ଓଡ଼ିଶା ରିପୋର୍ଟର (ପ୍ରଜ୍ଞା ଚୌଧୁରୀ): ରାଜଧାନୀରେ ଲକଡାଉନ ବେଳେ ମାତିଛନ୍ତି ଲୁଟେରା। ବନ୍ଧୁକ ମୁନରେ ସାଧାରଣ ଜନତାଙ୍କଠାରୁ ପୁଲିସ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଲୁଟୁଛନ୍ତି। ଏପଟେ ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ପରିସ୍ଥିତି, କୋଭିଡ୍ କଟକଣା ତଥା ଅପରାଧ ନିୟନ୍ତ୍ରଣ ଲାଗି ଡିସିପି ଭାବେ ନୂଆ ନୂଆ ମଙ୍ଗ ଧରିଛନ୍ତି ୨୦୦୮ ବ୍ୟାଚର ଆଇପିଏସ ଅଫିସର ଉମାଶଙ୍କର ଦାଶ। ସାମ୍ପ୍ରତିକ ପରିସ୍ଥିତିରେ ରାଜଧାନୀରେ ଆଇନ ଶୃଙ୍ଖଳା ପରିସ୍ଥିତି ସହ ସାଧାରଣ ଜନତାଙ୍କ ଧନ ଜୀବନ ରକ୍ଷା କରିବା ନୂଆ ଡିସିପିଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ।
ଏଇ କିଛି ଦିନ ତଳେ ନୂଆ କରି ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ଉମାଶଙ୍କର ଦାଶ। ସୌଜନ୍ୟତା ଦୃଷ୍ଟିରୁ ସହକର୍ମୀଙ୍କ ସହ ଆଲୋଚନା କରିଥିବେ ଆଉ ରାଜଧାନୀରେ ଅପରାଧ ନିୟନ୍ତ୍ରଣ ଲାଗି ନୀଳ ନକ୍ସା ମଧ୍ୟ ପ୍ରସ୍ତୁତ କରିଥିବେ। ହେଲେ ଘରେ ପଶୁ ପଶୁ ଚାଳିଆ ବାଜିଲା ଭଳି ନୂଆ ଡିସିପିଙ୍କ ସ୍ୱାଗତରେ ସ୍ମାର୍ଟ ସିଟିର ସ୍ମାର୍ଟ ଲୁଟେରା ଗୋଷ୍ଠୀ ସିରିଜ୍ ଲୁଟ୍ କରି ନିଜର ଦମ୍ ଦେଖାଇଛନ୍ତି।
ଖୋଦ୍ ପୁଲିସ ଅଧିକାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲକଡାଉନବେଳେ ନୂଆ ଡିସିପିଙ୍କୁ ନିଆରା ସ୍ୱାଗତ କରିଛନ୍ତି ରାଜଧାନୀର ଲୁଟେରା। ଗତ କିଛି ଦିନ ଭିତରେ ଭୁବନେଶ୍ୱରରେ ବେଧଡ଼କ ଭାବେ ନିଜ ଆଧିପତ୍ୟ ଜାହିର କରିବା ସହ କମିଶନରେଟ୍ ପୁଲିସକୁ ଏକପ୍ରକାର ଅସହାୟ କରିଦେଇଛନ୍ତି। କୁହାଯାଉଛି କରୋନା କଟକଣାର କଡ଼ାକଡ଼ି ଯାଞ୍ଚରେ ମାତିଥିବା ପୁଲିସ ଅପରାଧ ନିଯନ୍ତ୍ରଣକୁ ଏକପ୍ରକାର ପାଶୋରି ଦେଇଥିବାରୁ ଏହାର ଫାଇଦା ନେଇ ଲୁଟେରା ମାନେ ଭୁବନେଶ୍ୱରକୁ ଏକ କ୍ରାଇମ କ୍ୟାପିଟାଲ୍ କରି ଦେଇଛନ୍ତି।
ରାସ୍ତା କି ମଲ୍ ଅବା ପାର୍କ ନୁହେଁ, ମହିଳା ଡିଏସପିଙ୍କ ଘରେ ପଶି ମୁଣ୍ଡରେ ବନ୍ଧୁକ ଲଗାଇ ସୁନା ଗହଣା ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଗତ ରବିବାର ସକାଳୁ ଭିଜିଲାନ୍ସ ଡିଏସପି ତନୁଜା ମହାନ୍ତିଙ୍କ ଘରେ ପଶି ମୁଣ୍ଡରେ ବନ୍ଧୁକ ରଖିବା ପରେ ଭୟରେ ପୁଲିସ ବାବୁଆଣି ସୁନା ଗହଣା ଖୋଲି ଦୁର୍ବୃତ୍ତଙ୍କୁ ଦେଇପକାଇଥିଲେ। ଏଇ ଗୋଟିଏ ଘଟଣା ନୁହେଁ, ସେହି ଦିନ ଏହି ଘଟଣାର କିଛି ସମୟ ପରେ ନୂଆପଲ୍ଲୀ ରେସିଡେନ୍ସିଆଲ୍ ଅଞ୍ଚଳରେ ଘଟିଛି ଆଉ ଏକ ଅଭାବନୀୟ ଘଟଣା। ୭୦ ବର୍ଷୀୟ ମହିଳାଙ୍କୁ ଛୁରା ଭୁସି ସୁନା ଚେନ୍ ଲୁଟ୍ କରିନେଇଛନ୍ତି ଦୁର୍ବୃତ୍ତ। ରବିବାର ସରିଜ୍ କ୍ରାଇମର ଆଉ ଏକ ଘଟଣା କ୍ରମରେ ଖାରବେଳ ନଗର ଅଞ୍ଚଳରେ ଶୌଚାଳୟ ନିକଟରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟପାଟ୍ କରିଛନ୍ତି। କୁହାୟାଉଛି, ନଗଦ ପୁରୀରୁ ରାଜଧାନୀ ଆସିଥିବା ନୂଆ ଡିସିପିଙ୍କ ସ୍ୱାଗତରେ ଏଭଳି କିଛି ସିରିଜ୍ ଲୁଟପାଟ କରି ନିଜ ଦମ୍ ଦେଖାଇଛନ୍ତି ଅପରାଧୀ ଗୋଷ୍ଠୀ।
ରବିବାର ଗୋଟିଏ ଦିନରେ ୩ଟି ଘଟଣା ସ୍ମାର୍ଟ ସିଟିର ସ୍ମାର୍ଟ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ବି ପଦାରେ ପକାଇଛି। ନିକଟରେ ଖାରବେଳ ନଗର ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଦୁର୍ବୃତ୍ତ ମହିଳାଙ୍କୁ ଲୁଟ୍ କରିଥିଲେ। ଏହା ପୂର୍ବରୁ ଜଣେ ପୁଲିସ ଇନସପେକ୍ଟର ମର୍ଣିଂ ଓ୍ୱାକରୁ ଫେରିଲା ବେଳେ ରାଜୀବ ଭବନ ଗଳିରୁ ଲୁଟେରାଙ୍କ ହାବୁଡ଼ରେ ପଡ଼ି ତାଙ୍କ ମୋବାଇଲ ଫୋନ୍ ହରାଇଥିଲେ। ଏହାର କିଛିଦିନ ତଳେ ଜଣେ ପୋଷ୍ଟମ୍ୟାନଙ୍କୁ ବିନା କାରଣରେ ଦୁର୍ବୃତ୍ତ ହାଣି ପକାଇଥିଲେ।
ଅନ୍ୟପଟେ ଲୁଟେରାଙ୍କ ଏଭଳି ଉତ୍ପାତକୁ ଦମନ କରିବାରୁ ସ୍ପେଶାଲ ସ୍କା଼ଡ୍ ବ୍ୟତୀତ ଆଉ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି। ଏହାସହ ରାଜଧାନୀବାସୀ ଏ ସମ୍ପର୍କିତ କୌଣସି ସୂଚନା ଓ ତଥ୍ୟ ଦେବାକୁ ଡାଏଲ ୧୦୦ରେ କଲ୍ କରି ସହଯୋଗ କରିବାକୁ ଡିସିପି ଅନୁରୋଧ କରିଛନ୍ତି।
The post ‘ତଥ୍ୟ ଥିଲେ ୧୦୦କୁ କଲ୍ କରନ୍ତୁ’ appeared first on Odisha Reporter.
from Odisha Reporter https://ift.tt/3g6DbGP
No comments:
Post a Comment