ରାୟଗଡ଼ା(ମନୋଜ ପାତ୍ର): ପେଟ ପୋଷିବା ପାଇଁ ସୁଦୂର ଉତ୍ତରପ୍ରଦେଶରୁ ଆସି ରାୟଗଡ଼ାରେ ଶ୍ରମିକ ଭାବେ କାମ କରୁଥିଲେ। ଯାହା ମିଳୁଥିଲା ନିଜ ପରିବାର ଗୁଜୁରାଣ ମେଣ୍ଟାଉଥିଲେ। ହେଲେ ଲକଡାଉନ୍ ଯୋଗୁ ଏବେ ସବୁ ଠପ୍। କାମ ବନ୍ଦ ହୋଇଯାଇଥିବା ବେଳେ ପାଖରେ ଥିବା ଟଙ୍କା ବି ଶେଷ ହୋଇଗଲାଣି। ଘରକୁ ଫେରିବାକୁ ସାହସ ଜୁଟୁ ନ ଥିବା ବେଳେ ପରିବାର ମୁହାଁରେ ଦାନା ଦେବା ବି ସମ୍ଭବ ହୋଇପାରୁ ନାହିଁ।
ଠିକାଦାର କୌଣସି ପ୍ରକାର ଆର୍ଥିକ ସହାୟତା ଦେବାକୁ ମନା କରି ସାରିଥିବା ବେଳେ ସରକାରୀ ସହାୟତା ମଧ୍ୟ ମିଳିବା ଆଶା ନାହିଁ। ଶେଷରେ ରାୟଗଡ଼ାରୁ ଉତ୍ତରପ୍ରଦେଶକୁ ପ୍ରାୟ ହଜାରେ କି.ମି ଚାଲିଚାଲି ଯିବା ଆରମ୍ଭ କରିଛନ୍ତି ୧୯ଜଣ।
ରାୟଗଡ଼ା ଜିଲ୍ଲା ଲାଡ଼ା ଷ୍ଟେସନକୁ ଏହି ଶ୍ରମିକମାନେ କାମ କରିବାକୁ ଆସିଥିଲେ । ଲକ୍ଡାଉନ୍ ଯୋଗୁ କାମ ବନ୍ଦ ହୋଇଗଲା। ଠିକାଦାର କୌଣସି ଆର୍ଥିକ ସହାୟତା ନଦେବାରୁ ସାହାଯ୍ୟ ପାଇଁ ଏମାନେ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ। ତେବେ ପ୍ରଶାସନ ପକ୍ଷରୁ ସେମାନଙ୍କୁ କୌଣସି ସହାୟତା ମିଳି ନ ଥିବା ଅଭିଯୋଗ କରିଛନ୍ତି ।
ଶେଷରେ ବାଧ୍ୟ ହୋଇ ପିଲା ଛୁଆ ଧରି ପ୍ରାୟ ୧୯ ଜଣ ହଜାରେ କିଲୋମିଟର ଦୂର ନିଜ ଘର ଉତ୍ତରପ୍ରଦେଶର ମଙ୍ଗଲପୁରକୁ ଚାଲି ଚାଲି ଯିବାକୁ ଗତକାଲିଠୁ ବାହାରିଛନ୍ତି। ପାଖରେ ଟଙ୍କା ନ ଥିବାରୁ ବାଟରେ କିଛି ମିଳିଲେ ପିଲାଙ୍କୁ ଖୁଆଇ ପୁଣି ଚାଲିବେ ବୋଲି କ୍ଷୋଭଭରା କଣ୍ଠରେ କହିଛନ୍ତି ଏହି ଶ୍ରମିକମାନେ।
କେବଳ ବାହାର ରାଜ୍ୟର ଶ୍ରମିକ ନୁହନ୍ତି ଆମ ରାଜ୍ୟର ଶ୍ରମିକ ବି ଚାଲି ଚାଲି ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଉଛନ୍ତି । ନୂଆପଡ଼ା ଜିଲ୍ଲାର ୪୦ଜଣ ଶ୍ରମିକ ରାୟଗଡ଼ାରୁ ନୂଆପଡ଼ାକୁ ପିଲାଛୁଆଙ୍କ ସହ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଥିଲା । ଏନେଇ ଶ୍ରମ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସେ କିଛି କହିବାକୁ ମନା କରି ଦେଇଥିଲେ। ହେଲେ ଯେଉଁ ଶ୍ରମିକମାନେ ଚାଲି ଚାଲି ଯାଉଥିବେ ସେମାନଙ୍କୁ ସହାୟତା କରିବାକୁ ପୁଣି ଥରେ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ରାୟଗଡ଼ା ଜିଲ୍ଲାପାଳ ।
from Odisha Reporter https://ift.tt/2WbWvuL
No comments:
Post a Comment