ଉଦଳା(ମାନସ ପାଣି): ବାହା ମୁକୁଟ ସାଙ୍ଗକୁ ବାହାଘରର ସବୁ ସରଞ୍ଜାମ କିଣା ସରିଥିଲା। ବାହାର ରାଜ୍ୟରୁ ପୁଅ ଫେରିଥିଲେ ହାତ ଗଣ୍ଠି ପଡ଼ିଥାନ୍ତି। ହେଲେ ପୁଅ ଫେରିଲାନି, ଫେରିଲା ପୁଅର ମୃତ୍ୟୁ ଖବର। କରୋନାରେ ଆଖି ବୁଜିଛି ପୁଅ। ରୋଜଗାରିଆ ପୁଅର ମୃତ୍ୟୁ ଖବର ପାଇ ବୃଦ୍ଧା ବାପାମା’ଙ୍କ ମୁଣ୍ଡ ଉପରେ ଯେମିତି ଚଡ଼କ ପଡ଼ିଛି। ପୁଅ ଫଟୋ ଧରି ବାହୁନିବା ଛଡ଼ା ଆଉ କିଛି ନାହିଁ ତାଙ୍କ ହାତରେ। ଏପରି ଏକ ହୃଦୟ ବିଦାରକ ଘଟଣା ଘଟି ଯାଇଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅଞ୍ଚଳରେ।
ଏହି ବ୍ଲକ ଅଞ୍ଚଳର ୩୦ ବର୍ଷୀୟ ଯୁବକ ରୋଜଗାର ପାଇଁ ଗତ ମାର୍ଚ୍ଚ ମାସରେ ହରିୟାଣା ଯାଇଥିଲା। ଫେରିଥିଲେ ବାହାଘର ହୋଇଥାନ୍ତା। ଏଥିପାଇଁ ସବୁ ପ୍ରସ୍ତୁତି ମଧ୍ୟ ସରିଥିଲା। ହେଲେ ପୁଅ ଆଉ ଫେରିଲାନି । କାମଧନ୍ଦା ବନ୍ଦ ହୋଇଯାଇଥିଲେ ମଧ୍ୟ ଲକ୍ଡାଉନ୍ ପାଇଁ ଗାଡି ଚଳାଚଳ ହେଉ ନ ଥିବାରୁ ଘରକୁ ଆସିପାରିଲାନି ପୁଅ। ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲା। ମୃତ୍ୟୁପରେ ସ୍ୱାବ ପରୀକ୍ଷାରୁ ସେ କରୋନାରେ ଆକ୍ରାନ୍ତ ବୋଲି ଜଣାପଡିଥିଲା। ଫଳରେ ପୁଅର ମୃତଦେହ ମଧ୍ୟ ଘରକୁ ଆସିପାରିଲାନି । ଏପରିକି ପୁଅକୁ ଶେଷ ଥର ମଧ୍ୟ ଦେଖିପାରିଲେନି ପରିବାର ଲୋକେ।
ବାହାଘର ଠିକ୍ କରିଥିବା ବାପାମା’ ପୁଅର ମୃତ୍ୟୁ ଖବର ଶୁଣି ଧୈର୍ଯ୍ୟହରା ହୋଇପଡିଛନ୍ତି । କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ପରିବେଶ।
from Odisha Reporter https://ift.tt/3eZdsyU
No comments:
Post a Comment