କରଞ୍ଜିଆ(ସତ୍ୟବ୍ରତ ବେହେରା ): କରୋନା ହଟସ୍ପଟ ପାଲଟିଥିବା ଯାଜପୁରରୁ ଫେରିଥିବାରୁ ଗାଁରେ ପଶିପାରୁ ନାହାନ୍ତି ୨ ମହିଳାଙ୍କ ସମେତ ୫ ଶ୍ରମିକ । ଗାଁରେ ପାଦ ଦେଲେ କିରୋସିନି ଢାଳି ଜାଲିଦେବୁ ବୋଲି ଧମକ ମିଳୁଛି। ଭୟରେ ଗାଁରେ ପଶି ନ ପାରି ମୁଣ୍ଡ ଗୁଞ୍ଜିବାକୁ ଜାଗା ଦେବାକୁ ପ୍ରଶାସନକୁ ଗୁହାରି କରୁଛନ୍ତି। ହେଲେ ସମସ୍ୟାର ସମାଧାନ କରିବାକୁ କେହି ଇଚ୍ଛା ପ୍ରକାଶ କରୁ ନାହାନ୍ତି। ସେମାନଙ୍କୁ ପଞ୍ଚାୟତ କ୍ୱାରେଣ୍ଟିନରେ ରଖିବାକୁ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। କରୋନାର ଏପରି କରୁଣ ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ।
କାମଧନ୍ଦା କରି ପେଟ ପୋଷିବା ନିମନ୍ତେ ଏଠାକାର ୫ ଜଣ ୨ ମାସ ତଳେ ଯାଜପୁର ଜିଲ୍ଲାକୁ ଯାଇଥିଲେ। ତେବେ ହଠାତ କରୋନା ପାଇଁ ସରକାରୀ କଟକଣା ଜାରି ହେବାରୁ ବିନା କାମରେ ସେଠାରେ ଫସି ରହିଥିଲେ। ବାହାରେ ରହିବା ଓ ଚଳିବା ମୁସ୍କିଲ ହେବାରୁ ସମ୍ପୃକ୍ତ ଠିକାଦାର ସେମାନଙ୍କୁ କରଞ୍ଜିଆ ବ୍ଲକ ସାନରାମଚନ୍ଦ୍ରପୁରସ୍ଥିତ ନିଜ ଘରକୁ ପଠାଇବାର ବ୍ୟବସ୍ଥା କଲେ। କିନ୍ତୁ ଗାଁରେ ପହଞ୍ଚିବା ପାଇଁ ଆଉ ଅଳ୍ପବାଟ ଥିବାବେଳେ ହଠାତ୍ ଆସିଲା ଧମକ। ଭୁଲରେ ଗାଁକୁ ଆସିଲେ କିରୋସିନି ଢାଳି ଜାଲିଦେବୁ ବୋଲି କହିଲେ କିଛି ଗ୍ରାମବାସୀ। ଫଳରେ ବାଧ୍ୟହୋଇ କରଞ୍ଜିଆ ଥାନାର ଦ୍ୱାରସ୍ତ ହେଲେଏହି ଶ୍ରମିକମାନେ ।
ସବୁ ଶୁଣିବା ପରେ ଥାନା ଅଧିକାରୀ ତାଙ୍କୁ ଉପଜିଲ୍ଲାପାଳ,ଉପଜିଲ୍ଲାପାଳ ତାଙ୍କୁ ବିଡ଼ିଓ ଓ ବିଡ଼ିଓ ତାଙ୍କୁ ତହସିଲଦାରଙ୍କ ପାଖକୁ ପଠେଇଲେ। କିନ୍ତୁ ସେମାନେ କେଉଁଠି କ୍ଟାରେଣ୍ଟିନରେ ରହିବେ ସେ ବାବଦରେ କିଛି ନକହିବାରୁ ଶନିବାର ରାତିତମାମ ଉପଜିଲ୍ଲାପାଳଙ୍କ ଅଫିସ ପରିସରରେ ଓ ରବିବାର କରଞ୍ଜିଆ ବସଷ୍ଟାଣ୍ଡର ଯାତ୍ରୀ ପ୍ରତୀକ୍ଷାଳୟରେ ରହିଥିଲେ। ସେମାନଙ୍କ ନିମନ୍ତେ ଖାଇବା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ରହିବା ବ୍ୟବସ୍ଥା କରାଯାଉ ନ ଥିବାରୁ ବହୁ ହଇରାଣ ହେଉଥିବା ଏହି ଶ୍ରମିକମାନେ କ୍ଷୋଭର ସହ କହିଛନ୍ତି।
ଏନେଇ କରଞ୍ଜିଆ ବିଡ଼ିଓଙ୍କୁ ପଚାରିବାରୁ ସ୍ଥାନୀୟ ପଞ୍ଚାୟତ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ ବୋଲି କହିଥିଲେ। ସେପଟେ ସ୍ଥାନୀୟ ଉପଜିଲ୍ଲାପାଳ ଘଟଣା ନେଇ କିଛି ଜାଣିନଥିବା କହିଥିଲେ। ବାହାରୁ ଫେରୁଥିବା ଲୋକଙ୍କ ରହିବ ନିମନ୍ତେ ପଞ୍ଚାୟତ କ୍ୱାରେଣ୍ଟିନ୍ରେ ବ୍ୟବସ୍ଥା କରାଯିବା ସତ୍ତ୍ୱେ ଏହି ଶ୍ରମିକମାନଙ୍କୁ ଗାଁରେ ପଶାଇ ଦିଆ ନ ଯିବା ଦୁଃଖର ବିଷୟ ବୋଲି ଅଭିଯୋଗ ହେଉଛି।
from Odisha Reporter https://ift.tt/3dcb5Id
No comments:
Post a Comment