ନୂଆଦିଲ୍ଲୀ: ଏନ୍-୯୫ ମାସ୍କ ବ୍ୟବହାର ନେଇ କେନ୍ଦ୍ର ପକ୍ଷରୁ ଚେତାବନୀ ଦିଆଯାଇଛି। ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠି ଲେଖି ଚେତାଇ ଦିଆଯାଇଛି ଯେ, ଛିଦ୍ରଯୁକ୍ତ ଶ୍ୱାସଯନ୍ତ୍ର ବା ଭଲଭ୍ ଲାଗିଥିବା ଏନ-୯୫ ମାସ୍କ ବ୍ୟବହାର କରିବା ବିପଜ୍ଜନକ ହୋଇପାରେ। ଏନ-୯୫ ମାସ୍କ ଦ୍ୱାରା ଭୂତାଣୁ ସଂକ୍ରମଣକୁ ରୋକା ଯାଇପାରିବ ନାହିଁ ଏବଂ ଏହା କୋଭିଡ୍-୧୯ ସଂକ୍ରମଣ ରୋକିବା ଦିଗରେ ନିଆଯାଉଥିବା ପଦକ୍ଷେପ ପାଇଁ ମଧ୍ୟ କ୍ଷତିକାରକ ବୋଲି କେନ୍ଦ୍ର ସତର୍କ ସୂଚନା ଜାରି କରିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚଏସ) ରାଜୀବ ଗର୍ଗ ଏହି ପରିପ୍ରେକ୍ଷୀରେ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି। ଚିଠିରେ ଉଲ୍ଲେଖ ରହିଛି ଯେ, ସ୍ୱୀକୃତିପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ବ୍ୟତୀତ ସାଧାରଣ ଲୋକ ଭଲଭ୍ ଲାଗିଥିବା ଏନ-୯୫ ମାସ୍କର ଅପବ୍ୟବହାର କରୁଥିବା ଦେଖିବାକୁ ମିଳୁଛି।
ଡିଜିଏଚଏସ ମହାନିର୍ଦ୍ଦେଶକ ରାଜୀବ ଗର୍ଗ ରାଜ୍ୟଗୁଡ଼ିକୁ କହିଛନ୍ତି ଯେ, “ଛିଦ୍ରଯୁକ୍ତ ଶ୍ୱାସଯନ୍ତ୍ର ଲାଗିଥିବା ଏନ-୯୫ ମାସ୍କ କରୋନା ସଂକ୍ରମଣ ରୋକିବା ଲାଗି ନିଆଯାଉଥିବା ପଦକ୍ଷେପ ପାଇଁ କ୍ଷତିକାରଣ ଅଟେ। କାରଣ ଭୂତାଣୁକୁ ବାହାରକୁ ଯିବାରେ ଏହି ମାସ୍କ ରୋକିପାରିବ ନାହିଁ। ଏଣୁ ଏହି ସବୁ ବିଷୟକୁ ଦୃଷ୍ଟିରେ ରଖି ଆପଣଙ୍କୁ ଅନୁରୋଧ କରୁଛି ଯେ, ଆପଣ ଲୋକଙ୍କୁ ପାଟି ଓ ମୁହଁ ଆବଦ୍ଧ କରିବାକୁ ତଥା ଏନ-୯୫ ମାସ୍କର ଅପବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ।”
ଅନ୍ୟପଟେ ପାଟି ଓ ମୁହଁ ଆବଦ୍ଧ କରିବା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଓ୍ୱେବସାଇଟରେ ଉପଲବ୍ଧ ଘର ତିଆରି ମାସ୍କ ବ୍ୟବହାର କରିବା ଲାଗି ଥିବା ନିର୍ଦ୍ଦେଶନାମାକୁ ଅନୁସରଣ କରିବା ପାଇଁ ବିଜିଏଚଏସ୍ ପକ୍ଷରୁ ସୂଚିତ କରାଯାଇଛି। ଗତ ଏପ୍ରିଲରେ ସରକାର ଘରେ ତିଆରି ମାସ୍କ ଦ୍ୱାରା ପାଟି ଓ ମୁହଁକୁ ଆବଦ୍ଧ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ଘରୁ ବାହାରକୁ ପାଦ କାଢ଼ିଲେ ମାସ୍କ ବ୍ୟବହାର କରିବାରୁ ଏଥିରେ ନିର୍ଦ୍ଦେଶ ରହିଛି।
ତେବେ ଏହି ନିର୍ଦ୍ଦେଶନାମାରେ ଫେସ୍ ମାସ୍କକୁ ପ୍ରତ୍ୟେକ ଦିନ ସଫା କରିବାକୁ ଗୁରୁତ୍ୱ ଦିଆଯାଇଛି। ସେହିଭଳି କୌଣସି ବ୍ୟବହୃତ କପଡ଼ାକୁ ମଧ୍ୟ ମୁହଁ ଓ ପାଟି ଘୋଡ଼ାଇବାକୁ ମାସ୍କ ଭଳି ବ୍ୟବହାର କରିହେବ ବୋଲି ଏଥିରେ କୁହାଯାଇଛି। ଏହାସହ ମାସ୍କକୁ ପ୍ରତ୍ୟେକ ଦିନ ଗରମ ପାଣିରେ ୫ ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ଭଲ ଭାବେ ସଫା କରିବା ଆବଶ୍ୟକ। ଏବଂ ସୁଖିଲା ପରେ ମୁହଁ, ପାଟି ଘୋଡ଼ାଇବାକୁ ବ୍ୟବହାର କରିବାକୁ ନିର୍ଦ୍ଦେଶ ରହିଛି। ତେବେ ଗରମ ପାଣିରେ ଧୋଇବା ସମୟରେ ଲୁଣ ମିଶାଇବା ଅଧିକ ଉପଯୋଗୀ ବୋଲି ପରାମର୍ଶ ଦିଆଯାଇଛି।
ତେବେ ମାସ୍କ ପିନ୍ଧିବା ସମୟରେ ଧ୍ୟାନ ରଖିବାକୁ ହେବ ଯେ, ମାସ୍କ ପିନ୍ଧିବା ପରେ ଆପଣଙ୍କ ମୁହଁ, ପାଟି, ନାକ ଓ ଥୋଡ଼ି ନିକଟରେ ଯେପରି ଫାଙ୍କ ନ ରୁହେ।
The post ଏନ-୯୫ ମାସ୍କ ବ୍ୟବହାରକୁ ନେଇ ସରକାରଙ୍କ ଚେତାବନୀ appeared first on Odisha Reporter.
from Odisha Reporter https://ift.tt/2CvutmM
No comments:
Post a Comment