ଅବସର ନେବା ପରେ ବି କୃଷ୍ଣ ଜଣେ ଯୋଦ୍ଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 12, 2020

ଅବସର ନେବା ପରେ ବି କୃଷ୍ଣ ଜଣେ ଯୋଦ୍ଧା

ଭାରତବର୍ଷର ପ୍ରକୃତ ଶକ୍ତି ଓ ଗୌରବ ହେଉଛନ୍ତି ଯବାନ ଓ କିଷାନ। ସେଥିପାଇଁ ପ୍ରତ୍ୟେକ ଭାରତବାସୀ ଗର୍ବରେ କୁହନ୍ତି “ଜୟ ଯବାନ, ଜୟ କିଷାନ”। ତେବେ ସୀମାରେ ଯବାନ ଭାବରେ ଦେଶ ମାତୃକାର ସେବା କରି ଜନ୍ମମାଟିକୁ ଫେରିବା ପରେ ସବୁଜ ଯୋଦ୍ଧା ଟିଏ ସାଜି ଯିଏ ସେବା ଆରମ୍ଭ କରିଛି, ସେ ଭାରତ ମା’ର ପ୍ରକୃତରେ ଜଣେ ସୁଯୋଗ୍ୟ ସନ୍ତାନ। ଆଜି ଆମେ ଦେଶର ତଥା ଓଡ଼ିଶା ମାଟିର ଜଣେ ଏଭଳି ସୁଯୋଗ୍ୟ ସନ୍ତାନଙ୍କ ବିଷୟ ଜାଣିବା, ଯିଏ ଆର୍ମୀ ଯବାନ ଭାବେ ଅବସର ନେବା ପରେ ଜଣେ ସଫଳ ଚାଷୀ ଓ ସବୁଜ ଯୋଦ୍ଧା ସାଜି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି।

ପୁରୀ ଜିଲ୍ଲୀ ଗୁଣ୍ଡାଳବା ଗ୍ରାମର ଅବସର ପ୍ରାପ୍ତ ଆର୍ମୀ ଯବାନ କୃଷ୍ଣ ଚନ୍ଦ୍ର ବିଶ୍ୱାଳ। ପ୍ରାୟ 21 ବର୍ଷ ପୂର୍ବେ ସେ ଖଜୁରୀ, ଆମ୍ୱ, ଜାମୁକୋଳି ଏବଂ ଅନ୍ୟାନ୍ୟ ଫଳ ଚାରା ରୋପଣ କରିବା ଆରମ୍ଭ କରିଥିଲେ। ଆଜି ସେ ନିକଟସ୍ଥ ଦାଲୁଆକାଣି ଗ୍ରାମର ଗୁମୁଟି କେଶବ ମନ୍ଦିର ପର୍ଯ୍ୟନ୍ତ 5 କି.ମିରୁ ଅଧିକ ଜମିରେ ପ୍ରାୟ 50 ହଜାର ଚାରା ରୋପଣ କରିଛନ୍ତି। କୃଷ୍ଣଙ୍କ ବିଶ୍ୱାସ ରହିଛି ଯେ, ତାଙ୍କର ଏଭଳି ପ୍ରୟାସ ଯୋଗୁ ଏହି ଚାରା ଦିନେ ବୃକ୍ଷରେ ପରିଣତ ହୋଇ ପ୍ରଳୟଙ୍କାରୀ ସାମୁଦ୍ରିକ ଘୂର୍ଣ୍ଣଝଡ଼ ସାମ୍ନାରେ ଶକ୍ତ ପ୍ରତିରୋଧ ହୋଇ ଛିଡ଼ା ହେବାସହ ମୃତ୍ତିକା କ୍ଷୟ ରୋକିବାରେ ମଧ୍ୟ ସହାୟକ ହେବ।

ସେ କହିଛନ୍ତି, “1999 ମହାବାତ୍ୟାର କିଛି ଦିନ ପରେ ସେ ଏକ ଅଳ୍ପକିଛି ଦିନ ପାଇଁ ନିଜ ଘରକୁ ଆସିଥିଲେ, ଯେଉଁଠି ଦେଖିଲି ମହାବାତ୍ୟା ମୋ ଗାଁ, ସମଗ୍ର ପୁରୀ ଜିଲ୍ଲା ତଥା ଓଡ଼ିଶାର ଅନ୍ୟ ଭାଗକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି। ମାନବ ଜୀବନ, ସମ୍ପତ୍ତି, ଜୀବଜନ୍ତୁ ଏବଂ ପରିବେଶ ପାଇଁ ସୃଷ୍ଟି କରିଥିବା ବିନାଶକାରୀ ତାଣ୍ଡବର ଚିତ୍ର ହୃଦୟ ବିଦାରକ ଥିଲା। ନିକଟସ୍ଥ ଆସ୍ତରଙ୍ଗ ବେଳାଭୂମିରୁ ଟନ୍ ବାଲି ଆମ ଗାଁରେ ପଶିଯାଇଥିଲା। ସେହି ସମୟରେ ମୁଁ କିଛି ଆମ୍ୱ, ଖଜୁରୀ ଗଛ ମୋ ଘର ନିକଟରେ ଲଗାଇ ବନ୍ଧ୍ୟା ଜମିକୁ ପୁଣି ସବୁଜ ସୁନ୍ଦର କରିବାକୁ ନିଷ୍ପତ୍ତି ନେଇଥିଲି।”

ସେ ଆହୁରି କହିଛନ୍ତି, 1999 ମହାବତ୍ୟାର କେବଳ ପରବର୍ତ୍ତୀ ଚିତ୍ର ସେ ନିଜ ଅଞ୍ଚଳରେ ଦେଖିବାକୁ ପାଇଥିଲେ। ହେଲେ ସେ ଓଡ଼ିଶାରେ ଥିଲାବେଳେ 2019ରେ ଫନୀ ବାତ୍ୟାର ତାଣ୍ଡବ ନିଜେ ଅଙ୍ଗେ ନିଭେଇଛନ୍ତି। ଏହା ତାଙ୍କ ଜୀବନର ପ୍ରଥମ ଅନୁଭୂତି ଥିଲା, ଯେତେବେଳେ ସେ ପ୍ରକୃତିର କ୍ରୋଧର ପ୍ରତ୍ୟକ୍ଷ ଭାବେ ସାମ୍ନା କରିଥିଲେ।

କିଛି ଦିନ ପରେ କୃଷ୍ଣ ନିଜ ଗାଁର କେତେଜଣ ପିଲାଙ୍କୁ ଏକାଠି କଲେ ଏବଂ ସମୁଦ୍ର କୂଳରେ ବୃକ୍ଷରୋପଣ କାର୍ଯ୍ୟରେ ସାମିଲ ହେଲେ ସୁସ୍ୱାଦୁ ବ୍ୟଞ୍ଜନ ସହ ଏକ ଭବ୍ୟ ଭୋଜି ଖାଇବାକୁ ଦେବେ ବୋଲି ପ୍ରସ୍ତାବ ଦେଇଥିଲେ। ଭୋଜି ଖାଇବାର ପ୍ରସ୍ତାବ ସେମାନଙ୍କୁ ଲାଳାୟିତ କରିଥିଲା। ଏଣୁ ସେମାନେ କୃଷ୍ଣଙ୍କୁ ସହଯୋଗ କରିବାକୁ ରାଜି ହୋଇଗଲେ। ପିଲାମାନଙ୍କ ସହଯୋଗରେ ତିନି ମାସ ଭିତରେ ପ୍ରାୟ 5 କିଲୋମିଟର ପର୍ଯ୍ୟନ୍ତ ସେ 50 ହଜାର ମଞ୍ଜି ଓ ଚାରାରୋପଣ କରିବାରେ ସକ୍ଷମ ହୋଇପାରିଲେ। ତେବେ ସେ ଖଜୁରୀ, ଆମ୍ବ, ଜାମୁକୋଳି, ନିମ ଆଦି କିସମଗୁଡ଼ିକୁ ବୃକ୍ଷରୋପଣ ଲାଗି ବାଛିଲେ। କାରଣ ଏହି ବୃକ୍ଷଗୁଡ଼ିକ ମୃତ୍ତିକା କ୍ଷୟରୁ ରକ୍ଷା କରିଥାଏ। ଆଉ ଘୂର୍ଣ୍ଣଝଡ଼ ବିରୁଦ୍ଧରେ ଦୃଢ଼ ଓ ଶକ୍ତ ବାଡ଼ ଭଳି ଠିଆ ହେବାସହ ସେହି ଅଞ୍ଚଳ ପଶୁପକ୍ଷୀଙ୍କ ଖାଦ୍ୟ ପାଇଁ ଫଳ ମଧ୍ୟ ଦେଇଥାଏ ବୋଲି କୃଷ୍ଣ କହିଛନ୍ତି।

ତେବେ କୃଷ୍ଣଙ୍କ ଏହି ପ୍ରୟାସ ଯୋଗୁ ତାଙ୍କୁ ଅନେକ ବାଧାବିଘ୍ନର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ିଥିଲା। ଫନି ପରେ ଯେତେବେଳେ ସେ ଜୋରଶୋରରେ ବୃକ୍ଷରୋପଣ କାର୍ଯ୍ୟ ଆରମ୍ଭ କରିଥିଲେ, ବନବିଭାଗ ଅଧିକାରୀଙ୍କୁ ସନ୍ଦେହ ଥିଲା ଯେ, କୃଷ୍ଣ କାଳେ ସରକାରୀ ଜମି ଚୋରି କରିବାକୁ ଚେଷ୍ଟା କରୁଛନ୍ତି। ତେବେ ସଚେତନତା ଅଭାବରୁ ଉଭୟ ମୋର ଓ ବନବିଭାଗ ପକ୍ଷରୁ ଏହି ଭୁଲ ବୁଝାମଣା ସୃଷ୍ଟି ହୋଇଥିଲା ବୋଲି କୃଷ୍ଣ କହିଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ମୋର ପକ୍ଷ ଶୁଣିବା ପରେ ଏବଂ ବୃକ୍ଷରୋପଣ ଉଦ୍ୟମକୁ ଶାରୀରିକ ଭାବରେ ଯାଞ୍ଚ କରିବା ପରେ ସେମାନେ ନିଶ୍ଚିତ ହୋଇଥିଲେ ଯେ, ଏହା ପଛରେ ମୋର କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ। ଜଣେ ଦାୟିତ୍ୱବାନ ନାଗରିକ ଭାବେ ମୁଁ ଏହି କାମ କରୁଛି ବୋଲି ବନବିଭାଗ ହୃଦୟଙ୍ଗମ କରିଥିଲା ବୋଲି କୃଷ୍ଣ କହିଛନ୍ତି।

ଏହାବ୍ୟତୀତ ବୃକ୍ଷଗୁଡ଼ିକର ରକ୍ଷଣାବେକ୍ଷଣ କୃଷ୍ଣଙ୍କ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ। ବିଶାଳକାୟ ତଥା ପରିପକ୍ୱ ବୃକ୍ଷଗୁଡ଼ିକ ପତ୍ରଝଡ଼ା ଦେଇଥାନ୍ତି, ଯାହା ଆଖପାଖରେ ରୋପଣ କରାଯାଇଥିବା ଚାରା ବା ମଞ୍ଜି ଉପରେ ଜମା ହୋଇଥାଏ। ଏହାକୁ ନିୟମିତ ସମୟ ବ୍ୟବଧାନରେ ସଫା କରିବା ହେଉଛି ସବୁଠାରୁ ବଡ଼ କାମ। ତେବେ କୃଷ୍ଣ ଏହି ସମସ୍ୟାର ସମାଧାନ ପାଇଁ ମଧ୍ୟ ତାଙ୍କର ସେହି ପୁରୁଣା ଭୋଜି ଫର୍ମୁଲା ଆପଣାଇଥିଲେ। ସେ କେତେଜଣ ଯୁବ ସବୁଜ ଯୋଦ୍ଧାଙ୍କୁ ଏହି କାମରେ ଲଗାଇଦେଲେ।

1999 ମହାବାତ୍ୟା ପରେ କୃଷ୍ଣ ଲଗାଇଥିବା ଆମ୍ବ ଗଛଗୁଡ଼ିକ ମଧ୍ୟରୁ ଏବେ କେବଳ ଦୁଇ ଡଜନ ଆମ୍ୱ ଗଛ ବଞ୍ଚିଛନ୍ତି। ଅନ୍ୟ ବଣୁଆ ଗଛଗୁଡ଼ିକ ସମେତ ଏହି ଗଛଗୁଡ଼ିକୁ ମଧ୍ୟ ବନବିଭାଗ କାଟି ଦେଇଥିଲା। କାରଣ ସେତେବେଳେ ଗଛଗୁଡ଼ିକୁ କିଏ ରୋପଣ କରିଛି ସେମାନେ ଜାଣି ନ ଥିଲେ। ତାହା ପ୍ରକୃତରେ ଏକ ଭୁଲ ବୁଝାମଣା ଥିଲା। ତଥାପି ସେଠାରେ କିଛି ଜାମୁକୋଳି, ନିମ ଗଛ ବଞ୍ଚିଛନ୍ତି, ଯାହା ମୃତ୍ତିକା କ୍ଷୟକୁ ରୋକିବାରେ ସାହାଯ୍ୟ କରିବା ସହ ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଉଛନ୍ତି ବୋଲି କୃଷ୍ଣ କହିଛନ୍ତି।

ଅନ୍ୟପଟେ ଫନି ପରେ କୃଷ୍ଣ ରୋପଣ କରିଥିବା ଚାରା ଓ ମଞ୍ଚିଗୁଡ଼ିକ ଏବେ ଗଛରେ ପରିଣତ ହୋଇଛନ୍ତି। କିନ୍ତୁ ସେଗୁଡ଼ିକ ବର୍ତ୍ତମାନ ଯୁବାବସ୍ଥାରେ। ଆଉ କିଛି ବର୍ଷ ପରେ ସେଗୁଡ଼ିକ ପରିପକ୍ୱ ବୃକ୍ଷରେ ପରିଣତ ହୋଇ ମୃତ୍ତିକା କ୍ଷୟକୁ ରୋକିବେ ଏବଂ ଘୂର୍ଣ୍ଣିଝଡ଼ର ବିରୁଦ୍ଧରେ ଶକ୍ତ, ମଜବୁତ ପ୍ରତିରୋଧ ବାଡ଼ ହୋଇ ଛିଡ଼ା ହେବେ।

ଉଲ୍ଲେଖ୍ୟଯୋଗ୍ୟ, ଅବସରପ୍ରାପ୍ତ ଯବାନ କୃଷ୍ଣ ଚନ୍ଦ୍ର ବିଶ୍ୱାଳ ନିଜ ପେନସନ ଟଙ୍କା ଖର୍ଚ୍ଚ କରି ଏହି ଉଦ୍ୟମ ଚଳାଇଛନ୍ତି। ଏ ସବୁ ଉଦ୍ୟମ ପଛରେ କେତେ ଖର୍ଚ୍ଚ ହେଲା ତା’ର ହିସାବ କୃଷ୍ଣ କେବେ ରଖି ନାହାନ୍ତି। ଯେତେ ଯାହା ହେଲେ ବି, ଏଇଟା ମୋର ନିଜ ଗାଁ, ମୋ ନିଜ ଘର। କେବଳ ଜଣେ ଦାୟିତ୍ୱବାନ ନାଗରିକ ହୋଇ ନିଜର କର୍ତ୍ତବ୍ୟ ପାଳନ କରୁଛି ବୋଲି କୃଷ୍ଣ କହିଛନ୍ତି।

The post ଅବସର ନେବା ପରେ ବି କୃଷ୍ଣ ଜଣେ ଯୋଦ୍ଧା appeared first on Odisha Reporter.



from Odisha Reporter https://ift.tt/3iVXEji

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages