ମୁମ୍ବାଇ: ମହାମାରୀ କରୋନା ଯୋଗୁ ମହାରାଷ୍ଟ୍ର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ୪୧ ହଜାର ପାର କରିଯିବାରୁ କରୋନା ରୋଗୀଙ୍କ ପାଇଁ ହସ୍ପିଟାଲରେ ବେଡ ସଂଖ୍ୟା କମ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ରାଜ୍ୟରେ ଥିବା ସମସ୍ତ ଘରୋଇ ହସ୍ପିଟାଲର ୮୦% ବେଡ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ଅଗଷ୍ଟ ୩୧ ଯାଏ ଏହି ବେଡଗୁଡ଼ିକ ସରକାରଙ୍କ ଦାୟିତ୍ୱରେ ରହିବ।
ସରକାର ହିଁ ଏଗୁଡ଼ିକରେ ରୋଗୀଙ୍କୁ ଚିକିତ୍ସା ଯୋଗାଇବେ। ସେହିପରି ଘରୋଇ ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚକୁ ମଧ୍ୟ ଉଦ୍ଧବ ଠାକରେ ସରକାର ହ୍ରାସ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ଏହି ବିଜ୍ଞପ୍ତି ଅନୁସାରେ ସରକାର ଘରୋଇ ହସ୍ପିଟାଲର ବେଡଗୁଡ଼ିକୁ ନିଜ ହେପାଜତକୁ ନେଇଛନ୍ତି ଓ ରୋଗୀମାନେ ଏଥିରେ ଚିକିତ୍ସିତ ହେଲେ, କେତେ ଟଙ୍କା ଦେବେ ସେକଥା ସ୍ଥିର କରିଛନ୍ତି। ବାକି ୨୦% ବେଡ୍ରେ ଘରୋଇ ହସ୍ପିଟାଲ ଗୁଡ଼ିକ ତାଙ୍କ ଇଚ୍ଛା ଅନୁସାରେ ରୋଗୀଙ୍କୁ ଚିକିତ୍ସା କରିବେ ଓ ତଦ୍ନୁଯାୟୀ ଟଙ୍କା ନେବେ।
ସରକାରଙ୍କ ଘୋଷଣା ଅନୁଯାୟୀ, ୱାର୍ଡ ଓ ଆଇସୋଲେସନ ବେଡ ପାଇଁ ଦୈନିକ ୪ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ଆଇସିୟୁ ବେଡ ପାଇଁ ୭,୫୦୦ ଓ ଭେଣ୍ଟିଲେଟର ବ୍ୟବସ୍ଥା ଥିବା ଆଇସିୟୁ ବେଡ ପାଇଁ ଦୈନିକ ୯ ହଜାର ଟଙ୍କା ଦେବାକୁ ପଡ଼ିବ।
ହସ୍ପିଟାଲ କର୍ତ୍ତୃପକ୍ଷ ସ୍ୱାଭାବିକ ପ୍ରସବ ପାଇଁ ସର୍ବାଧିକ ୭୫ ହଜାର ଟଙ୍କା ଯାଏ ହିଁ ଚାର୍ଜ କରିପାରିବେ। ସେହିପରି ଅସ୍ତ୍ରୋପଚାର ପ୍ରସବ ପାଇଁ ୮୬,୨୫୦ ଟଙ୍କାରୁ ଅଧିକ ଚାର୍ଜ କରିପାରିବେ ନାହିଁ। ଆଣ୍ଠୁ ରିପ୍ଲେସମେଣ୍ଟ ପାଇଁ ଗୋଟିଏ ହସ୍ପିଟାଲ ରୋଗୀଙ୍କ ଠାରୁ ୧,୬୦,୦୦ ଟଙ୍କା ନେଇପାରିବ। ଆଙ୍ଗିଓଗ୍ରାଫି ପାଇଁ ଚାର୍ଜ ୧୨ ହଜାର ଟଙ୍କାରୁ ଅଧିକ ହେବନାହିଁ।
ସରକାର ୮୦% ବେଡ ନିଜ ନିୟନ୍ତ୍ରଣକୁ ନେଇଥିଲେ ହେଁ ହସ୍ପିଟାଲ କର୍ତ୍ତୃପକ୍ଷ ସମସ୍ତ ବେଡରେ ଥିବା ରୋଗୀଙ୍କୁ ସମାନ ଧରଣର ଚିକିତ୍ସା ସେବା ଯୋଗାଇଦେବେ।
from Odisha Reporter https://ift.tt/2A1OIH6
No comments:
Post a Comment