ମୁମ୍ବାଇ: ସୋମବାର ସନ୍ଧ୍ୟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏନସିପି ସୁପ୍ରିମୋ ଶରଦ ପଓ୍ୱାରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। କରୋନା ଭୂତାଣୁ ସଙ୍କଟ ଏବଂ ଲକଡାଉନ ରଣନୀତିକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ବୈଠକ ପରେ ଶିବସେନା ସାଂସଦ ସଞ୍ଜୟ ରାଓତ କହିଛନ୍ତି ଯେ, ଭାରତରେ ମହାରାଷ୍ଟ୍ର ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ଅଟେ, ହେଲେ ସରକାର ମଜବୁତ୍ ଅଛନ୍ତି, ଚିନ୍ତାର ବିଷୟ ନାହିଁ।
ଶିବସେନା ଓ ଏନସିପି ମଧ୍ୟରେ ଫାଟ ପଡ଼ିଥିବା ଖବର ଚର୍ଚ୍ଚାରେ ରହିଥିବା ବେଳେ ଉଭୟ ଦଳର ମୁଖ୍ୟ ରାଜ୍ୟର ସଙ୍କଟ ସମୟରେ ସାକ୍ଷାତ କରି ଆଲୋଚନା କରିଛନ୍ତି। ବୈଠକ ଉଦ୍ଧବ ଠାକରେଙ୍କ ବାସଭବନ ମାତ୍ରୋଶ୍ରୀଠାରେ ଆୟୋଜିତ ହୋଇଥିଲା। କରୋନା ଲକଡାଉନ ସ୍ଥିତିରେ ରାଜ୍ୟରେ ଆର୍ଥିକ କାରବାର ଆରମ୍ଭ କରିବାକୁ ଏନସିପି ପ୍ରମୁଖ ପଓ୍ୱାର ଦେଇଥିବା ପରାମର୍ଶକୁ ନେଇ ମେଣ୍ଟ ଦଳ ମଧ୍ୟରେ ମତାନ୍ତର ଉପୁଜିଥିଲା।
ସୂଚନା ଯେ, ମହାରାଷ୍ଟ୍ରକୁ ଧୀରେ ଧୀରେ ଖୋଲିବାର ଆବଶ୍ୟକତା ରହିଛି, ଏବଂ ଅନିଶ୍ଚିତକାଳ ପାଇଁ ଲକଡାଉନ କରିବା ଉଚିତ୍ ନୁହେଁ। ଆର୍ଥିକ କାରବାରକୁ ପୁଣି ଥରେ ଆରମ୍ଭ କରିବା ଆବଶ୍ୟକ ବୋଲି ପଓ୍ୱାର ପରାମର୍ଶ ଦେଇଥିଲେ। ତେବେ ପଓ୍ୱାରଙ୍କ ଏହି ପରାମର୍ଶକୁ ଅଣଦେଖା କରି ଗୁରୁତ୍ୱ ନ ଦେବା କାରଣରୁ ସେ ଅସନ୍ତୋଷ ଥିଲେ ବୋଲି ସୂତ୍ରରୁ ଜଣାପଡ଼ିଥିଲା।
ବୈଠକକୁ ନେଇ ଉଭୟ ଦଳ ପକ୍ଷରୁ ସୂଚନା ଦିଆଯାଇଛି ଯେ, ପଓ୍ୱାର ଏବଂ ଠାକରେଙ୍କ ମଧ୍ୟରେ କରୋନା ସଙ୍କଟ ଏବଂ ରାଜ୍ୟ ଉପରେ ଏହାର ପ୍ରଭାବ ପ୍ରସଙ୍ଗରେ ବୈଠକ ଅନୁଷ୍ଠିତ ହେଲା। ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଓତ ବୈଠକକୁ ନେଇ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ମହାରାଷ୍ଟ୍ର ସରକାରଙ୍କ ସ୍ଥିରତାକୁ ନେଇ କୌଣସି ଚିନ୍ତା କରିବା ଆବଶ୍ୟକ ନୁହେଁ। ଶରଦ ପଓ୍ବାର ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ଗତକାଲି ବୈଠକ ହୋଇଛି। କେହି ଯଦି ସରକାରଙ୍କ ସ୍ଥିରତାକୁ ନେଇ ଗୁଜବ ପ୍ରଚାର କରୁଛି, ଏହା ତାଙ୍କର ପେଟର ଯନ୍ତ୍ରଣା। ସରକାର ମଜବୁତ ଅଛନ୍ତି, ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ରାଓତ ଟ୍ୱିଟ୍ କରି କହିଛନ୍ତି।
from Odisha Reporter https://ift.tt/2yD9bSw
No comments:
Post a Comment