ମୁମ୍ବାଇ: ମହାମାରୀ କରୋନା ଭାଇରସର ପ୍ରକୃତ ଯୋଦ୍ଧା ହେଉଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ। ଏଥିପାଇଁ ଗତକାଲି ସେନା ପକ୍ଷରୁ ମଧ୍ୟ ଏହି କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ଆକାଶ ମାର୍ଗରୁ ଫୁଲବର୍ଷା କରାଯାଇଥିଲା। ହେଲେ ଏମିତି କିଛି ଡାକ୍ତର ଅଛନ୍ତି, ଯେଉଁମାନେ ଏଭଳି ଏକ ଘଡ଼ିଷନ୍ଧି ମୁହୂର୍ତ୍ତରେ ବି ନିଜର ପ୍ରକୃତି ଛାଡ଼ି ପାରିନାହାନ୍ତି।
ମୁମ୍ବାଇର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଥିବା ଜଣେ ୪୪ ବର୍ଷୀୟ ପୁରୁଷ କରୋନା ରୋଗୀଙ୍କୁ ୩୪ ବର୍ଷୀୟ ପୁରୁଷ ଡାକ୍ତର ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ମୁମ୍ବାଇର କେନ୍ଦ୍ରୀୟ ଅଞ୍ଚଳରେ ଥିବା ଏହି ହସ୍ପିଟାଲରେ ଡାକ୍ତର ଜଣଙ୍କ ମାତ୍ର ଗୋଟିଏ ଦିନ ପୂର୍ବରୁ ଯୋଗଦେଇଥିଲେ।
ହେଲେ ସେ ଆଇସିୟୁରେ ଥିବା କରୋନା ରୋଗୀଙ୍କ ପାଖକୁ ଯାଇ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ପୁଲିସ୍ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରିଛି। ଖରାପ ଉଦ୍ଦେଶ୍ୟ ରଖି ଛୁଇଁବା ଭଳି ମାମଲା ତାଙ୍କ ନାଁରେ ରୁଜୁ କରାଯାଇଛି।
ତେବେ ଡାକ୍ତର ଜଣଙ୍କ କରୋନା ରୋଗୀଙ୍କୁ ଛୁଇଁଥିବାରୁ ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି। କ୍ୱାରେଣ୍ଟାଇନ ସମୟ ସରିବା ପରେ ତାଙ୍କୁ ଗିରଫ କରାଯିବ କି ନାହିଁ, ତା’ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
from Odisha Reporter https://ift.tt/2SzMsgN
No comments:
Post a Comment