ସୋର(ଶଶିକାନ୍ତ ବେହେରା): ମହାରାଷ୍ଟ୍ରରୁ ଫେରିଥିବା ୬ ପ୍ରବାସୀ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବାକୁ ମନା କରିବାରୁ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ବାଜିପୁର ଗାଁରେ ଗତ ରାତିରୁ ଏପରି ସ୍ଥିତି ଉପୁଜିଥିବା ବେଳେ ଏହାର ସମାଧାନ ନିମନ୍ତେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନ ଥିବା ଜଣାଯାଇଛି। ଫଳରେ ଉକ୍ତ ୬ ପ୍ରବାସୀ ନିଜ ନିଜ ଘରେ ରହିଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମବାସୀ ଗତ ରାତିରୁ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିବା ସହ ଟାୟାର ଜାଳି ବିକ୍ଷୋଭ ପ୍ରକଦର୍ଶନ କରୁଛନ୍ତି ।
ସୂଚନା ମୁତାବକ, ମହାରାଷ୍ଟ୍ରରେ ରହୁଥିବା ବାଜିପୁର ଗାଁର ୬ ଜଣ କାର୍ ଯୋଗେ ଗତକାଲି ରାତିରେ ଗାଁରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ୩ ଜଣ ପୁରୁଷ,୨ ମହିଳା ଓ ଜଣେ ଶିଶୁ ଅଛନ୍ତି। ଗାଁରେ ପହଞ୍ଚିବା ପରେ ଗ୍ରାମବାସୀ ସେମାନଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବାକୁ କହିଥିଲେ। ମାତ୍ର ସେମାନେ ଘରେ ରହିବେ ବୋଲି କହିବା ସହ ସେଣ୍ଟର ଯିବାକୁ ମନା କରି ଦେଇଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଉକ୍ତ ୬ ଜଣ ୨ ପରିବାର ସଦସ୍ୟ ହୋଇଥିବା ବେଳେ ସେମାନେ କାଲିଠୁ ନିଜ ଘରେ ରହିଛନ୍ତି। ଏଥିଯୋଗୁ ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ଗ୍ରାମବାସୀ ଭୟଭୀତ ହେବା ସହ ସେମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଗାଁ ଲୋକେ ଗତକାଲିଠୁ ଗାଁକୁ ସଂଯୋଗ କରୁଥିବା ୫ଟି ରାସ୍ତାକୁ ଅବରୋଧ କରିଛନ୍ତି। ମହାରାଷ୍ଟ୍ରରୁ ଫେରିଥିବା ଉକ୍ତ ପ୍ରବାସୀମାନେ କ୍ୱାରେଣ୍ଟାଇନ୍ରେ ନରହିବା ଯାଏଁ ରାସ୍ତା ଅବରୋଧ ଜାରି ରଖିବାକୁ ଗାଁ ଲୋକେ ଜିଦ୍ରେ ଅଡ଼ି ବସିଥିଲେ।
ଏହି ସମସ୍ୟା ସମ୍ପର୍କରେ ବିଡିଓ, ତହସିଲଦାରଙ୍କଠାରୁ ଆରମ୍ଭ କରି ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଗ୍ରାମବାସୀ ଅବଗତ କରାଇଥିଲେ ମଧ୍ୟ କାହାରି ଦେଖା ମିଳୁନି। ଏପରିକି ଏହା ତୁମ ଗାଁର ସମସ୍ୟା, ତୁମେ ସମାଧାନ କର ବୋଲି ସରପଞ୍ଚ କହିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଆଜି ସୁଦ୍ଧା ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ ଘଟଣାର ସମାଧାନ ହୋଇପାରିନି। ଉକ୍ତ ପ୍ରବାସୀମାନେ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଯିବା ପରେ ହିଁ ସେମାନେ ଆନ୍ଦୋଳନରୁ ଓହରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
from Odisha Reporter https://ift.tt/36A18T7
No comments:
Post a Comment