ବିନିକା(ଦୀଲିପ ସାହୁ): କ୍ୱାରେଣ୍ଟାଇନ୍ ସେଣ୍ଟରରେ ଜଣେ ଯୁବତୀଙ୍କୁ ସରପଞ୍ଚ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଏକ ଭିଡିଓ ମଧ୍ୟ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଏସ୍. ରାମପୁର ଥାନା ଅନ୍ତର୍ଗତ ଅନ୍ଧାରିବାଞ୍ଜି ସରପଞ୍ଚ ବନମାଳୀ ସା’ଙ୍କ ନାଁରେ।
ଅଭିଯୋଗ ଅନୁଯାୟୀ, ଯୁବତୀ ଜଣଙ୍କ ତାମିଲନାଡୁର କୋଏମ୍ୱାଟୁରରୁ ଆସି ଜୁନ୍ ୧ ତାରିଖରୁ ଅନ୍ଧାରିବାଞ୍ଜି କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହୁଛନ୍ତି। ସେହି କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେ ଏକମାତ୍ର ମହିଳା ହୋଇଥିବାରୁ ତାଙ୍କୁ ପୃଥକ ଭାବେ ଏକ ରୁମ୍ରେ ରଖାଯାଇଛି। ତେବେ ସରପଞ୍ଚ ବନମାଳୀ ସା’ ମଦପିଇ ବାରମ୍ୱାର ତାଙ୍କୁ ଅସଦାଚରଣ କରିବା ସହ ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରିଥିବା ସେ ଏକ ଭିଡିଓ ମାଧ୍ୟମରେ ଅଭିଯୋଗ କରିଛନ୍ତି। ଏଥିସହ ତାଙ୍କୁ ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଏହି ଭିଡିଓରେ କହିଛନ୍ତି। ଏନେଇ ଏସ. ରାମପୁର ଥାନରେ କୌଣସି ମାମଲା ରୁଜୁ ହୋଇ ନଥିବା ଥାନା ଅଧିକାରୀ କହିଛନ୍ତି। ଯୁବତୀ ଜଣଙ୍କ କ୍ୱାରେଣ୍ଟାଇନ୍ରେ ଥିବା ହେତୁ ଥାନାରେ ଅଭିଯୋଗ କରି ନଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସରପଞ୍ଚ ବନମାଳୀ ସା’। ସେ କହିଛନ୍ତି, “ଏହା ମିଛ କଥା। ମୋତେ ବଦନାମ କରିବାକୁ ଏମିତି କରାଯାଇଛି।”
from Odisha Reporter https://ift.tt/2XF8zFy
No comments:
Post a Comment