ପୁରୀ(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ଅନୁମତି ପରେ ଆଜିଠୁ ଆରମ୍ଭ ହେବ ଶ୍ରୀଜିଉଙ୍କ ରଥ ନିର୍ମାଣ କାମ । ଆଜି ସକାଳ ୮ଟାରୁ ରଥ ନିର୍ମାଣ କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର ।
ଗତକାଲି ସଂଧ୍ୟାରେ ଜିଲ୍ଲାପାଳଙ୍କ ସହ ୩ ମୁଖ୍ୟ ମହାରଣା ଓ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ବୈଠକରେ ଏନେଇ ସବିଶେଷ ଆଲୋଚନା ହୋଇଥିବା ସେ ସୂଚନା ଦେଇଛନ୍ତି । ରଥ ନିର୍ମାଣ କାମରେ ଅଳ୍ପ ସଂଖ୍ୟକ ମହାରଣା ନିୟୋଜିତ ହେବେ । ସେମାନଙ୍କୁ ନେଇ ଆଜି କାମ ଆରମ୍ଭ ହେବ ।
ତେବେ ନେତ୍ରୋତ୍ସବ ଭିତରେ କାମ ସରିନପାରେ ବୋଲି ମହାରଣା ସେବାୟତ ଆଶଙ୍କା ପ୍ରକାଶ କରିଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ ସେମାନେ ଅବଗତ କରିଛନ୍ତି । କିନ୍ତୁ ଯଥାଶୀଘ୍ର କାମ ସାରିବାକୁ ଚେଷ୍ଟା କରିବେ ବୋଲି ମହାରଣା ସେବାୟତମାନେ କହିଛନ୍ତି। ଏହାସହ ବିଶେଷ ଭାବେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଭଳି ନିୟମକୁ ରଥ ନିର୍ମାଣ ସମୟରେ କଡ଼ାକଡ଼ି ପାଳନ କରାଯିବ । ତେବେ ଆଜିଠାରୁ ରଥ ନିର୍ମାଣ ହେବା ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନି ।
ରଥ ନିର୍ମାଣକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କିଛି ସର୍ତ୍ତ ସହ ଅନୁମତି ମିଳିବା ପରେ ରଥ ନିର୍ମାଣ ବାଟ ପରିଷ୍କାର ହୋଇଛି । ରଥଖଳାରେ କୌଣସି ଧାର୍ମିକ ଏକତ୍ରୀକରଣ ହୋଇପାରିବନି। ଲକ୍ଡାଉନ୍ ନେଇ ଜାରି ସମସ୍ତ ଗାଇଡଲାଇନ ପାଳନ ହେବ। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ରଥଯାତ୍ରା ହେବ କି ନାହିଁ ରାଜ୍ୟ ସରକାର ନିଷ୍ପତ୍ତି ନେବ। ସେତେବେଳର ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେବେ।
ଆଜିଠୁ ରଥ ନିର୍ମାଣ କାମ ଆରମ୍ଭ ହେବ ଖବର ପ୍ରଚାରିତ ହେବା ପରଠୁ ଜଗନ୍ନାଥ ପ୍ରେମୀ ଉତ୍ସାହିତ ହୋଇପଡ଼ିଛନ୍ତି।
from Odisha Reporter https://ift.tt/2Lct6dI
No comments:
Post a Comment