ରାଜ୍ୟ କ୍ୟାବିନେଟ୍; ‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 7, 2020

ରାଜ୍ୟ କ୍ୟାବିନେଟ୍; ‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା

ଭୁବନେଶ୍ୱର( ପ୍ରକାଶ ସେଠୀ ): ଦୀର୍ଘ ୧୧୦ ବର୍ଷର ପ୍ରତୀକ୍ଷା ପରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟର ସରକାରୀ ସଙ୍ଗୀତ ମାନ୍ୟତା ମିଳିଛି। ଆଜି ରାଜ୍ୟ କ୍ୟାବିନେଟ୍ ଏହି ସଙ୍ଗୀତକୁ ‘ସରକାରୀ ମାନ୍ୟତା’ ଦେବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ବିଧାନସଭାରେ ବିଧିବଦ୍ଧ ବିଲ୍ ଆସିବା ପରେ ଏହା ରାଜ୍ୟର ସରକାରୀ ସଙ୍ଗୀତ ଭାବେ କାର୍ଯ୍ୟ କରିବ।
ତେବେ ଠିକ୍ ଦୁଇବର୍ଷ ତଳେ ‘ବନ୍ଦେ ଉତ୍କଳ ଜନନୀ’ ଗୀତରେ କେତେକ ଶବ୍ଦର ପରିବର୍ତ୍ତନ ପାଇଁ ଦାବି କରୁଥିବା ପଶ୍ଚିମ ଓଡ଼ିଶାର ପ୍ରଭାବଶାଳୀ ମନ୍ତ୍ରୀ ସୁଶାନ୍ତ ସିଂ ଓ ପଶ୍ଚିମ ଓଡ଼ିଶାବାସୀଙ୍କୁ ମନାଇ ରାଜ୍ୟ ସରକାର ଏହି ପ୍ରସ୍ତାବକୁ କ୍ୟାବିନେଟକୁ ଆଣିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ଦିନ ସାଢ଼େ ୧ଟା ସମୟରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ବୈଠକରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ସରକାରୀ ମାନ୍ୟତା ଦେବା ନିମନ୍ତେ ଏକ ପ୍ରସ୍ତାବକୁ ସଂସ୍କୃତି ବିଭାଗ ପକ୍ଷରୁ ଆଗତ କରାଯାଇଥିଲା, ଯାହାକୁ ରାଜ୍ୟ କ୍ୟାବିନେଟ ମାତ୍ର ୭ ମିନିଟରେ ଅନୁମୋଦନ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ଓଡ଼ିଆ ଲୋକମାନେ ଦଳମତବର୍ଣ୍ଣ ନିର୍ବିଶେଷରେ ମେ’ ୩୦ତାରିଖ ଅପରାହ୍ନ ସାଢ଼େ ୫ଟାରେ ‘ବନ୍ଦେ ଉତ୍କଳ ଜନନୀ’ ଗୀତ ଗାଇଥିଲେ। ଏଥିରେ ଉତ୍ସାହିତ ହୋଇଥିବା ରାଜ୍ୟ ସରକାରଙ୍କ ଉପରେ ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ ‘ସରକାରୀ ସଙ୍ଗୀତ’ ମାନ୍ୟତା ଦେବାକୁ ଚାପ ପଡ଼ିଥିଲା।

ଆଜି ଏ ସଂପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନିଷ୍ଠା ଓ ପ୍ରଚେଷ୍ଟା ଯୋଗୁ କାନ୍ତକବିଙ୍କ କାଳଜୟୀ ସୃଷ୍ଟିକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଲା।

ଉଲ୍ଲେଖଯୋଗ୍ୟ, ‘ବନ୍ଦେ ଉତ୍କଳ ଜନନୀ’ ଗୀତ ଓଡ଼ିଶା ବିଧାନସଭା ଓ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଗାନ କରାଯାଉଥିଲେ ମଧ୍ୟ ଏହାକୁ ସରକାରୀ ମାନ୍ୟତା ମିଳିନଥିବାରୁ ଭାଷାପ୍ରେମୀମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରୁଥିଲେ। ଏପରିକି ଅନେକ ସମୟରେ ଏନେଇ ଦାବି ମଧ୍ୟ ହୋଇଛି। ରାଜ୍ୟବାସୀଙ୍କ ଭାବନାକୁ ସମ୍ମାନ ଦେଇ ସରକାର ୨୦୧୬ ମାର୍ଚ୍ଚ ମାସରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ଏହି କମିଟି ତାଙ୍କ ରିପୋର୍ଟ ମଧ୍ୟ ସରକାରଙ୍କୁ ଦେଇଥିଲେ। ୨୦୧୮ ମସିହା ଜୁନ୍ ମାସରେ ମଧ୍ୟ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବା ଦାବି ପ୍ରତି ସରକାର ମଧ୍ୟ ସକରାତ୍ମକ ଆଭିମୁଖ୍ୟ ପୋଷଣ କରିଥିଲେ। ମାତ୍ର ସେତେବେଳେ ମନ୍ତ୍ରୀ ସୁଶାନ୍ତ ସିଂ ଗଣମାଧ୍ୟମରେ ଖୋଲାଖୋଲି ଭାବେ ପଶ୍ଚିମଓଡ଼ିଶାବାସୀଙ୍କ ଭାବନାକୁ ଦୃଷ୍ଟିରେ ରଖି ‘ବନ୍ଦେ ଉତ୍କଳ ଜନନୀ’ ପରିବର୍ତ୍ତେ ‘ବନ୍ଦେ ଓଡ଼ିଶା ଜନନୀ’ ବୋଲି ସଂଶୋଧନ ପାଇଁ ଦାବି କରିବା ପରେ ଏହି ପ୍ରସ୍ତାବ ଶୀତଳ ଭଣ୍ଡାରକୁ ଚାଲିଯାଇଥିଲା।
ସୂଚନାଯୋଗ୍ୟ, ୧୯୧୦ ମସିହାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ ପ୍ରଥମଥର ପାଇଁ ୧୯୧୨ ମସିହାରେ ବାଲେଶ୍ୱରରେ ଉତ୍କଳ ସମ୍ମିଳନୀରେ ବୋଲାଯାଇଥିଲା। ୧୯୩୬ ଏପ୍ରିଲ ୧ରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ମିଳିବା ସମୟରେ ମଧ୍ୟ ଏହି ଗୀତ ଗାନ କରାଯାଇଥିଲା। ତା’ପରେ ୧୯୯୪ ନଭେମ୍ବର ମାସରେ ଏହି ଗୀତକୁ ସରକାରୀ ଭାବେ ଉପଯୋଗ ନିମନ୍ତେ ତତକାଳୀନ ବିଧାନସଭା ବାଚସ୍ପତି ଯୁଧିଷ୍ଠିର ଦାସ ସର୍ବଦଳୀୟ କମିଟି ଗଠନ କରିଥିଲେ। ୧୯୯୪ ଡିସେମ୍ବର ୨୨ରୁ ଏହି ଗୀତକୁ ବିଧାନସଭାର ପ୍ରତ୍ୟେକ ଅଧିବେଶନ ଆରମ୍ଭ ଓ ଶେଷରେ ଗାନ ପାଇଁ ନିଷ୍ପତ୍ତି ହୋଇଥିଲା। ୨୦୦୦ ମସିହାରେ ବାଚସ୍ପତି ଶରତ କର ଓ ୨୦୦୬ ମସିହାରେ ମହେଶ୍ୱର ମହାନ୍ତିଙ୍କ ସମୟରେ ମଧ୍ୟ ଏହି ଗୀତକୁ ସରକାରୀ ମାନ୍ୟତା ଦେବା ନିମନ୍ତେ ବିଧାନସଭାରେ ଦାବି ଜୋରଦାର ହୋଇଥିଲା।



from Odisha Reporter https://ift.tt/30gfWF7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages