ରାୟଗଡ଼ା (ମନୋଜ ପାତ୍ର): ହାତରେ ଘା’ ଶୁଖୁନି। ଯନ୍ତ୍ରଣା ବି ଦିନକୁ ଦିନ ବଢ଼ୁଛି। ଏପରି ସମୟରେ କରୋନାର ଆତଙ୍କ ମଧ୍ୟରେ ଡାକ୍ତରଖାନା ଯିବାକୁ ଘରୁ ଗୋଡ଼ କାଢ଼ିଲେ। ନିଜର ବୋଲି କେହି ନ ଥିବାରୁ ଜଣେ ବ୍ୟକ୍ତିଙ୍କ ସହ ରାୟଗଡ଼ା, କୋରାପୁଟ, ବ୍ରହ୍ମପୁର ଓ କଟକ ବଡ଼ ଡାକ୍ତରଖାନା ଯାଇଥିଲେ। ହେଲେ କରୋନା କୋପ ଯୋଗୁ କୋଉଠୁ ବି ଚିକିତ୍ସା ସୁବିଧା ପାଇ ନ ପାଇ ନିରାଶ ହୋଇ ଫେରିଲେ। ହେଲେ ବ୍ରହ୍ମପୁର, କଟକ ଯାଇଥିବାରୁ ଗାଁରେ ପୂରାଇ ଦେଉ ନାହାନ୍ତି ଗାଁ ଲୋକେ।
ଫଳରେ ଗତରାତିରୁ ଯାତ୍ରୀ ବିଶ୍ରାମାଗାରରେ ପଡ଼ି ରହିଛନ୍ତି ଜଣେ ରୋଗାକ୍ରାନ୍ତ ଅନାଥ ବାଳକ ଓ ତାଙ୍କ ସହ ଡାକ୍ତରଖାନା ଯାଇଥିବା ବ୍ୟକ୍ତିଜଣକ ।ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଭାତପୁର ପଞ୍ଚାୟତର ନୂଆଗାଁରେ।
ଏହି ଗାଁର ସନ୍ଧ୍ୟାରାଓ ମିଣିଆକାଙ୍କ ହାତରେ ଘା ହୋଇଥିଲା। ତେଣୁ ତାଙ୍କୁ ଚିକିତ୍ସା ପାଇଁ ଗାଁର ଜଣେ ବ୍ୟକ୍ତି ତାଙ୍କୁ ରାୟଗଡ଼ା ନେଇଥିଲେ। ହେଲେ ରାୟଗଡ଼ା ଡାକ୍ତର ତାଙ୍କୁ କୋରାପୁଟ ଯିବାକୁ କହିଥିଲେ। ସେଠାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନା ଯାଇଥିଲେ। କିନ୍ତୁ କଟକରେ ଚିକିତ୍ସା ହୋଇ ନପାରିବାରୁ ଗତକାଲି ସେମାନେ ଗାଁକୁ ଫେରି ଯାଇଥିଲେ।
କିନ୍ତୁ ଏବେ ତାଙ୍କୁ ଗାଁ ମନା। ବ୍ରହ୍ମପୁର ଓ କଟକ ଯାଇଥିବାରୁ ଗାଁରେ ପଶିବାକୁ ଅନୁମତି ମିଳୁନି। ସ୍ଥାନୀୟ ଲୋକେ ବୁଝାସୁଝା କଲେ ବି ଗାଁ ଲୋକେ ଶୁଣୁ ନାହାନ୍ତି। ଫଳରେ ସେମାନେ ଗତକାଲି ସନ୍ଧ୍ୟାରୁ ରାତି ସାରା ନୂଆଗାଁ ଯାତ୍ରୀ ବିଶ୍ରାମାଗାରରେ ପଡ଼ି ରହିଛନ୍ତି। ଏବେ ବି ସେମାନେ ସେଠାରେ ରହିଛନ୍ତି।
ଏହି ଘଟଣା ସମ୍ପର୍କରେ ଭାତପୁର ସରପଞ୍ଚଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ହେଲେ ଘଟଣା ସମ୍ପର୍କରେ ବୁଝିବି ବୋଲି ବିଷମକଟକ ବିଡିଓ କହିଛନ୍ତି।
The post କରୋନା କୋପ ; ମେଡିକାଲ ଯାଇଥିବାରୁ ଗାଁ ମନା appeared first on Odisha Reporter.
from Odisha Reporter https://ift.tt/3fcONXr
No comments:
Post a Comment