ପିପିଲି(ଦ୍ୱିତିକୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା କଣାସ ବଜାରରେ ଗତକାଲି ବିଳମ୍ବିତ ରାତିରେ କିଛି ଯୁବକଙ୍କ ଉପରେ ଅତର୍କିତ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ୪ ଯୁବକ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟାରେ କଣାସ କ୍ୱାରେଣ୍ଟାଇନ୍ ସେଣ୍ଟର ଭିତରେ ସରପଞ୍ଚଙ୍କ ସ୍ୱାମୀ ଥିବା ବେଳେ ବାହାରୁ କିଛି ଯୁବକ ସେଣ୍ଟର ଉପରକୁ ଟେକା ପଥର ମାଡ଼ କରିଥିଲେ। ଏହା ଦେଖି ସରପଞ୍ଚଙ୍କ ସ୍ୱାମୀ ଗ୍ରାମବାସୀଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ କିଛି ଗ୍ରାମବାସୀ ଆଜି ଖୋଜାଖୋଜି କରିବାରୁ ଅନ୍ଧାରରେ ଲୁଚି ରହିଥିବା କିଛି ଦୁର୍ବୃତ୍ତ ମାରଣାସ୍ତ୍ର ସାହାଯ୍ୟରେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ପରେ ଘଟଣାସ୍ଥଳରୁ ଉକ୍ତ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।
ଏହି ଆକ୍ରମଣରେ ଗ୍ରାମର ୪ ଯୁବକ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ କଣାସ ଡାକ୍ତରଖାନା ଓ ପରେ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
କଣାସ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ଟେର ପାଇପାରି ନାହିଁ। ପୁଲିସ୍ ଘଟଣାର ଛାନଭିନ ଆରମ୍ଭ କରିଥିବା ବେଳେ ଏନେଇ ମାମଲା କୌଣସି ରୁଜୁ ହୋଇ ନାହିଁ। ପୂର୍ବ ଶତ୍ରୁତାରୁ ଏପରି ଆକ୍ରମଣ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
The post ଦୁର୍ବୃତ୍ତଙ୍କ ଅତର୍କିତ ଆକ୍ରମଣରେ ୪ ଗୁରୁତର appeared first on Odisha Reporter.
from Odisha Reporter https://ift.tt/38KZu1Z
No comments:
Post a Comment