କୋଲକାତା: ମାତ୍ର ୨୪ ଘଣ୍ଟା ତଳେ ବିଜେପିରେ ଯୋଗଦେଇ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ ପୂର୍ବତନ ଫୁଟବଲ ଖେଳାଳି ମେହେତାବ ହୁସେନ। ହେଲେ ୨୪ ଘଣ୍ଟା ଭିତରେ ସବୁକିଛି ବଦଳି ଗଲା। ହୁସେନ ବିଜେପିରେ ମିଶିବାର ଗୋଟିଏ ଦିନ ପରେ ପୂରା ରାଜନୀତିକୁ ହିଁ ବାଏବାଏ କହି ଦେଇଛନ୍ତି।
କୋଲକାତା ମୈଦାନରେ ‘ମିଡ୍ଫିଲ୍ଡ ଜେନେରାଲ’ ଭାବେ ଜଣାଶୁଣା ହୁସେନ କହିଛନ୍ତି, “ମୁଁ ହଠାତ୍ ରାଜନୀତିକୁ ଆସିଥିବାରୁ ମୋ ପରିବାର, ବନ୍ଧୁ ଓ ଶୁଭେଚ୍ଛୁ ହତବାକ ହୋଇଥିଲେ। କେହି କେହି କଷ୍ଟ ମଧ୍ୟ ଅନୁଭବ କରିଥିଲେ। ତଥାପି ମୁଁ ରାଜନୀତିକ ଦଳରେ ଯୋଗଦେଇଥିଲି।
ହେଲେ ଏବେ ମୁଁ କୌଣସି ରାଜନୀତିକ ଦଳରେ ନାହିଁ। ମୋର ଏହି ନିଷ୍ପତ୍ତି ପାଇଁ ମୁଁ ମୋର ଶୁଭେଚ୍ଛୁଙ୍କୁ କ୍ଷମା ମାଗୁଛି। ମୁଁ ରାଜନୀତିକୁ ବାଏବାଏ କହୁଛି। ରାଜନୀତିଠାରୁ ଦୂରରେ ରହିବା ମୋର ବ୍ୟକ୍ତିଗତ ନିଷ୍ପତ୍ତି। ଏଥିପାଇଁ ମୋତେ କେହି ବି ବାଧ୍ୟ କରିନାହାନ୍ତି।
କରୋନା ଭଳି ସମୟରେ ଲୋକଙ୍କ ଅସହାୟତା ଦେଖି ମୁଁ ରାତିରେ ଶୋଇ ପାରି ନଥିଲି। ଏଥିପାଇଁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖି ରାଜନୀତିରେ ଯୋଗଦେଇଥିଲି। ହେଲେ ମୁଁ ଯେଉଁମାନଙ୍କର ସେବା କରିବାକୁ ଚାହୁଁଥିଲି, ସେମାନେ ମୋତେ ରାଜନେତା ଭାବେ ଦେଖିବାକୁ ଚାହୁଁନାହାନ୍ତି। ତେଣୁ ମୁଁ ଆଉ ରାଜନେତା ହେବାକୁ ଚାହୁଁନାହିଁ।”
ଇଷ୍ଟ ବେଙ୍ଗଲର ପୂର୍ବତନ ଅଧିନାୟକ ହୁସେନ ମଙ୍ଗଳବାର ମୁରଲୀଧର ସେନ ଲେନ୍ଠାରେ ଥିବା ପାର୍ଟି ଅଫିସରେ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦୀଲିପ ଘୋଷଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ। ଏହି ସମୟରେ ଭାରତ ମାତା କି ଜୟ ଧ୍ୱନୀ ପ୍ରକମ୍ପିତ ହୋଇଥିଲା। ହୁସେନ ଭାରତୀୟ ଫୁଟବଲ ଟିମ୍ର ସଦସ୍ୟ ରହିଥିଲେ। ସେ ୩୦ଟି ମ୍ୟାଚ୍ରେ ଦେଶକୁ ପ୍ରତିନିଧିତ୍ୱ କରିଛିନ୍ତି।
The post ମଙ୍ଗଳବାର ବିଜେପିରେ ମିଶିଲେ, ବୁଧବାର ରାଜନୀତିକୁ ଅଲବିଦା କହିଲେ ପୂର୍ବତନ ଫୁଟବଲର୍ appeared first on Odisha Reporter.
from Odisha Reporter https://ift.tt/39kWXvt
No comments:
Post a Comment