ପାଟନା: ବିହାରରେ ଏକ ବିବାହ ଉତ୍ସବ ଯୋଗୁ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଯାଇଛି। ବିବାହରେ ଯୋଗଦେଇଥିବା ଲୋକମାନେ ଜଣଙ୍କ ପରେ ଜଣେ କରୋନା ସଂକ୍ରମିତ ଥିବା ଜଣାପଡ଼ୁଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ବିବାହ ସମାରୋହରେ ଯୋଗ ଦେଇଥିବା ୩୬୯ଜଣ ଲୋକଙ୍କ ନମୁନା ପରୀକ୍ଷଣ ସରିଛି। ଏମାନଙ୍କ ମଧ୍ୟରୁ ୮୦ ଜଣ କରୋନା ପଜିଟିଭ୍ ବୋଲି ଜଣାପଡ଼ିଥିବା ବେଳେ ୩୧ଜଣ ପୂର୍ବରୁ ସଂକ୍ରମିତ ଥିଲେ।
ବିହାର ପାଟନାରେ ଅନୁଷ୍ଠିତ ଏକ ବିବାହ ମହୋତ୍ସବ ପରେ ସ୍ଥିତି କମ୍ୟୁନିଟି ସଂକ୍ରମଣ ଦିଗକୁ ବଢ଼ୁଥିବା ଜଣାପଡ଼ିଛି। ପାଲିଗଞ୍ଜ ଅଞ୍ଚଳରେ ଏହି ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା। ତେବେ ବିବାହର ପରଦିନ ହିଁ ବରର ମୃତ୍ୟୁ ହୋଇଯାଇଛି। ଏହାପରେ ବିବାହରେ ଯୋଗ ଦେଇଥିବା ବ୍ୟକ୍ତିମାନେ ଜଣକ ପରେ ଜଣେ କରୋନା ପଜିଟିଭ୍ ଥିବା ଜଣାପଡ଼ୁଛି।
ଜିଲ୍ଲା ପ୍ରଶାସନ କହିବା ଅନୁସାରେ, ଜୁନ ୧୫ରେ ଏହି ବିବାହ ଆୟୋଜିତ ହୋଇଥିଲା। ଏହାର ଠିକ୍ ପରଦିନ ବରର ମୃତ୍ୟୁ ହୋଇଯାଇଛି। ବିବାହରେ ଯୋଗ ଦେଇଥିବା କେତେଜଣ ବ୍ୟକ୍ତିଙ୍କଠାରେ କରୋନା ଲକ୍ଷଣ ଥିବା ଜଣାପଡ଼ିଛି। ଏହାପରେ ବରଯାତ୍ରୀଙ୍କ ଗ୍ରୁପ୍ ସାମ୍ପଲ୍ ନିଆଗଲା। ନମୁନା ପରୀକ୍ଷଣ ପରେ ଏମାନଙ୍କ ମଧ୍ୟରେ ୯ ଜଣ କରୋନା ପଜିଟିଭ୍ ଥିବା ଜଣାପଡ଼ିଲା। ଏହା ପରେ ଅନ୍ୟ ଲୋକମାନେ ମଧ୍ୟ ସଂକ୍ରମିତ ବୋଲି ଜଣାପଡ଼ିଲା। ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୂ, ୪ଟି ପର୍ଯ୍ୟାୟରେ ବର୍ତ୍ତମାନ ସୁ୍ଦ୍ଧା ୩୬୯ଜଣ ଲୋକଙ୍କ ନମୁନା ପରୀକ୍ଷଣ କରାଯାଇଛି।
ଅନ୍ୟପଟେ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏନେଇ ପରିବାର ଲୋକ କହିଛନ୍ତି ଯେ, ବର ବିବାହ ପୂର୍ବରୁ ଦିଲ୍ଲୀରୁ ଗାଡ଼ିରେ ବିହାର ଆସିଥିଲେ। ବିହାର ପହଞ୍ଚିବା ପରେ ସେ କିଛି ଦିନ ଆଇସୋଲେସନରେ ରହିଥିଲେ। ତେବେ ବାହାଘର ପୂର୍ବରୁ କରୋନା ଲକ୍ଷଣ ଟିକେ ଟିକେ ନଜରକୁ ଆସିଥିଲା। ହେଲେ ବିବାହର ଠିକ୍ ପରଦିନ ତାଙ୍କର ମୃତ୍ୟୁ ହୋଇଗଲା। ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ସ୍ଥାନୀୟ ଅଞ୍ଚଳର ଦୋକାନୀ, ପରିବା ବ୍ୟବସାୟୀ ଏବଂ ମିଠା ଦୋକାନୀ ମଧ୍ୟ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଏହାପରେ ପ୍ରଶାସନର ଚିନ୍ତା ବଢ଼ିଯାଇଛି।
The post ବିବାହ ପରଦିନ ବରର ମୃତ୍ୟୁ, ୧୧୧ ଜଣ ଏବେ କରୋନା ପଜିଟିଭ୍ appeared first on Odisha Reporter.
from Odisha Reporter https://ift.tt/3gaeQzp
No comments:
Post a Comment