ମୁମ୍ୱାଇ: ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ମେଣ୍ଟରେ ସାମିଲ୍ ଥିବା କଂଗ୍ରେସର ଆଭିମୁଖ୍ୟକୁ ନେଇ ଆରମ୍ଭ ହୋଇଛି ରାଜନୀତିକ ହଟଚମଟ। ମଙ୍ଗଳବାର ମେଣ୍ଟକୁ ନେଇ ରାହୁଲ ଗାନ୍ଧୀ ମତ ରଖିବା ପରେ ବୁଧବାର ସକାଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ବାସଭବନ ‘ମାତୋଶ୍ରୀ’ରେ ସହଯୋଗୀ ଦଳଙ୍କୁ ବୈଠକ ପାଇଁ ଡ଼ାକିଛନ୍ତି। ଏହି ବୈଠକରେ ମହା ବିକାଶ ଅଘାଡ଼ି ମେଣ୍ଟରେ ସାମିଲ୍ ଥିବା ଶିବସେନା ସମେତ ଏନସିପି ଓ କଂଗ୍ରେସ ନେତା ଯୋଗ ଦେବେ।
ଆଜି ଏହି ବୈଠକ ପୂର୍ବରୁ ଶିବସେନାର ମୁଖପାତ୍ର ‘ସାମ୍ନା’ରେ ଏହାକୁ ନେଇ ସମ୍ୱାଦକୀୟ ପ୍ରକାଶ ପାଇଛି। ଯେଉଁଥିରେ ଉଲ୍ଲେଖ ରହିଛି, “ସରକାରରେ କୌଣସି ଅସ୍ଥିରତା ନାହିଁ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଚୌକି ସୁରକ୍ଷିତ ରହିଛି। ମେଣ୍ଟରେ କୌଣସି ମତଭେଦ ନାହିଁ। ରାଜଭବନକୁ କିଛି ଦିନ ହେବ ଅନେକ ଯିବା ଆସିବା କରୁଛନ୍ତି। ଏଥିରେ ରାଜ୍ୟପାଳଙ୍କ ଦୋଷ କ’ଣ? ଶରଦ ପାଓ୍ୱାର ‘ମାତୋଶ୍ରୀ’ ଆସିବାକୁ ନେଇ କାହିଁକି ଏତେ ରାଜନୀତିକ ହଟଟମଟ କରାଯାଉଛି? ସେ ଏହା ପୂର୍ବରୁ ମଧ୍ୟ ମାତୋଶ୍ରୀ ଆସିଛନ୍ତି। ଯଦି କରୋନା ମହାମାରୀ ନଥାନ୍ତା ତା’ହେଲେ ଆଜି ମେଣ୍ଟ ସରକାରକୁ ୬ ମାସ ପୂର୍ତ୍ତି ପାଳନ କରୁଥାନ୍ତା”।
ସେହିପରି ବିଧାନସଭାର ବାଚସ୍ପତି ତଥା କଂଗ୍ରେସ ନେତା ନାନା ପଟୋଲେ କହିଛନ୍ତି, “ମହାରାଷ୍ଟ୍ର ରାଜନୀତିକୁ ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଉଛି ସେମିତି କିଛି ସମ୍ଭାବନା ନାହିଁ। ଆମେ ଏବେ ସମସ୍ତେ ମିଶି କରୋନାକୁ କିଭଳି ରୋକା ଯାଇପାରିବ ତା’ଉପରେ ଗୁରୁତ୍ୱ ଦେଉଛୁ। କେନ୍ଦ୍ର ସମସ୍ତ ଗାଇଡଲାଇନ୍ ପାଳନ କରୁଛୁ”।
ସୂଚନାଯୋଗ୍ୟ, ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, ଏନସିପି ଓ ଶିବସେନା ସହ ମିଶି ମହାରାଷ୍ଟ୍ରରେ କଂଗ୍ରେସ ସରକାର ଗଠନ କରିଛି। ହେଲେ ଦଳ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରିବ ନାହିଁ। ଏଥିରେ କଂଗ୍ରେସର କୌଣସି ଅଧିକାର ନାହିଁ। କଂଗ୍ରେସ କେବଳ ପ୍ରସ୍ତାବ ଦେଇପାରିବ। କଂଗ୍ରେସ ଶାସିତ ରାଜ୍ୟରେ ନିଜ ଇଚ୍ଛାରେ ବିଭିନ୍ନ ନିଷ୍ପତ୍ତି ନେଇପାରୁଛି। ହେଲେ ମହାରାଷ୍ଟ୍ରରେ କଂଗ୍ରେସ କେବଳ ପ୍ରସ୍ତାବ ଦେଇପାରିବ। ଯାହାକି ଦଳରେ ମତ ଭେଦ ରହିଥିବା ଦର୍ଶାଇଛି।
ସେହିପରି ଶରଦ ପାଓ୍ୱାର ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ବେଳେ କହିଛନ୍ତି, “ବିଜେପି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ସରକାର ଭାଙ୍ଗିବା ପାଇଁ ପ୍ରୟାସ କରୁଛନ୍ତି। ଫଡନାଭିସ ନିଜ ଧୈର୍ୟ୍ୟ ହରାଇ ସାରିଛନ୍ତି। ହେଲେ ମହା ବିକାଶ ଅଘାଡ଼ି ମେଣ୍ଟ ପ୍ରତି କୌଣସି ବିପଦ ନାହିଁ। ସମସ୍ତ ବିଧାୟକ ଏକ୍ ରହିଛନ୍ତି। ଯଦି ଭାଙ୍ଗିବାକୁ ଚେଷ୍ଟା କରାଯିବ ତା’ହେଲେ ଲୋକମାନେ ପିଟିବେ”।
ଅନ୍ୟପଟେ ବିରୋଧୀ ବିଜେପି କହିଛି, କରୋନା ବିରୋଧୀ ଲଢ଼େଇ ଉପରେ ସରକାରଙ୍କ ପଦକ୍ଷେପ ଉପରେ ଲୋକମାନେ ନଜର ରଖିଛନ୍ତି। ହେଲେ ଶିବସେନା ନିଜ ବିଫଳତା ଲୁଚାଇବାକୁ ରାଜନୀତି ଆରମ୍ଭ କରିଛି।
ନିକଟରେ କରୋନା ମୁକାବିଲା କରିବାରେ ମହାରାଷ୍ଟ୍ର ସରକାର ବିଫଳ ହୋଇଥିବାରୁ ବିଜେପି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛି। ମେଣ୍ଟରେ ଫାଟ ଥିବାରୁ ଏନସିପି ସୁପ୍ରିମୋ ଶରଦ ପାୱାର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟିବା ପାଇଁ ରାଜଭବନ ଯାଇଥିଲେ ବୋଲି ବିଜେପି କହିଥିଲା। ହେଲେ ଏହା କେବଳ ସୌଜନ୍ୟତାମୂଳକ ସାକ୍ଷାତ ଥିଲା ବୋଲି ମେଣ୍ଟ କହିଛି।
from Odisha Reporter https://ift.tt/3ezrTKb
No comments:
Post a Comment