ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଦେଶରେ ହାହାକାର ସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରକୃତିର ତାଣ୍ଡବ ଏହି ସମସ୍ୟାକୁ ଆହୁରି ସାଂଘାତିକ କରିଛି। ମୌସୁମୀ ପ୍ରଭାବରେ ଲଗାଣ ବର୍ଷା ପରେ ସୃଷ୍ଟି ହୋଇଥିବା ବନ୍ୟା ଓ ଭୂସ୍ଖଳନ ଯୋଗୁ ୮ ରାଜ୍ୟ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ମୌସୁମୀ ଜନିତ ଅଘଟଣ କାରଣରୁ ୪୭୦ରୁ ଅଧିକ ଲୋକଙ୍କ ଜୀବନ ମଧ୍ୟ ଯାଇ ସାରିଲାଣି। ଏମାନଙ୍କ ମଧ୍ୟରୁ ସର୍ବାଧିକ ଲୋକ ଆସାମ, ପଶ୍ଚିମବଙ୍ଗ ଓ ଗୁଜରାଟରେ ପ୍ରାଣ ହରାଇଛନ୍ତି। ବନ୍ୟା ଓ ଭୂସ୍ଖଳନରେ ପ୍ରଭାବିତ ହେବା ପାଇଁ ପ୍ରାୟ ୭୦ଟି ଏନଡିଆରଏଫ ଟିମ ନିୟୋଜିତ ହୋଇଥିଲେ ହେଁ ଲୋକଙ୍କ ଦୁର୍ଦ୍ଦଶା କମ ହୋଇନାହିଁ।
ଚଳିତ ବର୍ଷ ମୌସୁମୀ ପ୍ରଭାବରେ ପଶ୍ଚିମବଙ୍ଗରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି। ରାଜ୍ୟରେ ଏବେ ସୁଦ୍ଧା ୧୪୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ନିଖୋଜ ରହିଛନ୍ତି। ସେହିପରି ଆସାମ ବନ୍ୟାରେ ୧୧୧ ଓ ଗୁଜରାଟରେ ୮୧ ଜଣଙ୍କ ଜୀବନ ଯାଇଛି। ଏହାବାଦ ମହାରାଷ୍ଟ୍ରରେ ୪୬ ଓ ମଧ୍ୟପ୍ରଦେଶରେ ୪୪ ଜଣ ମୌସୁମୀ ଜନିତ ଅଘଟଣ ଯୋଗୁ ପ୍ରାଣ ହରାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି।
ଗତବର୍ଷ ବନ୍ୟା ଜନିତ ଅଘଟଣରେ ସର୍ବାଧିକ ଲୋକ ପ୍ରାଣ ହରାଇଥିବା କେରଳରେ ଏବେ ସୁଦ୍ଧା ୨୩ ଜଣଙ୍କ ଜୀବନ ଯାଇଛି। ରାଜ୍ୟ ସରକାର ସ୍ଥିତିକୁ ଦୃଷ୍ଟିରେ ରଖି ୮୦୦ ରିଲିଫ କ୍ୟାମ୍ପ ନିର୍ମାଣ କରିଛନ୍ତି। ଗୋଟିଏ ପଟେ କରୋନାର କରାଳ ରୂପ ମଧ୍ୟରେ ଲୋକଙ୍କୁ ରିଲିଫ କ୍ୟାମ୍ପକୁ ଆଣି ଥଇଥାନ କରିବା ଓ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ରଖିବା ସ୍ଥାନୀୟ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ବନ୍ୟା ଯୋଗୁ ପ୍ରଭାବିତ ଆସାମରେ ସରକାରଙ୍କ ପକ୍ଷରୁ ୫୬୪ରୁ ଅଧିକ ରିଲିଫ କ୍ୟାମ୍ପରେ ୧.୪୫ ଲକ୍ଷ ଲୋକଙ୍କୁ ରଖାଯାଇଛି। ପଶ୍ଚିମବଙ୍ଗରେ ୧୧୮, ଉତ୍ତର ପ୍ରଦେଶରେ ୭୮ ରିଲିଫ କ୍ୟାମ୍ପରେ ଲୋକଙ୍କୁ ରଖାଯାଇଛି। ବିହାରରେ ଏଯାଏ କେହି ବି ବନ୍ୟା ଜନିତ ଦୁର୍ଘଟଣାରେ ପ୍ରାଣ ହରାଇ ନଥିଲେ ହେଁ ରାଜ୍ୟ ସରକାର ଆଗୁଆ ୧୨ ହଜାର ଲୋକଙ୍କୁ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରିଛନ୍ତି। ସେହିପରି ୧୩ଟି କ୍ୟାମ୍ପ ବିଭିନ୍ନ ସ୍ଥାନରେ ନିର୍ମାଣ କରିଛନ୍ତି।
ଗତବର୍ଷ ମୌସୁମୀ ସମୟରେ ୧୬୮୫ ଜଣଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଲୋକ ନିଖୋଜ ହୋଇଥିଲେ। ୧୪ଟି ରାଜ୍ୟରେ ମୌସୁମୀର ତାଣ୍ଡବ ଦେଖିବାକୁ ମିଳିଥିଲା। ୨୫ ବର୍ଷ ମଧ୍ୟରେ ୨୦୧୯ ମୌସୁମୀ ବେଳେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିଲା।
ଏହି କାରଣରୁ ବିଭିନ୍ନ ନଦୀରେ ବନ୍ୟା ସୃଷ୍ଟି ହୋଇଥିଲା। ଏହି କାରଣରୁ ପ୍ରାୟ ୨୨ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ଓ ସରକାରମାନଙ୍କ ପକ୍ଷରୁ ୮,୭୦୦ ରିଲିଫ କ୍ୟାମ୍ପ ତିଆରି କରାଯାଇଥିଲା।
The post କରୋନା ସମୟରେ ମୌସୁମୀ ତାଣ୍ଡବ: ୮ ରାଜ୍ୟରେ ଗଲାଣି ୪୭୦ରୁ ଅଧିକ ଜୀବନ appeared first on Odisha Reporter.
from Odisha Reporter https://ift.tt/39g2BPw
No comments:
Post a Comment