ବ୍ରହ୍ମପୁର(ଜଗନ୍ନାଥ ସାହୁ): କରୋନା ଭଳି ବିପତ୍ତି ସମୟରେ ରାସନ ମାଗିବାରୁ ମହିଳାଙ୍କ ମାଡ଼ ଅଭିଯୋଗ । ଏପରିକି ରାଗ ଶାନ୍ତ ନ ହେବାରୁ ସମ୍ପୃକ୍ତ ବିଧବା ମହିଳା ଓ ତାଙ୍କ ବୃଦ୍ଧ ବାପାଙ୍କୁ ଗୋଟିଏ ଘରେ ୨ଘଣ୍ଟା ତାଲା ପକାଇ ରଖିବା ସହ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଏଭଳି ସଙ୍ଗୀନ ଅଭିଯୋଗ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିସୋଲା ପଞ୍ଚାୟତ ଅଞ୍ଚଳରୁ ଆସିଛି ।
କରୋନା ପରି ମହାମାରୀ ସମୟରେ କିଛି ରୋଜଗାର ପନ୍ଥା ନ ଥିବାରୁ ଚଳିବା କଷ୍ଟକର ହୋଇପଡ଼ୁଛି। ସ୍ୱାମୀଙ୍କର ୫ ମାସ ପୂର୍ବେ ମୃତ୍ୟୁ ହୋଇଯାଇଥିବାରୁ ପରିବାର ଚଳାଇବା ନିମନ୍ତେ ଟି.ଦିଲେଶ୍ୱରୀ ସେଠୀ ନାମ୍ନୀ ବିଧବା ମହିଳା ନିଜ ବାପାଙ୍କ ସହ ଗିରିସୋଲା ସରପଞ୍ଚଙ୍କ ନିକଟକୁ ଗତ ସୋମାବାର କିଛି ରାସନ ମାଗିବାକୁ ଯାଇଥିଲେ।
ତେବେ ସରପଞ୍ଚ ସହାୟତା କରିବା ପରିବର୍ତ୍ତେ ଦିଲେଶ୍ୱରୀ ଓ ତାଙ୍କ ବାପାଙ୍କୁ ମାରପିଟ୍ କରିବା ଅଭିଯୋଗ ହୋଇଛି। ଏହାସହ ଗୋଟିଏ ଘରେ ଦୀର୍ଘ ୨ ଘଣ୍ଟା ଧରି ତାଲା ପକାଇ ରଖି ଦେଇଥିଲେ । ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ସେଠାରୁ ମୁକୁଳିବା ପରେ ଟି.ଦିଲେଶ୍ୱରୀ ଗୋଳନ୍ଥରା ଥାନାକୁ ଯାଇ ଅଭିଯୋଗ କରିଥିଲେ। ହେଲେ ଥାନା ଅଧିକାରୀ ମାମଲା ନ ନେଇ ତାଙ୍କୁ ଚାଲି ଯିବାକୁ କହିଥିଲେ ।
ଶେଷରେ ବ୍ରହ୍ମପୁର ଏସ୍ପି ଅଫିସ୍କୁ ଆସି ସେ ନିଜ ଅଭିଯୋଗ ଜଣାଇଥିଲେ। ଏଏସ୍ପି ପ୍ରଶାନ୍ତ କୁମାର ମିଶ୍ର ତାଙ୍କ ଅଭିଯୋଗ ଶୁଣିବା ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
from Odisha Reporter https://ift.tt/2T10yId
No comments:
Post a Comment