ନୂଆଦିଲ୍ଲୀ: ନେପାଳ ସରକାର ନିଜ ମାନଚିତ୍ରରେ ଭାରତର କିଛି ଅଞ୍ଚଳକୁ ନିଜର ବୋଲି ଦର୍ଶାଇବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ନେପାଳର ଏହି ସୀମା ଲଙ୍ଘିବା କାର୍ଯ୍ୟର ଦୃଢ଼ ଜବାବ ଦେଇଛି ଭାରତ। ଲିମପିୟାଧୁରା, ଲିପୁଲେଖ ଓ କଲାପାନୀକୁ ନେପାଳ ତା’ର ମାନଚିତ୍ରରେ ନିଜର ବୋଲି ଦର୍ଶାଇଛି।
ତେବେ ନେପାଳର ଏହି ମିଛ ଦାବିକୁ ଭାରତ କେବେ ହେଲେ ଗ୍ରହଣ କରିବ ନାହିଁ ଏବଂ ଉପରୋକ୍ତ ୩ ଅଞ୍ଚର ଆମର ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି। ଏଥିସହ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଭାରତକୁ ଚାଇନାରୁ ଆସୁଥିବା ଭାଇରସ ଠାରୁ ଅଧିକ ଘାତକ କହିଥିବାରୁ ଏହାର ଜବାବ ବି ନୂଆଦିଲ୍ଲୀ ଦେଇଛି।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ନେପାଳ ସରକାର ଯେଉଁଭଳି ଭାବେ ମାନଚିତ୍ର ପ୍ରକାଶ କରିଛନ୍ତି, ସେଥିରେ କୌଣସି ବାସ୍ତବତା ନାହିଁ। ଏହି ମାନଚିତ୍ର କୌଣସି ଐତିହାସିକ ତଥ୍ୟ କିମ୍ବା ପ୍ରମାଣ ଉପରେ ଆଧାରିତ ନୁହେଁ। ସୀମା ବିବାଦର ସମାଧାନ ପାଇଁ ହୋଇଥିବା ନିମୟକୁ ନେପାଳ ସରକାର ଉଲ୍ଲଙ୍ଘନ କରିଛନ୍ତି।
ଭାରତ ସହ ସୀମାକୁ ନେଇ କୌଣସି ପ୍ରକାରର ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିନାହାନ୍ତି। ଲିମପିୟାଧୁରା, ଲିପୁଲେଖ ଓ କଲାପାନୀକୁ ନେଇ ଭାରତର ସ୍ଥିତି କ’ଣ ସେକଥା ନେପାଳ ଭଲ ଭାବେ ଜାଣିଛି। ତେଣୁ ଆମେ ନେପାଳକୁ ଏଭଳି ଅବାସ୍ତବ କାର୍ଯ୍ୟରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଉଛୁ।
ନେପାଳ ସରକାର ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ସମ୍ମାନ ଦେବା ଦରକାର। ଯାହା ବି ସୀମା ବିବାଦ ରହିଛି, ସେକଥା ଆଲୋଚନା ଦ୍ୱାରା ସମାଧାନ ହେବ। ଆମର ଆଶା ଆଲୋଚନା ପାଇଁ ନେପାଳ ସରକାର ଏକ ସକାରାତ୍ମକ ବାତାବରଣ ସୃଷ୍ଟି କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
୧୮୧୬ ବ୍ରିଟିଶ ଚୁକ୍ତି ଅନୁଯାୟୀ, ଉତ୍ତରାଖଣ୍ଡରେ ଥିବା ଲିପୁଲେଖ ପାସ ନେପାଳର ବୋଲି ସେଠାକାର ସରକାର ଦାବି କରିଛନ୍ତି। ଏହି ଅଞ୍ଚଳରେ ଭାରତ ଓ ନେପାଳ ପ୍ରାୟ ୧୮ଶହ କିମି ସୀମା ଶେୟାର କରିଛନ୍ତି। ସେହିପରି ୧୯୬୨ ଚାଇନା ଯୁଦ୍ଧ ପରଠାରୁ ଭାରତ ସରକାର ଲିମପିୟାଧୁରା ଓ କଲାପାନୀ ସୀମାନ୍ତକୁ ଜଗି ରହିଛି।
ମେ’ ୮ରେ କୈଳାସ ମାନସୋରଭରକୁ ସଂଯୋଗ କରୁଥିବା ଲିପୁଲେଖ ପାସରେ ଭାରତ ସରକାର ରାସ୍ତା କାମ ଆରମ୍ଭ କରିଥିଲେ। ହେଲେ ଏହାକୁ ନେପାଳ ବିରୋଧ କରିଥିଲା। ଏହାଦ୍ୱାରା ନେପାଳର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବ ବୋଲି କାଠମାଣ୍ଡୁ ପକ୍ଷରୁ କୁହାଯାଇଛି।
ତେବେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ରାସ୍ତା କାମ ଭାରତୀୟ ସୀମାରେ ହେଉଛି। ଏହାକୁ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟବହାର କରାଯିବ। ସେହିପରି ବାଣିଜ୍ୟକ କାରବାର ଓ ସାଧାରଣ ଲୋକମାନେ ମଧ୍ୟ ଏହାକୁ ବ୍ୟବହାର କରିବେ। ଏହା ଭାରତର ଆଭ୍ୟନ୍ତରୀଣ ବ୍ୟାପାର।
ନେପାଳ ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ଆମ ଦେଶରେ କରୋନା ଭାଇରସ ସଂକ୍ରମଣ କରୁଛି। ବାହାରୁ ଲୋକ ଏଠାକୁ ଆସିଲେ ସଂକ୍ରମଣକୁ ରୋକିବା କଷ୍ଟକର ହୋଇଯିବ। ଯେଉଁମାନେ ଭାରତରୁ ବେଆଇନ ଭାବେ ନେପାଳରେ ପ୍ରବେଶ କରୁଛନ୍ତି, ସେମାନେ ଏଠାରେ କରୋନା ସଂକ୍ରମଣକୁ ବଢ଼ାଉଛନ୍ତି।
ଏବେ ଚାଇନା ଓ ଇଟାଲୀୟ ଭାଇରସ ଠାରୁ ଭାରତୀୟ ଭାଇରସ ଅତ୍ୟନ୍ତ ମାରାତ୍ମକ ହୋଇଛି। କିଛି ସ୍ଥାନୀୟ ଲୋକ ଓ ରାଜନେତା ଉପଯୁକ୍ତ ଟେଷ୍ଟିଂ ନ କରି ଭାରତରୁ ଲୋକଙ୍କୁ ଏଠାକୁ ଆଣୁଛନ୍ତି। ଏହା ଦେଶ ପାଇଁ ବିପଦ ସୃଷ୍ଟି କରୁଛି।”
from Odisha Reporter https://ift.tt/2WRKGu9
No comments:
Post a Comment