ଝିଅ ଲୋ !
ସୌଭାଗ୍ୟବତୀ ହେଇଥା।
ଅହିସୁଲକ୍ଷଣୀ ହେଇଥା।
ଶାଢୀ ଚୁଡି ଯଦି ପସନ୍ଦ ନହେବ ମନଦୁଃଖ କରିବୁନି। ତୋ ମା’ ଥିଲେ ସିନା ସବୁ ଭଲ ମନ୍ଦ ଦେଇଥାନ୍ତା। ଆରଥର ବାତ୍ୟା ପାଇଁ ଭଲରେ ଦେଇପାରିଲିନି ବୋଲି ତୋ ମା’ ମତେ ଛଅ ମାସେ ଖୁଣ୍ଟା ଦେଲା। ଏ ସନକୁ ଆଖି ବୁଜିଲା ସିନା ! କହି ଯାଇଛି ମୋ ଝିଅର କୋଉଥିରେ ବି ହେଳା କରିବନି।
ଦେଖୁଚୁ ତ କରୋନା ପାଇଁ କାମ ମିଳିଲାନି, ତା’ ପଛକୁ ବର୍ଷା ପବନ। ବୁଲି ବୁଲି ବଡ଼ କଷ୍ଟରେ ଜଣେ ଚିହ୍ନା ମା’ଙ୍କ ଘରେ ବଗିଚା କାମ ଟିକେ ମିଳିଲା। ଦୁଇ ଦିନରେ ଯାହା ଟଙ୍କା ଦେବେ ଦେବେ। ତୋ ପାଇଁ କେମିତି ସାବିତ୍ରୀ ଯୋଗାଡ଼ କରିବି ଭାବୁଥିଲି …
ଘାସ ବାଛୁ ଵାଛୁ ତୋରି ଘରକୁ ରାସ୍ତା ଦିଶୁଥିଲା। ମାଟି ଖୋଳୁ ଖୋଳୁ ତୋ ଅଳତା ପିନ୍ଧା ପାଦ ଯୋଡ଼ିକରୁ ଝୁମରୁ ଝୁମରୁ ଶୁଭୁଥିଲା। ଫୁଲ ପେନ୍ଥା ଭିତରେ ତୋ କଣ୍ଢେଇ ପରି ମୁହଁଟା ଲୁଚି ଲୁଚି ହସୁଥିଲା। ହଠାତ୍ ସୁଲୁସୁଲୁ ପବନ ଝଲକାଏ ଦେହରେ ଘଷି ହେଇ ଗେହ୍ଲାରେ ଡାକି ଦେଲା.. ବାପା ! ବାପା !
ମୋ ଲାଗିଏତେ କଷ୍ଟ କରନି ବାପା…. ମା’ ନାହିଁ। ଏକୁଟିଆ କ’ଣ କରିବ ? ତମେ କ’ଣ ସତରେ ଆସିବ ବାପା?
ହେଇ ଯାଉଛି କହି ବାହାରି ଆସିଲି, ମାଲିକାଣୀ ଟଙ୍କା ବଢେଇଦେଲେ। ମାଟି ଛାଡ଼ି ନଥିଲା ହାତୁରୁ, ତରତର ହୋଇ ଗଣି ଦେଇଗଲି ଟଙ୍କା। ଆମ୍ବ ପଣସ, କଦଳୀ, ନଡ଼ିଆ, ଖଜୁରୀ ହିସାବରେ ସରିଗଲା ଗଣତି। ଲୁଗା, ଚୁଡି, ଶଙ୍ଖା ସିନ୍ଦୂର ଅଳତା ପାଇଁ ପଇସା କାଇଁ? ଲୁହକୁ ବନ୍ଦ କରିପାରିଲିନି। ଝରିଗଲା ତୋରି ପରି ଅଝଟିଆ, ଅମାନିଆ ହେଇ। ମୁହଁ ପୋତି ତର ତର ପାଦରେ ବାହାରି ଆସିଲି ସେଠୁ, ପାହାଚ, ସେଠୁ ଗାରେଜ୍, ବଗିଚା ତା’ପରେ ଗେଟ୍…
ରଘୁ…. !! ରଘୁ… ଶୁଣ ଟିକେ।
ଉପରୁ ମା’ଙ୍କ ଡାକ ଶୁଣି ଅଟକିଗଲି। ଦଉଡ଼ି ଦଉଡ଼ି ମା’ ତଳକୁ ଆସିଲେ। ଭାବିଲି ଭୁଲରେ ଅଧିକା ପଇସା ଦେଇଦେଲେ ବୋଲି ଫେରେଇ ନେବେକି କିଛି ଆଉ? ଦୁଃଖରେ ଟଳମଳ ହେଇଗଲା ମୋର ଗୋଡ଼। ଥରି ଉଠିଲା ଛାତି…
କିନ୍ତୁ ଏ କ’ଣ ? ମୋ ହାତରେ ଗୁଞ୍ଜିଦେଲେ କିଛି ଟଙ୍କା.. ହଜାରେ ଟଙ୍କା ରଖ ରଘୁ, ତମ ଝିଅ ପାଇଁ ସାବିତ୍ରୀ ଖର୍ଚ୍ଚ। ତାକୁ ମୋର ଆଶୀର୍ବାଦ ଦେବ। କେମିତି ଜାଣିଲେ ସେ ମୋ ମନକଥା ? ପ୍ରଭୁ ଦୟାମୟ ! ଅପାର କରୁଣା ତୁମର ! ମୋ ଝିଅ ପାଇଁ ମା’ଟିଏ ପଠେଦେଲେ ଯେମିତି।
ଠାକୁରେ ତୁମର ମଙ୍ଗଳ କରନ୍ତୁ ମା’ !
ଆଶୀର୍ବାଦ ଢାଳିଦେଇ ଗଛରେ ନାଲି ହଳଦିଆ ଫୁଲପେନ୍ଥା ଆଡେ ଅନେଇଲି। ସେମାନେ ମା’ଙ୍କ ଶାଢୀରେ ଅଜାଡ଼ି ହୋଇପଡ଼ିଥିଲେ ଯେମିତି। ସାକ୍ଷାତ ଲକ୍ଷ୍ମୀ ପରି ଦିଶୁଥିଲେ। ଦୋକାନ ଯାଇ ସେଇ ଭଳିଆ ଲୁଗା ଖଣ୍ଡିଏ କିଣି ଆଣିଲି।
**
ଶାଢୀ ଖଣ୍ଡିକ ଛାତିରେ ଚାପି ଧରି ଝିଅ ଅନୁଭବ କରୁଥିଲା ମା’ ହାତର ମିଠା ମିଠା ସ୍ପର୍ଶ, ବାପାଙ୍କର ସରୁନଥିବା ଆଶୀର୍ବାଦ ଆଉ ବାପ ଘରୁ ଆସିଥିବା ସାବିତ୍ରୀ ଶାଢ଼ୀର ଅମାପ ଆତ୍ମୀୟତା।
ବନ୍ଦନା ପଣ୍ଡା
୧୦୫, ଲୁମ୍ବିନୀ ବିହାର
୯୪୩୭୪୨୮୬୪୯
The post ସାବିତ୍ରୀ ଶାଢ଼ୀ appeared first on Odisha Reporter.
from Odisha Reporter https://ift.tt/2OT4k46
No comments:
Post a Comment