ଅନୁଗୋଳ(ବିରଜା ପ୍ରସାଦ ଦାସ): କରୋନା ପରି ମହାମାରୀ ଦିନକୁ ଦିନ ନିଜ ଉଗ୍ର ରୂପ ଦେଖାଉଥିବା ବେଳେ ମଣିଷ ବି ଭୁଲି ଯାଉଛି ମାନବିକତା। ରକ୍ତ ସମ୍ପର୍କ ପର ହୋଇଯାଉଥିବା ବେଳେ ଅନ୍ୟ ସମ୍ପର୍କକୁ ପଚାରେ କିଏ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଲିଛି। ଅନୁଗୋଳ ପୌରାଞ୍ଚଳରେ। ଘର ଭଡ଼ା ଦେଇ ନ ପାରିବାରୁ ୩ ଦିନର ଛୁଆ ସହ ମା’ବାପାଙ୍କୁ ଘରେ ପୂରାଇ ଦେଲେନି ଘର ମାଲିକ। କଥା ଏତିକିରେ ସରି ନ ଥିଲା। ମୁଣ୍ଡ ଗୁଞ୍ଜିବାକୁ ମହିଳାଜଣକ ନିଜ ସ୍ୱାମୀ, ଛୁଆ ସହ ବାପ ଘରେ ପହଞ୍ଚିଥିଲେ ମଧ୍ୟ ସେଠାରୁ ନିରାଶ ହୋଇ ଫେରିଲେ। କରୋନା ଭୟରେ ବାପ ଘର ଲୋକ ମଧ୍ୟ ସେମାନଙ୍କୁ ତଡ଼ି ଦେଲେ।
ସୂଚନା ମୁତାବକ, ଅସହାୟ ଯୁବକଙ୍କ ଘର ଝାରଖଣ୍ଡରେ। ସେ ଏଠାରେ ରହି କାମଧନ୍ଦା କରିବା ସହ ଅନୁଗୁଳ ଜିଲ୍ଲା ତଳମୁଳ ଅଞ୍ଚଳର ଜଣେ ମହିଳାଙ୍କୁ ବିବାହ କରିଥିଲେ । ବିବାହ ପରେ କିଛି ବର୍ଷ ହେବ ଉଭୟ ପୌରାଞ୍ଚଳରେ ଜଣଙ୍କ ଘରେ ଭଡାରେ ରହି ଆସୁଥିଲେ । ମାତ୍ର କରୋନା ସଂକ୍ରମଣ ସମୟରେ ଉଭୟଙ୍କ ପାଖରେ କିଛି କାମଧନ୍ଦା ନ ଥିଲା । ନିଜେ ଖାଇବାକୁ ପାଉ ନ ଥିବା ବେଳେ ଘର ଭଡ଼ା ମଧ୍ୟ ଠିକ୍ ଭାବେ ଦେଇ ପାରୁ ନଥିଲେ। ଏପରି ସମୟରେ ଯୁବକଙ୍କ ସ୍ତ୍ରୀ ଗର୍ଭବତୀ ଥିବା ବେଳେ ଅନୁଗୁଳ ମୁଖ୍ୟ ଚିକତ୍ସାଳୟରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଛୋଟ ଶିଶୁ ଧରି ମେଡିକାଲରୁ ଘରକୁ ଫେରିବା ପରେ ଘର ମାଲିକାଣୀ କିନ୍ତୁ ଅଟକାଇଥିଲେ। ଘରଭଡା ବାକି ରଖିଥିବା ସହ ମେଡିକାଲରୁ ଫେରିଥିବାରୁ ଘରେ ପୁରାଇ ନ ଥିଲେ ମାଲିକାଣୀ ।
ଛୋଟ ଛୁଆକୁ ଧରି କୁଆଡେ ଯିବେ ଭାବି ନ ପରି ଯୁବକ ଜଣକ ପତ୍ନୀ ଓ ପିଲା ସହ ଶ୍ୱଶୁର ଘର ତଳମୁଳରେ ପହଞ୍ଚିଥିଲେ। ସେଠାରେ ବି ସେମାନଙ୍କୁ ସମଦଶା ଭୋଗିବାକୁ ପଡ଼ିଥିଲା। ବାହାରୁ ଆସିଛ, ତମ ପାଖେ କରୋନା ଥାଇପାରେ କହି ସେଠାରୁ ବି ସେମାନଙ୍କୁ ତଡି ଦିଆଯାଇଥିଲା |
ଏହାପରେ ଭାଗ୍ୟକୁ ଆଦରି ସ୍ୱାମୀସ୍ତ୍ରୀ ନବଜାତକୁ ଧରି ଅନୁଗୋଳ ଫେରି ଆସି ସ୍ଥାନୀୟ ସାପ୍ତାହିକ ହାଟ ପିଣ୍ଡିରେ ଭୋକ ଓପାସରେ ପଡ଼ି ରହିଥିଲେ । ଗତ ୩ ଦିନ ଧରି ସ୍ଥାନୀୟ ଅଞ୍ଚଳର କିଛି ଯୁବକ ସେମାନଙ୍କୁ ଖାଦ୍ୟ ଦେଇଆସୁଥିଲେ । ଖବର ପାଇ ଉପଜିଲ୍ଲାପାଳ ସମସ୍ୟାର ସମାଧାନ ନିମନ୍ତେ ଅନୁଗୋଳ ପୌର ନିର୍ବାହୀ ଅଧିକାରୀଙ୍କୁ କହିଥିଲେ । ଏହାପରେ ପୌର ନିର୍ବ।ହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା, ଅତିରିକ୍ତ ତହସିଲଦାର ପ୍ରମୁଖ ପହଞ୍ଚି ଘର ମାଲିକାଣୀଙ୍କ ସହ କଥା ହୋଇ ସମସ୍ୟାର ସମାଧାନ କରିଥିଲେ । ଶେଷରେ ମାଲିକାଣୀ ଦମ୍ପତିଙ୍କୁ ଘରେ ରଖିବା ପାଇଁ ରାଜି ହୋଇଥିଲେ ।
The post ତଡ଼ି ଦେଲା ଘର ମାଲିକ, ୩ ଦିନର ଛୁଆ ସହ ହାଟପିଣ୍ଡିରେ ପରିବାର appeared first on Odisha Reporter.
from Odisha Reporter https://ift.tt/3jtimri
No comments:
Post a Comment