ମୁମ୍ବାଇ: ରିପବ୍ଲିକ୍ ଟିଭିର ସମ୍ପାଦକ ତଥା ଜଣାଶୁଣା ନ୍ୟୁଜ୍ ଆଙ୍କର୍ ଅର୍ଣ୍ଣବ ଗୌସ୍ୱାମୀଙ୍କୁ ପ୍ରଶ୍ନ କରିଥିବା ପୁଲିସ କର୍ମଚାରୀ କରୋନା ଭୂତାଣୁ ସଂକ୍ରମିତ ଥିବା ସୂଚନା ମିଳିଛି। ଅର୍ଣ୍ଣବଙ୍କ ନିଜ ଲୋକପ୍ରିୟ ଶୋ’ ମାଧ୍ୟମରେ ସାମ୍ପ୍ରଦାୟିକ ମନଭାବକୁ କଷ୍ଟ ପହଞ୍ଚାଇଥିବା ନେଇ ତାଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ ହୋଇଥିଲା। ଏନେଇ ଦୁଇଜଣ ପୁଲିସ କର୍ମଚାରୀ କିଛି ଦିନ ତଳେ ତାଙ୍କୁ ଦୀର୍ଘ ୧୨ଘଣ୍ଟା ଧରି ପଚରାଉଚରା କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପୁଲିସ କର୍ମଚାରୀଙ୍କ ନମୁନାରେ କରୋନା ପଜିଟିଭ୍ ଆସିଛି।
ସୂଚନାଯୋଗ୍ୟ, ପାଲଘର ଭିଡ଼ ହିଂସା ବେଳେ ଦୁଇ ସାଧୁଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଏହାକୁ ନେଇ ଗୋସ୍ୱାମୀ ତାଙ୍କ ଟିଭି ଡିବେଟରେ କଂଗ୍ରେସ ଓ ସୋନିଆ ଗାନ୍ଧୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ମେଣ୍ଟ ସରକାରରେ କଂଗ୍ରେସ ରହିଛି ତେଣୁ କଂଗ୍ରେସ ଅଧ୍ୟକ୍ଷ ମତ ରଖିବା ଦରକାର ବୋଲି ଗୋସ୍ୱାମୀ ତାଙ୍କ ଡିବେଟ୍ ବେଳେ କହିଥିଲେ। ଏହାପରେ ଗୋସ୍ୱାମୀ ଏଭଳି କରି ସାମ୍ପ୍ରଦାୟିକ ଦଙ୍ଗା କରୁଥିବା ବେଳେ ସୋନିଆଙ୍କୁ ଅସମ୍ମାନ କରିଛନ୍ତି ବୋଲି କଂଗ୍ରେସ କହିଥିଲା।
ଏହାକୁ ନେଇ ମୁମ୍ବାଇ ସମେତ ବିଭିନ୍ନ ରାଜ୍ୟରେ ଗୋସ୍ୱାମୀଙ୍କ ବିରୋଧରେ ଏତଲା ଦିଆଯାଇଛି। ହେଲେ ସୁପ୍ରିମକୋର୍ଟ କେବଳ ନାଗପୁରରେ ଦାୟର ହୋଇଥିବା ମାମଲାକୁ ମୁମ୍ବାଇକୁ ସ୍ଥାନାନ୍ତର କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ସୋମବାର ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ଅନ୍ୟପଟେ ଅଭିଯୋଗ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ଖାରଜ କରିବା ପାଇଁ ଅର୍ଣ୍ଣବ କୋର୍ଟରେ ଅପିଲ୍ କରିଛନ୍ତି।
ଅର୍ଣ୍ଣବଙ୍କ ତରଫରୁ ପ୍ରତିନିଧିତ୍ୱ କରିଥିଲେ ବରିଷ୍ଠ ଓକିଲ ହରିଶ ସାଲଭେ। ସେ ପକ୍ଷ ରଖି କହିଥିଲେ, ଅର୍ଣ୍ଣବଙ୍କ ବିରୋଧରେ ରାଜନୀତିକ ଦଳ ଟାର୍ଗେଟ କରୁଛନ୍ତି। ଏହି ମାମଲା ସିବିଆଇ ଦ୍ୱାରା ତଦନ୍ତ ହେଉ। ରାଜ୍ୟ ସରକାରଙ୍କ ଦ୍ୱାରା ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ। ସିବିଆଇ ତଦନ୍ତ ପାଇଁ ଅର୍ଣ୍ଣବଙ୍କ କୌଣସି ଆପତ୍ତି ନାହିଁ। ମାମଲା ଏତେ ବି ଗମ୍ଭୀର ନୁହେଁ ଯେ, ପୁଲିସ ଗୋସ୍ୱାମୀଙ୍କୁ ୧୨ଘଣ୍ଟା ଧରି ପଚରାଉଚରା କରିବ। ଏମିତିକି ନ୍ୟୁଜ ଚ୍ୟାନେଲର ସିଇଓଙ୍କୁ ପଚରାଉଚରା କରିବା ଗ୍ରହଣୀୟ ନୁହେଁ। ଏହା ବାହୁ ବଳ ପ୍ରୟୋଗ ଶକ୍ତି ଛଡ଼ା ଆଉ କିଛି ନୁହେଁ ବୋଲି ସେ କହିଥିଲେ।
from Odisha Reporter https://ift.tt/35Z8VJO
No comments:
Post a Comment