ମମତ୍ୱବୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 21, 2020

ମମତ୍ୱବୋଧ

‘ଆସ ମା’, ତୁମେ ଏଇଠି ବସ, ଆଜିଠୁ ଏଇଟା ତୁମର ସିଟ। କାହିଁ  କେଉଁ ଦିନରୁ ଆମେ ଦୁହେଁ ଅପେକ୍ଷା କରିଥିଲୁ, କେବେ ଏ ଘରକୁ ଜଣେ ମୁରବି ଆସିବେ। ଆମକୁ ସ୍ନେହ, ଶ୍ରଦ୍ଧା, ଆଦର କରିବେ। ଏ ଘରକୁ ଆସୁଥିବା ପ୍ରତ୍ୟେକ ବିପଦ ଆପଦ ବେଳେ ତାଙ୍କ ପଣତ କାନି ତଳେ ଆଶ୍ରୟ ଦେବେ । ତୁମର ଆଉ କୁଆଡେ ଯିବାର ଆବଶ୍ୟକତା ନାହିଁ। ଏଇ ଘରେ ଖୁସି ଖୁସି ରୁହ। ଆଜିଠୁ ତୁମେ ମମତା ଆଉ ମୋ ସହିତ ହିଁ ରହିବ। ଏଇଠି ତୁମର ହସଖୁସିରେ ସମୟ ବିତିଯିବ ମା’। ତା’ ଛଡ଼ା ତୁମକୁ ହଇରାଣ କରିବା ପାଇଁ ଖୁସି ଅଛି। ଶୋଇକି ଉଠୁ ସେ, ତା ପଛେ ପଛେ ଭାଗୁ ଭାଗୁ ସକାଳରୁ ସଞ୍ଜ କିପରି କଟିଯିବ ଜଣାପଡ଼ିବ ନାହିଁ। କ’ଣ କହୁଛ ମା’?’

ବ୍ରେକଫାଷ୍ଟ ଧରି ଆସିଲେ ମମତା। ‘ଆଉ କିଛି କହିବାର ନାଇଁ। ମା’ ଇଏ ଠିକ କହୁଛନ୍ତି।’

ଚୁପଚାପ ବସି ଶୁଣୁଥିଲେ ଆରତୀ। କ’ଣ ଯେ ସେ କହିବେ କିଛି ଜାଣିପାରୁ ନାହାଁନ୍ତି। କେବଳ ଦୁହିଙ୍କ କଥାଶୁଣି ଅଳ୍ପଅଳ୍ପ ହସୁ ଥାଆନ୍ତି। ଜଳଖିଆ ଟେବୁଲ ଉପରେ ଥରେ ଆଖିବୁଲାଇ ଆଣିଲେ ସେ। ହାତଧରି ମମତାକୁ ପାଖରେ ବସାଇଲେ।

‘ମୋ ପାଇଁ ସକାଳୁ ସକାଳୁ ହଇରାଣ ହୋଇ ଏତେ ଗୁଡ଼ାଏ ଖାଇବା କାହିଁକି ବନେଇଲୁ। ମୁଁ ତ ପଖାଳ ପାଣି ଖାଇବା ଲୋକ, ମୋର ଯାହା କିଛି ବି ହେଲେ ଚଳିଯିବ।’

‘ନାଇଁ ମା’ ନିଜ ପରିବାର ସଦସ୍ୟଙ୍କ ପାଇଁ ଖାଇବା ବନେଇବାରେ ପୁଣି ହଇରାଣ କ’ଣ ? ଏସବୁ ମୁଁ ନିଜ ଖୁସିରେ ହିଁ ବନେଇଛି।’ ଥାଳିଟିଏ ସଜାଡ଼ି ଦେଲେ ମମତା।

‘ତୁମେମାନେ କଥା ହେଉଥା। ମୋର ବିଳମ୍ବ ହେଉଛି, ମୁଁ ଅଫିସ ଚାଲିଲି। ମା’ଙ୍କ ପାଇଁ ରୁମ ଆରେଞ୍ଜ କରିଦେବ ମମତା। ସେ ଦୂରଯାତ୍ରା କରିଆସିଛନ୍ତି। ଟିକେ ବିଶ୍ରାମ ନେବେ,’ କହି ବାହାରକୁ ଚାଲିଗଲେ ସୂରଜ। ଆରତୀଙ୍କ ପ୍ଳେଟରେ ଆଉ କିଛି ପୁରୀ ତରକାରୀ ଦେଇ ନିଜେ ଖାଇ ବସିଲେ ମମତା।

‘ବୁଝିଲେ ମା’! ଖୁସିର ଇଏ ସେକେଣ୍ଡ ଟ୍ରିପ। ସେ ଦିନକୁ ତିନିଥର ଶୁଏ। ଏଇ ଦୁଇ ପୁରି ତିନି ଚାଲିଲା ତାକୁ। ପୁରା ଚାଇନିଜ କଣ୍ଢେଇ ପରି ଦେଖିବାକୁ।, ଉଠିଲେ କେତେ ଗୁଲୁଗୁଲିଆ କଥା କହିବ ଦେଖିବେ। ବହୁତ ଜଲ୍‌ଦି ସେ ଆପଣଙ୍କୁ ଅପଣାଇ ନେବ।’

ଦୁହିଁଙ୍କର ଖାଇବା ସରିବା ପରେ ମମତା ନେଇଯାଇଥିଲା ଆରତୀଙ୍କୁ ତାଙ୍କ ରୁମରେ ଛାଡିବା ପାଇଁ। ଯେତକ ଆବଶ୍ୟକୀୟ ଜିନିଷ ସବୁକିଛି ତାଙ୍କ ହାତ ପାଆନ୍ତାରେ ରଖୁଥାଆନ୍ତି। ମନେମନେ ଚିନ୍ତା କରୁଥାଆନ୍ତି ଆରତୀ, କେତେ ସୁନ୍ଦର ୟାର ଆଚରଣ, କେତେ ମାର୍ଜିତ, ନମ୍ର କଥାବାର୍ତା, ନାଁଟି ଯେପରି ଗୁଣ ବି ସେପରି। ହାତଧରି ମମତାଙ୍କୁ ପାଖରେ ବସାଇଲେ ଆରତୀ। କାହିଁଙ୍କି ତୁମେମାନେ ହଇରାଣ ହେଉଛ? ମୁଁ ଯେପରି ଯୋଉ ଅବସ୍ଥାରେ ଥିଲି ଠିକଥିଲି। ଆଉବା କେତେଦିନ ବଞ୍ଚିବି! ଦୁଃଖେକଷ୍ଟେ ଦିନ ମୋର ବିତି ଯାଇଥାନ୍ତା। ଅଯଥାରେ ତୁମମାନଙ୍କ ଉପରେ ବୋଝ ହେବି। ସୁରଜଟା ଯାହା ଜିଦ କରି ରାଣ ନିୟମ ପକାଇ ଆଣିଲା। ଏପରି ଚିନ୍ତାଧାରା ଆପଣଙ୍କ ମନରେ ଆଣନ୍ତୁ ନାହିଁ ମା’। ଆମ ଗୁରୁ ଗୁରୁଜନ ଆମ ପାଇଁ ବୋଝ ନୁହନ୍ତି। ଆପଣଙ୍କ ସେବା କରିବା ଆମର କର୍ତବ୍ୟ। ଏଥିରେ ଖୁବ ଆନନ୍ଦ ମିଳିଥାଏ। ଆପଣ ରେଷ୍ଟ ନିଅନ୍ତୁ, ମୁଁ ଆସୁଛି। ରୁମ ଭିତରେ ଆରତୀଙ୍କୁ ଛାଡ଼ି ବାହାରକୁ ଚାଲିଆସିଲେ ମମତା। ଖୁସି ଉଠିବା ପୂର୍ବରୁ ଘରର ଯାବତୀୟ କାମ ତାଙ୍କୁ ଶେଷ କରିବାର ଅଛି। ଉଠିଲେ ମା’ଙ୍କୁ ଦେଖି ବହୁତ ଖୁସି ହୋଇଯିବ। ତାକୁ ଖେଳିବାକୁ ଗୋଟେ ସାଥି ମିଳିଗଲା ଯେ ! ଆଉ ତାଙ୍କର ପୂରାପୂରି ବିଶ୍ୱାସ ଅଛି ମା’ ବି ଖୁସିକୁ ସେତିକି ଆଦର ସ୍ନେହ କରିବେ, ଯେତିକି ସେ ତା ବାପାଙ୍କୁ କରୁଥିଲେ।

ବାହାଘର ଠିକ ହେବାପରେ ସୁରଜଙ୍କ ସହ ସେ ଦୁଇତିନିଥର ଫୋନରେ କଥା ହୋଇଥିଲେ। ସେହି କଥାବାର୍ତା ଭିତରେ ହିଁ ସୂରଜ ଜଣାଇ ଦେଇଥିଲେ ଏଇ ମା’ (ନାନୀ ମା’)ଙ୍କ କଥା। ସୂରଜଙ୍କ ଗାଁ ପାଖ ଗାଁରେ ନାନୀ ମା’ଙ୍କ ଘର। ଅତ୍ୟନ୍ତ ଗରିବ ପରିବାର ଥିଲା ତାଙ୍କର। ଘରେ ବୃଦ୍ଧ ଶାଶୁ, ଶଶୁର। ଏକୁଟିଆ ତାଙ୍କ ସ୍ଵାମୀ ପାଖରେ ଘର ଚଳାଇବା ସମ୍ଭବପର ହେଉ ନଥିଲା। ଏଣୁ ପେଟ ପୋଷିବା ପାଇଁ ସିଏ ମଧ୍ୟ କାମଧନ୍ଦା ଖୋଜିବାରେ ଲାଗିଲେ। ସେତେବେଳେ ସୂରଜଙ୍କ ବଡ଼ବାପା ତାଙ୍କ ଗାଁ ସ୍କୁଲରେ ପ୍ରଧାନ ଶିକ୍ଷକ ଥିଲେ। ନିଇତି ଯିବା ବାଟରେ ତାଙ୍କର ଦେଖା ହେଉଥିଲା ନାନୀ ମା’ର ସ୍ଵାମୀ ସହିତ। ଏମିତି କଥା କଥାକେ ସେ ଜଣାଇଥିଲେ ଘରେ କିଛି କାମ ଧନ୍ଦା ଥିଲେ କହିବେ ମାଷ୍ଟରେ। ଏଇ ସ୍ତ୍ରୀ ଲୋକ କାମ ଯାହାସବୁ। ବଡ଼ବାପା ଏକଥା ଶୁଣି ତୁରନ୍ତ ରାଜି ହୋଇ କହିଲେ କାମ ଅଛି। ହେଲେ ଗୋଟେ ଛୋଟ ଛୁଆର ଲାଳନ ପାଳନର। ସନିଆ ଏଥିରେ ରାଜି ହୋଇଯାଇଥିଲା। ତା’ ପରଦିନଠାରୁ ସୂରଜଙ୍କ ଲାଳନ ପାଳନ ଦାଇତ୍ଵ ନାନୀ ମା’ ନେଇଥିଲେ। ମାତ୍ର ଏକ ବର୍ଷ ହୋଇଥିଲା ସୂରଜଙ୍କୁ, ତାଙ୍କ ବାପା, ମାଁ ଉଭୟଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଜେଜେ, ଜେଜିମା’ ପାଖରେ ବଢିଥିଲେ ସୂରଜ। ବିବାହର ଦୁଇବର୍ଷ ପରେ ନାନୀ ମା’ଙ୍କର କୌଣସି ସନ୍ତାନ ନଥିଲା। ଏଣୁ ସୂରଜଙ୍କୁ ସେ ନିଜ ସନ୍ତାନ ପରି ଦେଖୁଥିଲେ। ସବୁକିଛି ଅଳି ଅର୍ଦ୍ଦଳି ସେ ଏଇ ନାନୀ ମା’ଙ୍କ ପାଖରେ କରନ୍ତି। ପ୍ରତ୍ୟେକ ଦିନ ସକାଳ ୬ଟାରୁ ଆସି ରାତିକୁ ଯଆନ୍ତି ନାନୀ ମା’। ସୂରଜଙ୍କୁ ପାଞ୍ଚ ବର୍ଷ ହେବା ବେଳକୁ ନାନୀ ମା’ଙ୍କର ପୁଅଟିଏ ଜନ୍ମ ହେଲା। କିଛିଦିନ ସେ ଆଉ ଆମ ଘରକୁ ପୂର୍ବ ପରି ଆସି ପାରିଲେ ନାହିଁ। ତାଙ୍କ ଶାଶୁ ଶଶୁର ମଧ୍ୟ ସେତେବେଳକୁ ଆରପାରିକୁ ଚାଲି ଯାଇଥିଲେ। ସୂରଜ କିନ୍ତୁ ତାଙ୍କୁ ଏତେ ଆପଣେଇ ନେଇଥିଲେ ଯେ ପ୍ରତ୍ୟେକ ଦିନ ସ୍କୁଲ ଯିବା ଆସିବା ବାଟରେ ତାଙ୍କୁ ଦେଖାକରି ଫେରୁଥିଲେ।

ପୁଅଟିଏ ହେବା ପରେ ବି ସୂରଜଙ୍କ ପ୍ରତି ତାଙ୍କର ସ୍ନେହ ଶ୍ରଦ୍ଧା ଅତୁଟ ରହିଥାଏ। ସବୁବେଳେ କୁହନ୍ତି ତୁ ତ ମୋର ବଡ଼ ପୁଅ। ତୁ ମତେ ଆଗ ମା’ ବୋଲି ଡାକିଛୁ। ସବୁଦିନ ତୁ ମୋର ବଡ଼ ପୁଅ ହୋଇ ରହିବୁ। ତୁ ଯେତେ ବଡ଼ ହେଲେ ବି କେତେବେଳେ କେମିତି ଆସି ଏ ବୁଢୀ ମା’ଟାକୁ ଦେଖା କରି ଯିବୁ। ହଁ ହଁ କହି ଦୌଡ଼ି ପଳାଇ ଆସନ୍ତି ସୂରଜ। ଧୀରେ ଧୀରେ ସମୟ ଗଡ଼ି ଚାଲିଲା। ଜେଜେ ଜେଜିମା ଚାଲିଯିବା ପରେ ପରିବାରର ସମସ୍ତେ ନିଜ ନିଜ କଥା ବୁଝିଲେ; ସମସ୍ତଙ୍କ ଭିତରେ ସୂରଜ ହୋଇଗଲେ ଅବହେଳିତ। କଟକରେ ମାମୁଁ ଘରେ ଆରମ୍ଭ ହୋଇଥିଲା ତା’ ପରର ଜୀବନ। ସେହିଠାରୁ ପାଠପଢ଼ା ଶେଷକରି ଚାକିରି କରିଥିଲେ। ଗାଁକୁ ଯିବା ଆସିବା ବହୁତ କମି ଯାଇଥିଲା ତାଙ୍କର। ଗଲେ କିନ୍ତୁ ନାନୀ ମା’ଙ୍କ ଘର ଆଡ଼େ ନିଶ୍ଚିନ୍ତ ବୁଲି ଆସନ୍ତି। ଏହାଛଡ଼ା ତାଙ୍କର କୌଣସି ସୁବିଧା ଅସୁବିଧା ହେଲେ ଜଣାଇବା ପାଇଁ ଅନୁରୋଧ କରି ଆସନ୍ତି। ଏହାର କିଛିଦିନ ପରେ ଆମର ବିବାହ ହୋଇଥିଲା। ଆଶୀର୍ବାଦ ଦେଇଥିଲେ ଦୂରରୁ। ବିବାହରେ ଯୋଗ ଦେଇ ପାରିନଥିଲେ। କାକାଖୁଡ଼ୀଙ୍କ ହାତରେ ସୂରଜ ତାଙ୍କ ଅନେକ ପସନ୍ଦର ଜିନିଷ ତାଙ୍କ ପାଖକୁ ପଠାଇଥିଲେ।

ୟା ଭିତରେ ଉଭୟ ପାରିବାରିକ ଓ କର୍ମ କ୍ଷେତ୍ରରେ ବହୁ ସମସ୍ୟା ନେଇ ବ୍ୟସ୍ତ ରହିବାରୁ ମନ ଥିଲେ ବି ଯାଇପାରି ନଥିଲେ ଗାଁ ଆଡ଼େ। ହଠାତ ଦିନେ ଦାଦାଙ୍କ ସଙ୍ଗେ କଥା ହେଉ ହେଉ ନାନୀ ମା’ଙ୍କ ବିଷୟରେ ସବୁକଥା ଜଣାଇଥିଲେ ସେ। କେତେ କଷ୍ଟରେ ଜୀବନ କାଟୁଛନ୍ତି ସେ। ଯେଉଁ ଛୋଟିଆ ଜମି ଖଣ୍ଡେ ଥିଲା ତାକୁ ବନ୍ଧା ପକାଇ କଷ୍ଟେମଷ୍ଟେ ପୁଅ ବାହାଘରଟି କରିଥିଲା। ବାହାଘରର ଦୁଇମାସ ଭିତରେ ପୁଅ ଚାକିରି ଜାଗାକୁ ଗଲା ଯେ ଆଉ ଗାଁକୁ ଫେରୁନାହିଁ। ଠିକ ସମୟରେ ଜମି ନମୁକୁଳିବାରୁ ଜମିଟା ହାତରୁ ଚାଲିଗଲା। ଭାରି ହନ୍ତସନ୍ତ ହେଉଛି ବୁଢୀଟା, ଆଖିକୁ ଭଲ ଭାବେ ଦେଖା ଯାଉନି। ଏକୁଟିଆ ଲୋକ ଜୀବନ ସାରା ସମସ୍ତଙ୍କର ଉପକାର କରିଛି। ଏଣୁ ଖୁସିରେ କିଏ କେତେବେଳେ ଖାଇବା ଦେଇ ଆସୁଛନ୍ତି। ବୁଢୀଟା ଚଳି ଯାଉଛି। ଦାଦାଙ୍କଠାରୁ ଏକଥା ଜାଣି ମନକଷ୍ଟ କରିଥିଲେ ସୂରଜ। ଜନ୍ମ ନକଲେ ବି ମା’ଠାରୁ କମ ସ୍ନେହ ଦେଇନି ମତେ, ପିଲାଦିନେ ତା’ର ସ୍ନେହ ମମତା ପାଇ ମା’ର ଅନୁପସ୍ଥିତି ଅନୁଭବ କରି ନାହାନ୍ତି ସେ। ଆଜି କ’ଣ ତା ପ୍ରତି କୌଣସି କର୍ତ୍ତବ୍ୟ ନାହିଁ ତାଙ୍କର? ଏ ପ୍ରଶ୍ନ ବିଚଳିତ କରିଥିଲା ସୂରଜଙ୍କ ମନକୁ। ତା ପରଦିନ ସକାଳୁ ହିଁ ସେ ବାହାରି ଯାଇଥିଲେ ଗାଁକୁ। ଆଉ ଜିଦ କରି ସାଙ୍ଗରେ ନେଇଆସିଥିଲେ ତାଙ୍କ ପ୍ରିୟ ନାନୀ ମା’ଙ୍କୁ।

କଲିଙ୍ଗ ବେଲର ଶବ୍ଦ ଶୁଣି ଦୁଆର ଖୋଲିଲେ ମମତା। ଆରେ ତୁମେ ଆଜି ଏତେ ଜଲ୍‌ଦି ପଳାଇ ଆସିଲ ଯେ। ’ହଁ, ମୋତେ ଟିକେ ଥକା ଲାଗୁଛି। ତା’ ଛଡ଼ା ମୁଁ ମେଡିକାଲରୁ ସିଧା ଘରକୁ ଆସିଛି। ଦୁଇଦିନ ପରେ ନାନୀ ମା’ଙ୍କର ଆଖି ଅପରେସନ ହେବ। ମୁଁ ଡାକ୍ତରଙ୍କ ସହ କଥା ହୋଇ ଫେରିଛି। ନାନୀ ମା’ଙ୍କୁ ମୁଁ ଏଠାକୁ ନେଇ ଆସିଛି, ତୁମେ ଏଥିରେ ଖୁସି ତ ମମତା?’

‘ମୁଁ କେବଳ ଖୁସି ନୁହେଁ, ତୁମର ଏଇ କାମ ପାଇଁ ଗର୍ବିତ ବି। ବୟସ ଥିବା ବେଳେ ନାନୀ ମା’ ତୁମର କେତେ ସେବା ଯତ୍ନ କରିଛନ୍ତି। ଆଉ ଆଜି ତାଙ୍କର ଯତ୍ନ ନେବା ମୋର ଓ ତୁମର କର୍ତ୍ତବ୍ୟ। ଆଉ ମତେ ତ ଏପରି ଲାଗେ ସୂରଜ ଯେଉଁମାନଙ୍କର ଏ ଦୁନିଆରେ ପିଲାଟିଏ ନାହିଁ, ସେମାନେ ଏକ ସନ୍ତାନକୁ କୋଳେଇ ନେଉଛନ୍ତି। ସେହିପରି ଅନେକ ପିତାମାତାଙ୍କୁ ବାର୍ଦ୍ଧକ୍ୟ ବୟସରେ ତାଙ୍କୁ ବୋଝ ଭାବି ତାଙ୍କ ପିଲାମାନେ ଛାଡ଼ି ଦେଉଛନ୍ତି। ସେ ପରିସ୍ଥିତିରେ ତାଙ୍କୁ ଯଦି କେହି ପିତାମତଙ୍କର ସ୍ଥାନ ଦେଉଛି, ସେଥିରେ ଭୁଲ କେଉଁଠି ରହିଲା ? ଏଇ ଦେଖ ଖୁସି ତା ନାନୀ ମା’ଙ୍କ ସଙ୍ଗେ କେମିତି ଖେଳୁଛି। ଆଜି ପୂରା ଲାଗୁଛି ଏ ପରିବାର। କେବଳ ଭଗବାନଙ୍କୁ ଗୋଟିଏ ନିବେଦନ, ଏମାନଙ୍କ ମଧ୍ୟରେ ଏଭଳି ଭଲ ପାଇବା ସବୁଦିନ ରହିଥାଉ। ଉଭୟ ଉଭୟଙ୍କ ସତ୍ୟତା କେବେ ନଜାଣନ୍ତୁ।’ ନାନୀ ମା’ଙ୍କ ପାଇଁ ଖୁସି ସର୍ବଦା ଆମର ଝିଅ। ଆଉ ଖୁସି ପାଇଁ ସେ ତାର ପ୍ରିୟ ନାନୀ ମା’।

ମମତାଙ୍କ ଏଇ କେଇପଦ କଥାରେ ସୂରଜଙ୍କ ଆଖି ଲୁହରେ ଭିଜି ସାରିଥିଲା।

ମୋ: ୯୬୦୩୩୧୨୫୪୯

ପ୍ରିୟମ୍ବଦା ରଥ

The post ମମତ୍ୱବୋଧ appeared first on Odisha Reporter.



from Odisha Reporter https://ift.tt/3eQh2eq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages