ଚିତ୍ରକୋଣ୍ଡା(ଓଡ଼ିଶା ରିପୋର୍ଟର): ଅନ୍ଧବିଶ୍ୱାସର କୁପରିଣତି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଗାଜଲମାମୁଡ଼ି ପଞ୍ଚାୟତର ତୋଟାଗୁଡା ଗ୍ରାମରେ। ଗୁଣିଗାରେଡ଼ି ସନ୍ଦେହରେ ଗ୍ରାମବାସୀ ୨ ଭାଇଙ୍କ ପରିବାର ସଦସ୍ୟଙ୍କୁ ଗାଁରୁ ବିତାଡ଼ିତ କରିଛନ୍ତି। ଗାଁରୁ ନ ବାହାରିଲେ ଜୀବନରୁ ମାରି ଦେବାର ଧମକ ପରେ ଜୀବନ ବିକଳରେ ପିଲା ଛୁଆ ଧରି ରାତାରାତି ନଦୀ ପାର ହୋଇ ପଳାଇ ଆସିଛନ୍ତି ୨ ପରିବାରର ୨୦ ସଦସ୍ୟ। ହେଲେ ଏବେ ନା ମୁଣ୍ଡ ଗୁଞ୍ଜିବାକୁ ଅଛି ଜାଗା , ନା ପେଟକୁ ମୁଠେ ଦାନା ଯୋଗାଡ଼ କରିବା ସମ୍ଭବ ହୋଇପାରୁଛି।
ସୂଚନା ଅନୁଯାୟୀ, ତୋଟାଗୁଡା ଗ୍ରାମରେ ମୋଟ ୩୩ ପରିବାର ରହୁଛନ୍ତି। କିନ୍ତୁ ଉକ୍ତ ଗ୍ରାମରେ ରହୁଥିବା ବାସୁ ଖିଲ ଓ ସୂତି ଖିଲ ନାମକ ୨ ଭାଇଙ୍କ ପରିବାର ଗୁଣିଗାରେଡ଼ି କରୁଥିବା ଦୀର୍ଘ ଦିନ ହେଲା ସନ୍ଦେହ କରୁଛନ୍ତି ଗ୍ରାମବାସୀ। ବହୁ ପୂର୍ବରୁ ଗ୍ରାମବାସୀ ଅନ୍ଧ ବିଶ୍ୱାସରେ ଶିକାର ହୋଇ ଉଭୟ ପରିବାର ସଦସ୍ୟଙ୍କୁ ନାନା ନିର୍ଯାତନା ଦେଉଥିଲେ। କିନ୍ତୁ ଚାରିଦିନ ତଳେ ଗ୍ରାମରେ କଙ୍ଗାରୁ କୋର୍ଟ ବସାଇ ଏହି ଦୁଇ ପରିବାର ୨୦ସଦସ୍ୟଙ୍କୁ ଗ୍ରାମ ଛାଡିବାକୁ ଆଦେଶ ଦେଇଥିଲେ। ତୁରନ୍ତ ଗାଁ ନ ଛାଡ଼ିଲେ ମୃତ୍ୟୁ ଦଣ୍ଡର ଧମକ ଦେବାରୁ ଏକ ଡଙ୍ଗା ସାହାଯ୍ୟରେ ଗ୍ରାମ ଛାଡି ଚିତ୍ରକୋଣ୍ଡାରେ ପହଞ୍ଚିଛନ୍ତି ଏହି ୨ ପରିବାର।
ନିଜ ଘରଦ୍ୱାରା, ଜମିପଟା,ଗାଇଗୋରୁ,ଛେଳି, ମେଣ୍ଡା ଛାଡ଼ି ଆସିଥିବାରୁ ଏବେ ସେମାନେ ପୂରା ଖାଲି ହାତ ହୋଇ ଯାଇଛନ୍ତି। ବିନା ଦୋଷରେ ଦୋଷୀ ହୋଇ ଘରଦ୍ୱାର ଛାଡିବାର କଷ୍ଟ ଥିବାବେଳେ ସେପଟେ ଦାଉ ସାଧୁଛି କରୋନା କଟକଣା। ନା ଅଛି ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ନା ଅଛି ୨ ମୁଠା ଦାନା। ସରକାର କିମ୍ବା ପ୍ରଶାସନ ତରଫରୁ ରହିବା, ଖାଇବାର ବ୍ୟବସ୍ଥା ଓ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ଏହି ୨ ପରିବାର ସଦସ୍ୟ।
The post ଗୁଣି ଗାରେଡ଼ି ସନ୍ଦେହରୁ ହତ୍ୟା ଧମକ; ରାତାରାତି ନଦୀ ପାର ହୋଇ ପଳାଇଲେ ୨ ପରିବାର appeared first on Odisha Reporter.
from Odisha Reporter https://ift.tt/3dPEFDt
No comments:
Post a Comment