କୁଚିଣ୍ଡା(ଦେବେନ୍ଦ୍ର ବେହେରା): କରୋନା ଡରରେ ରାନ୍ଧୁଣିଆ ଆସିଲା ନାହିଁ। ଶେଷରେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ପ୍ରବାସୀଙ୍କ ମୁହଁରେ ଦାନା ଦେବାକୁ ନିଜେ ଚୁଲି ମୁହଁରେ ଛିଡ଼ା ହେଲେ ଜିଲ୍ଲାପାଳ କ୍ଷମତା ପାଇଥିବା ସରପଞ୍ଚ। କେବଳ ଏତିକି ନୁହେଁ, ନିଜେ ରୋଷେଇ କରି ପ୍ରବାସୀଙ୍କୁ ଖାଇବାକୁ ଦେବା ସହ ଯୋଗ ମଧ୍ୟ ଶିଖାଉଛନ୍ତି । ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ୍ ବକ୍ସମା ପଞ୍ଚାୟତ ସରପଞ୍ଚ ରତନୁ କିଷାନଙ୍କ ଏପରି ପଦକ୍ଷେପ ଯୋଗୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।
କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଉଛି। ଆଉ ଏହି ସେଣ୍ଟରରେ ସେମାନଙ୍କ ପାଇଁ ରହିବା ଓ ଖାଇବାର ବ୍ୟବସ୍ଥା ମଧ୍ୟ କରାଯାଉଛି। ତେବେ ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ୍ ବକ୍ସମା ପଞ୍ଚାୟତରେ ହୋଇଥିବା ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ସରପଞ୍ଚ ରତନୁ କିଷାନ ନିଜେ ରୋଷେଇ କରି ଅନ୍ତେବସୀଙ୍କ ଖାଇବାକୁ ଦେଉଛନ୍ତି।
ଏହି ସେଣ୍ଟରରେ ୧୦୦ରୁ ଅଧିକ ପ୍ରବାସୀ ଶ୍ରମିକ ରହୁଛନ୍ତି। ତେବେ ଏହି ସେଣ୍ଟର ପାଇଁ ନିୟୋଜିତ ଥିବା ରାନ୍ଧୁଣିଆ କରୋନା ଭୟରେ ଆସୁନାହିଁ। ତେଣୁ ଅନ୍ତେବାସୀଙ୍କ ଖାଇବା ଓ ପିଇବାରେ ଯେପରି ଅସୁବିଧା ନହେବ ସେଥିପାଇଁ ସରପଞ୍ଚ ରତନୁ କିଷାନ ନିଜେ ରୋଷେଇ କରି ସେମାନଙ୍କୁ ଖାଇବାକୁ ଦେଉଛନ୍ତି। ତାଙ୍କ ସହିତ ନୋଡାଲ ଅଫିସର ଦୀପକ ପଟେଲ ମଧ୍ୟ ସାହାଯ୍ୟ ସହଯୋଗ କରୁଥିବା ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାରେ ନିଜେ ସରପଞ୍ଚ ସମସ୍ତ ଅନ୍ତେବାସୀଙ୍କୁ ଯୋଗ ପ୍ରାଣାୟାମ ମଧ୍ୟ ଶିଖାଉଛନ୍ତି। ତେବେ ସରପଞ୍ଚ ଓ ନୋଡାଲ ଅଧିକାରୀଙ୍କର ଏଭଳି କାର୍ଯ୍ୟକୁ ପ୍ରବାସୀଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଖୁବ୍ ପ୍ରଶଂସା କରିଛନ୍ତି।
from Odisha Reporter https://ift.tt/2X0qSot
No comments:
Post a Comment