ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ରୋଜଗାର ଆଶାରେ ଓଡ଼ିଶାରୁ ଯାଇଥିଲେ ସୁଦୂର ମରିସସ୍। ସେଠାରେ ଟେଲରିଂ କାମ କରି କିଛି ପଇସା ରୋଜଗାର ମଧ୍ୟ କରୁଥିଲେ। ହେଲେ ସବୁଦିନ ସମାନ ଯାଏନି। ହଠାତ୍ ଦିନେ ଘରକୁ ଟଙ୍କା ପଠାଇବାକୁ ଏଟିଏମ୍କୁ ଯାଇଥିବା ବେଳେ ନିଖୋଜ ହୋଇଯାଇଛନ୍ତି ଯୁବକ। ଏପଟେ ପୁଅର ଖୋଜଖବର ନ ପାଇ ୩ ମାସ ହେଲା ଆଶା ଆଶଙ୍କାରେ ଦିନ କାଟୁଛନ୍ତି ପରିବାର ଲୋକେ। ଗୁହାରି କଲେ କେହି ଶୁଣୁ ନାହାନ୍ତି।
ଏପରି ଏକ ଘଟଣା ଗଞ୍ଜାମ ବେଗୁନିଆପଡ଼ା ବ୍ଲକ ଫାରକାପଲ୍ଲୀ ଗାଁରେ ଘଟିଛି। ନିଖୋଜ ଯୁବକଙ୍କ ନାଁ ଟୁନା ନାୟକ। ସେ ମାର୍ଚ୍ଚ ୨ ତାରିଖରୁ ନିଖୋଜ ଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ଟୁନା ୨୦୧୭ ମସିହା ମାର୍ଚ୍ଚରେ ପୂର୍ବ ମୁମ୍ବାଇର ଗୁରୁଗାଁଓ ସ୍ଥିତ ‘ଜାଭେରୀ ଆସୋସିଏଟ ଗାଲା ନଂ -39’ର ଏକ ଏଜେଣ୍ଟ ମାଧ୍ୟମରେ ମରିଶସ୍ର ‘ଆକୁଏରେଲି କ୍ଳଥିଙ୍ଗ ଲିମିଟେଡ୍ ବାଉଣ୍ଡରି’ କୁ ଟେଲର ଭାବେ କାମ କରିବାକୁ ଯାଇଥିଲେ। ହେଲେ ଗତ ମାର୍ଚ୍ଚ ୨ ତାରିଖରେ ଘରକୁ ପଇସା ପଠାଇବା ପାଇଁ ସେ ନିକଟସ୍ଥ ଏକ ଏଟିଏମକୁ ଯାଇଥିଲେ। ହେଲେ ସେଠାରୁ ସେ ଆଉ ଫେରି ନଥିଲେ।
ଟୁନା ଆସିବାରେ ବିଳମ୍ୱ ହେବାରୁ ସେଠାରେ ରହୁଥିବା ତାଙ୍କ ସାଙ୍ଗମାନେ ତାଙ୍କ ଘରକୁ ଫୋନ୍ କରି ଜଣାଇଥିଲେ। ଏହାପରେ ଟୁନାଙ୍କ ଘର ଲୋକ ବ୍ୟସ୍ତ ହେବା ସହ ତାଙ୍କ ଭାଇ ପ୍ରଶାନ୍ତ କୁମାର ନାୟକ ତୁରନ୍ତ ମୁମ୍ବାଇସ୍ଥିତ ଏଜେଣ୍ଟକୁ ଅବଗତ କରାଇବା ସହ ଟୁନା କାମ କରୁଥିବା ମରିଶସ୍ସ୍ଥିତ କମ୍ପାନୀକୁ ମଧ୍ୟ ଅବଗତ କରାଇଥିଲେ। ହେଲେ ପୁଅ ସମ୍ପର୍କରେ କିଛି ବି ଖବର ନପାଇ ଟୁନାଙ୍କ ପରିବାର ଲୋକ ବେଗୁନିଆପଡା ଫାଣ୍ଡିରେ ଏତଲା ଦେଇଛନ୍ତି।
ଏଥିସହ ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ଏସ.ପି, ଜିଲ୍ଲା ଶ୍ରମ ଅଧିକାରୀ, ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରମ ମନ୍ତ୍ରୀ, ଶ୍ରମ ବିଭାଗ ସଚିବ ଓ ପ୍ରଧାନମନ୍ତ୍ରୀଙ୍କୁ ଲିଖିତ ଭାବରେ ଟୁନାଙ୍କୁ ଖୋଜି ବାହାର କରିବା ନିମନ୍ତେ ନିବେଦନ କରିଛନ୍ତି। ହେଲେ ୩ ମାସ ବିତି ଯାଇଥିଲେ ବି କିଛି ସୁଫଳ ମିଳି ନଥିବା ପରିବାର ଲୋକେ କହିଛନ୍ତି।
ଅନ୍ୟପକ୍ଷରେ ନିଖୋଜ ପୁଅକୁ ଫେରାଇ ଆଣିବାକୁ ସରକାରଙ୍କ ନିକଟରେ ଟୁନାଙ୍କ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି l
from Odisha Reporter https://ift.tt/2Nf0Nfw
No comments:
Post a Comment