ ପର୍ବକୁ ସରକାରୀ ଭାବେ କୃଷକ ଦିବସ ଭାବେ ପାଳନ କରାଯାଉଛି । ହେଲେ ଦୁଃଖର କଥା ବର୍ତମାନ ସମୟରେ କୃଷକର ଭାଗ୍ୟ ଅକ୍ଷୟ ନ ହୋଇ କ୍ଷୟ ହେବାରେ ଲାଗିଛି । ଚାଷରୁ ଆଶାଜନକ ସୁଫଳ ମିଳୁନଥିବାରୁ ଚାଷୀ ଚାଷ ଛାଡି ଏବେ ଦାଦନ ଖଟିବାକୁ ଯାଉଛି । ଜମିକୁ ଜଳ, ଚାଷ ପାଇଁ ବିହନ, ସାର ତଥା ବିକ୍ରି ପାଇଁ ବଜାର ତା ମୁଣ୍ଡରେ ଏବେ ଚଡ଼କ ପାଲଟୁଛି । କୃଷିଋଣର ଚାପ ବେଳେବେଳେ ତାକୁ ଆତ୍ମହତ୍ୟା ପାଇଁ ବାଟ କଢେଇ ନେଉଛି । ଏ ସବୁର ସମାଧାନ କଣ, ସେଥିପାଇଁ ସମସ୍ତଙ୍କୁ ଚିନ୍ତା କରିବାକୁ ପଡିବ ।

କୃଷି ଓ କୃଷକ ଆମ ଅର୍ଥନୀତିର ମେରୁଦଣ୍ଡ କହିଲେ ଭୁଲ୍ ହେବନି । ସେମାନଂକ ପ୍ରତି ଅବହେଳା ଅକ୍ଷମଣୀୟ ଅପରାଧ । ଫଳ, ପନିପରିବା, ମାଛ, ଅଣ୍ଡା ଆଦି ପାଇଁ ଆଉ କେତେଦିନ ଆମେ ପଡୋଶୀ ରାଜ୍ୟମାନଂକ ଉପରେ ନିର୍ଭରଶୀଳ ରହିବା । ପ୍ରଶ୍ନ ଉଠେ- ଆମ ଚାଷୀ, ଆମ ମାଟି, ଆମ ପାଣି ପବନ, ଆମ ପରିଚାଳନା କଣ ଏତେ ଦୁର୍ବଳ ଓ ଅକ୍ଷମ ? କାହିଁକି ଜୈବିକ କୃଷି, ମିଶ୍ରିତ କୃଷି, ମହୁଚାଷ, ଜିଆଚାଷ, ଔଷଧୀୟ ଭେଷଜ ଚାଷ, କୃଷିବନୀକରଣ, ରୋଗପୋକ ନିୟନ୍ତ୍ରଣ, ଉନ୍ନତ ବିହନ ଉତ୍ପାଦନ, ଚାଷ ପାଇଁ ଆବଶ୍ୟକ ସହଜ ସରଳ ଜ୍ଞାନ, ସରକାରୀ ପ୍ରୋତ୍ସାହନ ବିଷୟରେ ଚାଷୀ ପାଖରେ ପୂର୍ଣ୍ଣ ଜ୍ଞାନ ନାହିଁ । ଆମ କୃଷିକୁ ଆମ କୃଷକଙ୍କୁ ନୂତନ ମାର୍ଗ ଦର୍ଶନ, ନୂତନ ଆଶା ଭରସା ଦେବା ପାଇଁ ସବୁସ୍ତରରେ ଉଦ୍ୟମ ହେବା ଦରକାର । ଏହା ହିଁ ଅକ୍ଷୟ ତୃତୀୟାର ସଂକଳ୍ପ ହେଉ ।

ଅହଲ୍ୟା ଡୁପ୍ଲେକ୍ସ, ହାଉସ୍ ନମ୍ବର-୮, ପଟିଆ, ଭୁବନେଶ୍ୱର
ମୋ-୯୪୩୮୨୯୬୫୧୯



from Odisha Reporter https://ift.tt/3eQpUSz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages