ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆଳୁ, ପିଆଜ, ଡାଲି ଓ ତେଲକୁ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନରୁ ବାଦ ଦେବା ନିଷ୍ପତ୍ତିକୁ ଅନୁମୋଦିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପ୍ରମୁଖ କୃଷି ସଂସ୍କାର ପାଇଁ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ଅତ୍ୟାବଶ୍ୟକ ଦ୍ରବ୍ୟ (ସଂଶୋଧନ) ଅଧ୍ୟାଦେଶ ଅଧିନିୟମ ୨୦୨୦କୁ ଶୁକ୍ରବାର ରାଷ୍ଟ୍ରପତି ଅନୁମତି ଦେଇଛନ୍ତି। ଏହା ଫଳରେ କୃଷି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ପାଇଁ ବାଟ ଫିଟିବା ସହ ଚାଷୀମାନେ ଉପକୃତ ହେବେ ବୋଲି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।
ସୂଚନା ଥାଉ କି, ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନରେ ପରିବର୍ତ୍ତନ ଆଣିବାକୁ ଅନେକ ବର୍ଷ ହେଲା ପ୍ରୟାସ ଚାଲିଥିଲା। ସରକାର କରୋନା ଭୂତାଣୁ ମୁକାବିଲା ପାଇଁ ଲକଡାଉନ ପରିସ୍ଥିତିରେ ଏହି ଆଇନକୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ, ଏଣିକି ତେଲ, ଆଳୁ, ପିଆଜ ଓ ଡାଲି ଅତ୍ୟାବଶ୍ୟକ ଦ୍ରବ୍ୟ ତାଲିକାରୁ ବାଦ୍ ପଡ଼ିଛି। ସରକାରଙ୍କ କହିବା ହେଲା, ଏହି ନିଷ୍ପତ୍ତି ଦ୍ୱାରା ଚାଷୀକୂଳ ବେଶ୍ ଲାଭାନ୍ୱିତ ହେବେ।
ଗତ ବୁଧବାର କେନ୍ଦ୍ର କ୍ୟାବିନେଟ୍ ଅତ୍ୟାବଶ୍ୟକ ଦ୍ରବ୍ୟ (ସଂଶୋଧନ) ଅଧ୍ୟାଦେଶ ଅଧିନିୟମ ୨୦୨୦ ଏବଂ କୃଷକ (ସଶକ୍ତିକରଣ ଓ ସୁରକ୍ଷା) ଦର ପ୍ରତିଶ୍ରୁତି ଓ କୃଷି ସେବା ରାଜିନାମା ଅଧ୍ୟାଦେଶ ୨୦୨୦କୁ ଅନୁମୋଦନ କରିଥିଲେ। ଶୁକ୍ରବାର ରାଷ୍ଟ୍ରପତି ଏହାକୁ ମଞ୍ଜୁରୀ ଦେଲେ। ଏହାପରେ ଶୁକ୍ରବାର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସଂଶୋଧିତ ତଥା ନୂତନ ନିୟମାବଳୀ ଲାଗୁ କରି ସଂସ୍କାର କାର୍ୟ୍ୟକାରୀ କରିବା ଦିଗରେ ସହଯୋଗ ଲୋଡ଼ିଛନ୍ତି। ନୂତନ ସଂଶୋଧିତ ପରିବେଶରେ କୃଷି କ୍ଷେତ୍ରରେ ବିକାଶ ତଥା ଅଭିବୃଦ୍ଧିରେ ସବୁ ରାଷ୍ଟ୍ର ମୁଖ୍ୟଙ୍କ ନିରନ୍ତର ସହଯୋଗର ଆବଶ୍ୟକତା ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏନେଇ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ଦିଆଯାଇଛି।
ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି, ରାଜ୍ୟଗୁଡ଼ିକ ଗ୍ରହଣ କରିବା ଲାଗି କୃଷିଜାତ ଦ୍ରବ୍ୟର ମାର୍କେଟିଂର ସାମଗ୍ରିକ ବିକାଶରେ ବାଧା ସୃଷ୍ଟି କରୁଥିବା ପ୍ରତିବନ୍ଧକକୁ ଚିହ୍ନଟ କରି ସରକାର କୃଷି ଉତ୍ପାଦନ ମଡେଲ ଏବଂ ପଶୁପାଳନ ମାର୍କେଟିଂ (ଏପିଏଲ) ଆକ୍ଟ ୨୦୧୭ ଏବଂ କୃଷି ଉତ୍ପାଦନ ମଡେଲ୍ ଓ ଚୁକ୍ତି ଭିତ୍ତିକ ପଶୁପାଳନ କୃଷି ଆକ୍ଟ ୨୦୧୭ ଡ୍ରାଫ୍ଟ କରି ପ୍ରସାରଣ କରିଥିଲେ।
କୋଭିଡ୍-୧୯ ସଙ୍କଟ ସମୟରେ କୃଷିର ସମଗ୍ର ଇକୋସିଷ୍ଟମ୍ ଏବଂ ଏଥି ସଂଲଗ୍ନ କାର୍ୟ୍ୟକଳାପଗୁଡ଼ିକ ଉପରେ ଚ୍ୟାଲେଞ୍ଜ ଆସିଥିବା ବେଳେ କେନ୍ଦ୍ର ସରକାର ଏଭଳି ଏକ ସଂସ୍କାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ଆନ୍ତଃ ରାଜ୍ୟ ତଥା ରାଜ୍ୟ ଭିତରେ ଉନ୍ନତି ଆଣିବା ପାଇଁ ଜାତୀୟ ଆଇନଗତ ସୁବିଧାଜନକ ଇକୋସିଷ୍ଟମ୍ ଆଣିବାର ଆବଶ୍ୟକ ଥିଲା ବୋଲି କୃଷି ମନ୍ତ୍ରାଳୟ କହିଛି।
ପ୍ରକାଶ ଥାଉ କି, ଏନେଇ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଦେକର କହିଥିଲେ, ଉତ୍ପାଦନ, ଭଣ୍ଡାରଣ, ପରିବହନ, ବିପଣନ ଓ ଯୋଗାଣ କ୍ଷେତ୍ରରେ ସ୍ୱାଧୀନତା ରହିଲେ କୃଷକମାନେ ପ୍ରତିଯୋଗୀ ସଂପନ୍ନ ବଜାରରେ ନିଜ ଉତ୍ପାଦକୁ ଅଧିକ ଦରରେ ବିକ୍ରି କରିପାରିବେ। ଏହା ସେମାନଙ୍କ ଆୟବୃଦ୍ଧିରେ ସହାୟକ ହେବ। ଚାଷୀମାନେ ଏଣିକି ଏଗ୍ରିକଲ୍ଚରାଲ ପ୍ରମୋସନ ମାର୍କେଟିଂ କମିଟିର ପ୍ରତିବନ୍ଧକରୁ ମୁକ୍ତ ହୋଇ ଯିଏ ଅଧିକ ମୂଲ୍ୟ ଦେବ ତାଙ୍କୁ ନିଜର ଉତ୍ପାଦ ବିକ୍ରି କରିପାରିବେ। ଭଣ୍ଡାରଣ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ହେଲେ କୃଷି ଉତ୍ପାଦନ ଆଉ ଅକାରଣରେ ନଷ୍ଟ ହେବ ନାହିଁ। କୃଷକ (ସଶକ୍ତିକରଣ ଓ ସୁରକ୍ଷା) ଦର ପ୍ରତିଶ୍ରୁତି ଓ କୃଷି ସେବା ରାଜିନାମା ଅଧ୍ୟାଦେଶ ୨୦୨୦ ଅଧ୍ୟାଦେଶ ଜାରି ହେବା ପରେ କ୍ରେତା ଓ ବିକ୍ରେତାମାନେ ନିଜ ସୁବିଧା ଅନୁସାରେ କିଣାବିକା କରିପାରିବେ। ଏଣିକି କୃଷି ଉତ୍ପାଦନର ଆନ୍ତଃରାଜ୍ୟ ଓ ରାଜ୍ୟଭିତରେ ବିକ୍ରି ଉପରେ ଆଉ କୌଣସି କଟକଣା ରହିବ ନାହିଁ।
from Odisha Reporter https://ift.tt/3cEp1de
No comments:
Post a Comment