ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭୂତାଣୁ କବଳରୁ ରକ୍ଷା ପାଇବାର ଅନ୍ୟତମ ପ୍ରଭାବୀ ଉପାୟ ହେଉଛି ମୁହଁରେ ମାସ୍କ ପିନ୍ଧିବା। ସେଥିପାଇଁ ଘରୁ ବାହାରକୁ ଯାଉଥିବା ଲୋକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଏଭଳି ସ୍ଥିତିରେ ଦେଶରେ ମାସ୍କ ଚାହିଦା ମେଂଟାଇବା ଉଦ୍ଦେଶ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ମହିଳାମାନେ ମାସ୍କ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏହି ମହିଳାମାନେ ଦେଶର କରୋନା ବିରୋଧୀ ଲଢ଼େଇରେ ଜଣେ ଜଣେ ଅଗ୍ରଣୀ ଯୋଦ୍ଧା ପାଲଟିଛନ୍ତି।
ଏହି କ୍ରମରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଏଚଜି ସଦସ୍ୟାମାନଙ୍କୁ ନେଇ ମୋଟ ୪ ଲକ୍ଷ ମାସ୍କ ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଛି। ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରଠାରେ ଏସଏଚଜି ସଦସ୍ୟାମାନେ ମାସ୍କ ସିଲେଇ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୫ରୁ ୨୦ ଦିନ ମଧ୍ୟରେ ୧ ଲକ୍ଷ ମାସ୍କ ତିଆରି କରାଯିବ।
ବିଭିନ୍ନ ଏସଏଚଜି ଗ୍ରୁପର ପାଖାପାଖି ୫୦ ଜଣ ସଦସ୍ୟା ଦୈନିକ ହାରାହାରି ୨୫୦୦ ମାସ୍କ ତିଆରି କରୁଛନ୍ତି। ଏହାଦ୍ୱାରା ଜିଲ୍ଲାରେ ମାସ୍କ ଚାହିଦାକୁ ପୂରଣ କରାଯିବା ସମ୍ଭବପର ହେବା ସହିତ ଲକ୍ଡାଉନ ସମୟରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ରୋଜଗାରର ପନ୍ଥା ମିଳିଯାଇଛି।
ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାର ରାଜ୍ୟରୁ ଓଡ଼ିଶାକୁ ଫେରୁଥିବା ଲୋକଙ୍କୁ ଦୁଇଟି ଲେଖାଏଁ ମାସ୍କ ଯୋଗାଇ ଦିଆଯିବ। ଏହି ଉଦ୍ଦେଶ୍ୟରେ ମାସ୍କ ତିଆରି ଚାଲିଛି ବୋଲି ଗଜପତି ଜିଲ୍ଲାପାଳ ଅନୁପମ ଶାହା କହିଛନ୍ତି।
from Odisha Reporter https://ift.tt/3aPy5va
No comments:
Post a Comment