ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ସୁଦୂର ଓମାନରେ କରୋନା ଯୋଦ୍ଧା ସାଜିଛନ୍ତି ଓଡ଼ିଆ ଝିଅ । କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରିଥିବା ବେଳେ ଟିଟିଲାଗଡ଼ର ଝିଅ ସୋନାଲି ମହାନ୍ତି ଓମାନରେ ଏବେ କରୋନା ଆକ୍ରାନ୍ତଙ୍କ ସ୍ୱାବ୍ ଟେଷ୍ଟ କରୁଛନ୍ତି। ନିଜ ପାଠକୁ ଲୋକଙ୍କ ସେବାରେ ନିୟୋଜିତ କରି ଖୁବ୍ ଖୁସି ପାଇପାରୁଥିବା ସୋନାଲିଙ୍କ ଏଭଳି କାମ ପାଇଁ ଟିଟିଲାଗଡ଼ବାସୀ ମଧ୍ୟ ଖୁବ୍ ଗର୍ବ ଅନୁଭବ କରିଛନ୍ତି ।
ସୋନାଲି ଟିଟିଲାଗଡ଼ରେ ମାଟ୍ରିକ ସାରି ଭୁବନେଶ୍ୱର ଓୟୁଏଟିରେ ମାଇକ୍ରୋ ବାୟୋଲୋଜି ପାଠ ପଢିଥିଲେ । ଏହାପରେ ସେ ରାୟଗଡ଼ାରେ ବିବାହ କରିଥିଲେ । ସ୍ୱାମୀ ଓମାନରେ ଚାକିରି କରୁଥିବାରୁ ସେ ମଧ୍ୟ ସେଠାକୁ ଯାଇଥିଲେ ।
ପ୍ରଥମେ ପ୍ରଥମେ ସମ୍ପୂର୍ଣ୍ଣ ଗୃହିଣୀ ହୋଇ ନିଜକୁ ଘର କାମରେ ନିୟୋଜିତ ରଖୁଥିବା ସୋନାଲି କିନ୍ତୁ ଏଥିରେ ଶାନ୍ତି ପାଇପାରୁ ନଥିଲେ। ସମାଜ ସେବାରେ କିପରି ଆସିପାରିବେ ସେଥିଲାଗି ସବୁବେଳେ ଚେଷ୍ଟା ମଧ୍ୟ ଜାରି ରଖିଥିଲେ। ଏବେ କରୋନା ସଙ୍କଟ ବେଳେ ଏହାର ମୁକାବିଲା ନିମନ୍ତେ ନିଜର କିଛି ଅବଦାନ ଦେବାକୁ ସେ ଆଗେଇ ଆସିଛନ୍ତି। ଏହାଦ୍ୱାରା ଜୀବନ ପ୍ରତି ବିପଦ ଥିବା ଜାଣି ମଧ୍ୟ ମାଇକ୍ରୋ ବାୟୋଲୋଜିଷ୍ଟ ହୋଇଥିବାରୁ ସମାଜ ପ୍ରତି ନିଜ ଦାୟିତ୍ୱ ଅନୁଭବ କରି ସେ ଚାକିରିରେ ଯୋଗ ଦେଇଥିବା କହିଛନ୍ତି।
। ପ୍ରଥମେ ପ୍ରଥମେ ପରିବାର ସଦସ୍ୟ ଏଥିନିମନ୍ତେ ମନା କରୁଥିବା ବେଳେ ବି ଝିଅ ଜିଦ୍ ଆଗରେ ହଁ ଭରିବାକୁ ବାଧ୍ୟ ହୋଇଥିଲେ। ଏବେ ସୋନାଲି ସ୍ୱାବ ଟେଷ୍ଟ କରି ସାଜିଛନ୍ତି କରୋନା ଯୋଦ୍ଧା।
ଏ ସଂକ୍ରାନ୍ତରେ ତାଙ୍କ ମା’ କହିଛନ୍ତି, ଝିଅ ସବୁବେଳେ ଅକ୍ଳାନ୍ତ ପରିଶ୍ରମ କରେ। ଦିନକୁ ୧୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ସେ ଲ୍ୟାବ୍ରେ ରହୁଛି। ଦେହ ଥକି ପଡ଼ୁଥିଲେ ବି ତା’ ମନ ଭାରି ଖୁସି ଥିବାରୁ ଆମେ ପରିବାର ଲୋକ ମଧ୍ୟ ବହୁତ ଖୁସି ଅଛୁ। ଝିଅର ଶାଶୁ, ଶ୍ୱଶୁର ବି ବୋହୂର ଏ କାମରେ ଖୁବ ଖୁସି ଥିବା ଜଣାଯାଇଛି।
ଏ ସମ୍ପର୍କରେ ଖୋଦ ସୋନାଲି କହିଛନ୍ତି, ନିଜ ପାଠ ସମାଜରେ କାମରେ ଲଗାଇ ପାରିଥିବାରୁ ଖୁସି ଲାଗୁଛି। କୋରନା ବିରୋଧରେ କିଛି ବି ଅବଦାନ ଦେଇ ଜୀବନ ସାର୍ଥକ ହେଲା ପରି ଲାଗୁଛି। ଆମେ ଜଲଦି ଏ ପରିସ୍ଥିତିରୁ ମୁକୁଳିପାରିବା ବୋଲି ଆଶା ରଖୁଛି।
from Odisha Reporter https://ift.tt/2yFD7NS
No comments:
Post a Comment