ଧନବାଦ: ମହାମାରୀ କରୋନା ଭାଇରସ କେତେ ଭୟଙ୍କର ହୋଇପାରେ, ସେକଥା ସମସ୍ତେ ଜାଣିଛନ୍ତି। ଏହି ପ୍ରାଣଘାତୀ ଭାଇରସ ଝାରଖଣ୍ଡର ଗୋଟିଏ ହସଖୁସିର ସଂସାରକୁ ଛାରଖାର କରିଦେଇଛି। ପ୍ରଥମେ କରୋନାରେ ଆକ୍ରାନ୍ତ ହୋଇ ବୃଦ୍ଧା ମା’ ପ୍ରାଣ ହରାଇଥିଲେ।
ମା’କୁ କାନ୍ଧ ଦେଇ ୫ ପୁଅ ମଧ୍ୟ ସଂକ୍ରମିତ ହେଲେ। ଏବେ ସେମାନେ ସମସ୍ତେ ଜଣଙ୍କ ପରେ ଜଣେ ପ୍ରାଣ ହରାଇବାରେ ଲାଗିଛନ୍ତି। ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ଜୀବନ କରୋନାରେ ଯିବା ପରେ ପୂରା ଧନବାଦ ସମେତ ଝାରଖଣ୍ଡରେ କୋକୁଆ ଭୟ ସୃଷ୍ଟି ହୋଇଛି।
୮୮ ବର୍ଷୀୟ ବୃଦ୍ଧା ଜଣଙ୍କ ଦିଲ୍ଲୀରେ ଆୟୋଜିତ ଗୋଟିଏ ବାହାଘର କାର୍ଯ୍ୟକ୍ରମରେ ଯୋଗଦେଇ ଧନବାଦ ଫେରିଥିଲେ। ଘରେ ଥିବା ବେଳେ ତାଙ୍କ ଅବସ୍ଥା ହଠାତ୍ ବିଗିଡ଼ିବା ଆରମ୍ଭ କରିଥିଲା। ଏଥିପାଇଁ ତାଙ୍କୁ ବୋକାରାଓ ସ୍ଥିତ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା। ଜୁଲାଇ ୪ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖିବୁଜି ଦେଇଥିଲେ। ତେବେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତା’ର ରିପୋର୍ଟ ଆସିବା ପୂର୍ବରୁ ୫ ପୁଅ ମା’ଙ୍କୁ କାନ୍ଧରେ ବୋହି ସ୍ଥାନୀୟ ଶଶ୍ମାନ ଘାଟରେ ଅନ୍ତିମ ବିଦାୟ ଦେଇଥିଲେ।
ଅନ୍ତିମ ସଂସ୍କାର ପରେ ବୃଦ୍ଧା ଜଣଙ୍କ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ହେଲେ ସେତେବେଳକୁ ବୃଦ୍ଧାଙ୍କ ୫ ଜଣ ଯାକ ପୁଅ କରୋନାରେ ଆକ୍ରାନ୍ତ ହୋଇ ସାରିଥିଲେ। ସମସ୍ତଙ୍କ ରିପୋର୍ଟ ପଜିଟିଭ ଆସିବାରୁ ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଧୀରେଧୀରେ ଜଣଙ୍କ ପରେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ପର୍ଯ୍ୟାୟକ୍ରମେ ରାଞ୍ଚି ସ୍ଥିତ କୋଭିଡ ହସ୍ପିଟାଲକୁ ଅଣାଯାଇଥିଲା।
କିନ୍ତୁ ସେଠାରେ ଜଣଙ୍କ ପରେ ଜଣେ ପ୍ରାଣ ହରାଇବା ଆରମ୍ଭ କରିଥିଲେ। ପୂର୍ବରୁ ବୃଦ୍ଧାଙ୍କ ୪ ଜଣ ପୁଅ ପ୍ରାଣ ହରାଇଥିବା ବେଳେ ରବିବାର ଦିନ ୫ନଂ ପୁଅ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି। ଏହାକୁ ମିଶାଇ ଜୁଲାଇ ୪ରୁ ୨୦ ମଧ୍ୟରେ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ଜୀବନ ନେଇଛି କରୋନା। ଏବେ ପରିବାରର ଏକମାତ୍ର ପୁଅ ଦିଲ୍ଲୀରେ ରହିଛନ୍ତି। ସେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି।
The post ସଂସାର ଉଜାଡ଼ି ଦେଲା କରୋନା: ମା’କୁ କାନ୍ଧ ଦେଇ ୫ ପୁଅ ସଂକ୍ରମିତ, ଜଣଙ୍କ ପରେ ଜଣେ ଜୀବନ ହରାଇଲେ appeared first on Odisha Reporter.
from Odisha Reporter https://ift.tt/3hAQ1xx
No comments:
Post a Comment