ବାରିପଦା(ମାଣିକଲାଲ ପାଣି): ଦାଦନ ଶ୍ରମିକଙ୍କୁ ଯାତନା ଦେଉଛି କରୋନା କଟକଣା। ଲକଡାଉନ୍ ଯୋଗୁ କାମଧନ୍ଦା ବନ୍ଦ ହୋଇଯିବା ପରେ ଖାଇବାକୁ ନ ପାଇ ଘରମୁହାଁ ହେଉଛନ୍ତି ହଜାର ହଜାର ଦାଦନ ଶ୍ରମିକ। କିନ୍ତୁ ଯାତାୟତ ମାଧ୍ୟମ କିଛି ନ ଥିବା ବେଳେ ଗାଡ଼ି ଭଡ଼ା କରି ଯିବାକୁ ବି ପାଖରେ ସମ୍ବଳ ନାହିଁ। ଏପରି ସ୍ଥିତିରେ ପଦଯାତ୍ରା ଛଡ଼ା ଆଉ କିଛି ବିକଳ୍ପ ସେମାନଙ୍କୁ ଦେଖାଯାଉନି। ଫଳରେ ନିଜ ଜୀବନକୁ ବିପଦରେ ପକାଇ ହଜାର ହଜାର ମାଇଲ ବାଟ ବି ଚାଲିବାକୁ ପଛାଉ ନାହାନ୍ତି।
ଏହି ସମୟରେ ବହୁ ହୃଦୟ ବିଦାରକ ଘଟଣା ସାମନାକୁ ଆସୁଛି। କେଉଁଠି ବାଟ ସରିବା ଆଗରୁ ଜୀବନ ଚାଲି ଯାଉଛି ତ କେଉଁଠି ଟ୍ରଲି ଓ କାଠପଟାରେ ଛୁଆକୁ ବୋହି ମାଇଲ ମାଇଲ ବାଟ ଆଗକୁ ବଢ଼ି ଚାଲୁଛି ପ୍ରବାସୀ ଶ୍ରମିକ । ପ୍ରତିଦିନ ଆଖି ଆଗକୁ ଆସୁଥିବା ଏପରି ହୃଦୟ ବିଦାରକ ଘଟଣା ମନରେ ଆଲୋଡ଼ନ ସୃଷ୍ଟି କରିବା ପରେ ଏବେ ଓଡ଼ିଶାରେ ମଧ୍ୟ ସାମ୍ନାକୁ ଆସିଛି ଏପରି ଏକ ଉଦବେଗଜନକ ଚିତ୍ର।
ମୁଣ୍ଡ ଉପରେ ଟାଣ ଖରା ହେଉଥିବା ବେଳେ କଅଁଳ ପାଦରେ ମାଇଲ ମାଇଲ ବାଟ ଚାଲିବାର ବଳ ନ ଥିବା ଜାଣିପାରି ବାପା ଭାର କରି ତା’ର ୨ ପଟେ ୨ ଛୋଟ ଛୁଆଙ୍କୁ ବୋହି ନେଇଛି । ସେମାନଙ୍କ ମଧ୍ୟରୁ ବଡ଼ ଛୁଆଟି ବେଳେ ବେଳେ ଚାଲୁଥିବା ବେଳେ ସାନ ଛୁଆର କୁନି ପାଦରେ କିନ୍ତୁ ସେତିକି ବଳ ନ ଥିଲା। ଏପରି ଛାତି ଥରା ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦାରେ।
ଲକଡାଉନ୍ ପରେ କାମଧନ୍ଦା ହରାଇ ଭଦ୍ରକରୁ ୧୨୦ କିଲୋମିଟରରୁ ଅଧିକ ରାସ୍ତା ଚାଲି ଚାଲି ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ବ୍ଲକସ୍ଥିତ ନିଜ ଗାଁକୁ ଫେରିଛନ୍ତି ଏହି ଶ୍ରମିକ। ସାଙ୍ଗରେ ପତ୍ନୀ ଓ ୩ ପିଲା ଥିଲା ବେଳେ ସାନ ୨ ପୁଅଙ୍କ ବୟସ ବହୁତ୍ କମ୍। ତେଣୁ ସେମାନଙ୍କ ଲାଗି ଭାର କରି ବାପା ଆଗକୁ ଆଗ ପାଦ ପକାଇ ପ୍ରାୟ ୫ ଦିନ ପରେ ନିଜ ଗାଁରେ ପହଞ୍ଚିଥିବା ଜଣାଯାଇଛି। ଗାଁରେ ପହଞ୍ଚିବା ପରେ ସେମାନଙ୍କୁ ଗାଁ ସ୍କୁଲରେ ହୋଇଥିବା ସ୍କୁଲ ଘରେ ରଖାଯାଇଥିବା ଜଣାଯାଇଛି।
from Odisha Reporter https://ift.tt/2LA1orf
No comments:
Post a Comment